ଶ୍ରୀରାମ କହିଲେ ବାବୁ ଅଙ୍ଗଦ, ଦେଖ , ଆମ୍ଭମାନଙ୍କର ଶେଷ ସମୟ ପହଞ୍ଚିଲା । ଧରାଧାମ ଛାଡି ମୋତେ ଶେଷ ପ୍ରୟାଣରେ ଯିବାକୁ ପଡିବ । କିସ୍କିନ୍ଧ୍ଯା ରାଜ୍ୟର ରାଜାରୂପେ ତୁ ଧର୍ମନୀତିରେ ପ୍ରଜାପାଳନ କରୁଥିବୁ । ମୋ ପୁତ୍ର ଲବ କୁଶଙ୍କ ପ୍ରତି ସ୍ନେହ ରଖିଥିବୁ । ଶ୍ରୀରାମଙ୍କ କଥାଶୁଣି ଶ୍ରୀରାମଙ୍କୁ ଅଙ୍ଗଦ କହିଲେ--ହେ ପ୍ରଭୁ, ଆପଣ ଯଦି ଶେଷ ପ୍ରୟାଣରେ ଯାଉଛନ୍ତି ତେବେ ମୋତେ ମଧ୍ୟ ଆପଣଙ୍କ ସାଙ୍ଗରେ ନିଅନ୍ତୁ ।
ଅଙ୍ଗଦଙ୍କ କଥା ଶୁଣି ଶ୍ରୀରାମ କହିଲେ-- ବାବୁ ଅଙ୍ଗଦ, ପୂର୍ବେ ତୁ ଯେତେବେଳେ ମୋ ଠାରୁ ପତ୍ର ନେଇ ରାବଣ ପାଖକୁ ଯାଇଥିଲୁ ସେଠାରୁ ଫେରିଲାବେଳେ ରାବଣର ଜଗତିମୂଳକୁ ଭାଙ୍ଗି ପକେଇଲୁ ଓ ରାବଣ ମୁଣ୍ଡରୁ ମୁକୁଟ ଝିଙ୍କିଆଣି ମୋ ପାଖରେ ପହଞ୍ଚିଲୁ ଓ ସେସବୁକୁ ମୋ ପାଖରେ ସମର୍ପଣ କଲୁ ସେତେବେଳେ ମୁଁ ଖୁସିହୋଇ ତୋତେ ବର ଯାଚିଥିଲି । କିନ୍ତୁ ତୁ ମୋତେ କୌଣସି ବର ନମାଗି ମନ ମଧ୍ୟରେ ଭାବିଲୁ ଇଏ ମୋ ପିତାଙ୍କୁ ବଧ କରିଛନ୍ତି । ୟାକୁ ମାରିପାରିଲେ ମୁଁ ପିତୃଋଣ ଶୁଝିବି । କିନ୍ତୁ ଏ ଯେତେବେଳେ ଜଗତର ଠାକୁର ଓ ସର୍ବଶକ୍ତିମାନ ପ୍ରଭୁ ପରମେଶ୍ବର ୟାଙ୍କୁ ମାରିବା ମୋ ପକ୍ଷେ କେବେହେଲେ ସମ୍ଭଵ ନୁହେଁ । ତେଵେ ଇଏ ଯଦି ମୋ ମନକଥା ଜାଣିପାରି ମୋତେ ଏହିଭଳି ବର ଦିଅନ୍ତେ ତେଵେ ୟାଙ୍କୁ ମାରି ପିତୃଋଣ ଶୁଝନ୍ତି । ଏହା ନହେଲେ ପିତୃଋଣ ଶୁଝି ନପାରି ମୁଁ ନରକରେ ହିଁ ପଡିବି । ରେ ବାବୁ ଅଙ୍ଗଦ, ସେତେବେଳେ ମୁଁ ତୋର ମନୋବାଞ୍ଛା ଜାଣିପାରିଥିଲି । ଭକ୍ତର ମନୋବାଞ୍ଛା ପୂର୍ଣ୍ଣ କରିବା ମୋର କାମ । ତେଣୁ ତୋର ଏହି ମନୋବାଞ୍ଛା ମୁଁ ନିଶ୍ଚୟ ପୂର୍ଣ୍ଣ କରିଵି । ଦ୍ବାପର ଯୁଗରେ ଯେତେବେଳେ ମୁଁ ନର ରୂପେ ଜନ୍ମଲାଭ କରିଵି ସେତେବେଳେ ତୁ ଶବର ରୂପରେ ଜନ୍ମଲାଭ କରିବୁ । ସେ କାଳରେ ମୁଁ ଯେତେବେଳେ ଶିଆଳି ଲତାରେ ଦୋଳି ଝୁଲୁଥିବି ଦୂରରୁ ତୁ ମୋ ପାଦକୁ ଦେଖି ମୃଗକାନ ବୋଲି ମନେକରି ତୀର ବିନ୍ଧିବୁ । ସେଇଥିରେ ମୋର ମୃତ୍ୟୁ ହେବ ଓ ତୋର ମନୋବାଞ୍ଛା ପୂର୍ଣ୍ଣ ହେବ । ତୁ ସେତେବେଳେ ପିତୃଋଣରୁ ମୁକ୍ତିପାଇ ସ୍ବଦେହରେ ଦେବଲୋକକୁ ଯାଇ ଦେଵଲୋକରେ ମହା ଆନନ୍ଦରେ ରହିବୁ । ଏହା ପରେ ଶ୍ରୀରାମ ହନୁମାନ, ଜାମ୍ଵବାନ,ଅଙ୍ଗଦ ଓ ବିଭୀଷଣଙ୍କ ମୁଣ୍ଡରେ ପାଟଶାଢୀ ବାନ୍ଧି ଦିଅନ୍ତେ ସେମାନେ ଆନନ୍ଦିତ ହୋଇ ଶ୍ରୀରାମଙ୍କୁ ପ୍ରଣାମ କଲେ । ଏହା ପରେ ଶ୍ରୀରାମ ମଇନ୍ଦ ଓ ଦ୍ବିବିନ୍ଦ ନାମକ ଦୁଇ ବାନରଙ୍କୁ କହିଲେ--କଳିଯୁଗର ଆରମ୍ଭ ପର୍ଯ୍ୟନ୍ତ ତୁମେ ଦିହେଁ ଜୀବିତ ରହିଥାଅ । ତତ୍ପରେ ଇଚ୍ଛା ଅନୁସାରେ ସ୍ବର୍ଗପୁରକୁ ଯିଵ ।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,
ଆଳଦା, ଖଇରା,ବାଲେଶ୍ବର,
No comments:
Post a Comment