ପିଠିରେ ତଲାରୀ ମୁଣ୍ଡକୁ ନୁଆଁଇ
ଚାଶୁଣି ବାଛୁଚି ବିଲେ
ଅନାବନା ଘାସ ବାଳୁଙ୍ଗା ଉପାଡ଼ି
ସାର ଦେଲେ ଧାନଫଳେ
ଭୋଦୁଅ ବରଷା ମୁଣ୍ଡ ଫଟା ଖରା
କେତେ କଷ୍ଟ ସେ' ସହଇ
ସକାଳରୁ ସଞ୍ଜ ବିଲରେ ଲାଗିଛି
ଭୋକ ଶୋଷ ନଜାଣଇ
ଆଶ୍ୱିନ ଆସିବ ଗର୍ଭଣାକୁ ଧାନ
ଗଛେ ହେବ ଟୁଣୁ ଟୁଣୁ
ମନୁ ସବୁ କଷ୍ଟ ଦୂରହେବ ତାର
ତା 'କଷ୍ଟ କିଏ ନଜାଣୁ
ହିଡେ ଲଗାଇଛି ବିରି ଝଟା ଜହ୍ନି
ପେନ୍ଥାକୁ ପେନ୍ଥା ଫଳୁଛି
ଖୁଦୁରୁକୁଣୀ ଓ ଜହ୍ନି ଓଷା କରି
ଝିଅ କଇଁ ଫୁଲ ତୋଳୁଛି
ପିତୃପକ୍ଷ ଶ୍ରାଦ୍ଧ କରିବ ବୋଲିକି
ମାଆ ଘର ସଫା କରୁଛି
ବରସକୁ ଥରେ ଆଶ୍ୱିନ ଶ୍ରାଦ୍ଧରେ
ପିତୃଲୋକେ ପିଣ୍ଡ ଦେଉଛି
ଶ୍ରାଦ୍ଧ ମଙ୍ଗଳାରେ ପୂନେଇଁ ପରବେ
କରି କେତେ ପିଠାପଣା
ଖୁସିରେ ବାଣ୍ଟିବ ସିନିହ ସୁହାଗେ
ଲିପିବ ବାରି ଅଗଣା
ମାର୍ଗଶୀର ମାସେ ଗୁରୁବାର ପୂଜା
ମୁରୁଜରେ ଦେବ ଝୋଟି
ଚିତା ଆଙ୍କିଦେବ ଘର ଚାରିପଟେ
ଅରୁଆ ଚାଉଳ ବାଟି
ଧାନ କଟାହେବ ଘରକୁ ବୋହିବ
ଖଳାରେ ଗଦା କରିବ
ବରସକ ପାଇଁ ଧାନ ଦରବରେ
ତା ' ଘର ପୁରି ହସିବ
ପୁଷେ ପୋଡପିଠା ମାଘେ ପୁଣ୍ୟକରି
ମନତାର ଖୁସି ହେବ
ନୂଆଁ ବରଷର ପାଞ୍ଜି ଶୁଣିବାକୁ
ଦୋଳ ମଣ୍ଡପକୁ ଯିବ
ଫଗୁଣ ଆସିଲେ ଆମ୍ବ ମହୁଲରେ
ବାସିବ ଗାଆଁଟି ସାରା
ଦୋଳ ପରବରେ ଅବିର ରଙ୍ଗରେ
ଦେଖିବ ଯାନୀ ଯାତରା ।
ବୁଗୁଡ଼ା ,ଗଞ୍ଜାମ,୭୬୧୧୧୮
No comments:
Post a Comment