ଆମ ସମୟର ପ୍ରସିଦ୍ଧ ସାହିତ୍ୟିକ ଓ ସମୀକ୍ଷକ ପଠାଣି ପଟ୍ଟନାୟକ(ଜନ୍ମ: ୧୯ ସେପ୍ଟେମ୍ବର୍ ୧୯୨୮; ମୃତ୍ୟୁ: ୪ ଫେବ୍ରୁଆରି ୨୦୧୭) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗୋଳବାଇରେ ଜନ୍ମ ହୋଇଥିଲେ। ଅଧ୍ୟାପକ ଭାବେ ତାଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା। କଟକସ୍ଥିତ ‘ଖ୍ରୀଷ୍ଟ ମହାବିଦ୍ୟାଳୟ’ର ଅଧ୍ୟକ୍ଷ ଭାବେ ସେ ଅବସର ନେଇଥିଲେ। ସେ ସ୍ଥାୟୀ ଭାବେ କଟକ ସହରରେ ବାସକରୁଥିଲେ। ୨୦୦୦-୦୩ ‘ଓଡ଼ିଶା ସାହିତ୍ୟ ଏକାଡେମି’ର ସଭାପତି ଥିଲେ। ବିଦ୍ୟାର୍ଥୀ ଜୀବନରେ ହାତ-ଲେଖା ସାହିତ୍ୟ ପତ୍ରିକା ‘ପ୍ରତିଭା’ର ସଂପାଦନା କରୁଥିଲେ। ଓଡ଼ିଆ ଭାଷା-ସାହିତ୍ୟରେ ସ୍ନାତକୋତ୍ତର ପଢ଼ୁଥିବା ବେଳେ ‘ଝଙ୍କାର’ ପତ୍ରିକାର ସହ-ସଂପାଦକ ଭାବେ କାର୍ଯ୍ୟ କରୁଥିଲେ। ‘ଓଡ଼ିଆ ସାହିତ୍ୟର ଭୂମିକା’, ‘ସାହିତ୍ୟ ପରିକ୍ରମା’, ‘ସାହିତ୍ୟ ବିଚାର’, ‘ଭାରତୀୟ ସାହିତ୍ୟର ଭୂମିକା’, ‘ପ୍ରବନ୍ଧ ଓ ସମାଲୋଚନା’, ‘ସାହିତ୍ୟ, ସଂହତି ଓ ସଂସ୍କୃତି’, ‘ସମାଜ ଓ ସାହିତ୍ୟ’, ‘ଓଡ଼ିଆ ସାହିତ୍ୟର ଇତିହାସ’, ‘ସାହିତ୍ୟ ଓ ସମୀକ୍ଷା’ ଆଦି ତାଙ୍କର କିଛି ପ୍ରସିଦ୍ଧ କୃତି। ସେ ‘କେନ୍ଦ୍ର ସାହିତ୍ୟ ଏକାଡେମି’ ପୁରସ୍କାପ୍ରାପ୍ତ ଲେଖକଙ୍କ ମଧ୍ୟରେ ଅନ୍ୟତମ। ୨୦୧୦ରେ ‘ଜୀବନର ଚଲାପଥେ’ ପାଇଁ ଏହି ପୁରସ୍କାର ପାଇଥିଲେ।
No comments:
Post a Comment