✍ତାପ୍ତିମୟୀ ପଣ୍ଡାମିଶ୍ର, ମେଲଛାମୁଣ୍ଡା ବରଗଡ ।।
କଲମ ମୁନରେ ପ୍ରଭୁ ଜଗନ୍ନାଥ
ଆସୁଥାଅ ଅବିରତ
ତବ କୃପାବାରୀ ବରଷା କରିବ
କରୁଅଛି ପ୍ରଣିପାତ ।।
ବରାହ ରୂପରେ ଦଶ ଅବତାରେ
ତୃତୀୟେ ନେଲ ହେ ଜନ୍ମ
ହିରାଣ୍ୟାକ୍ଷ ଠାରୁ ଭୂଦେବୀଙ୍କୁ ରକ୍ଷା
କରି ସ୍ଥାପିଲ ହେ ଧର୍ମ ।।
ପଦ୍ମ ପୁରାଣରେ ଅଛି ଯାହା ଲେଖା
କରୁଛି ଉପସ୍ଥାପନ
ଦୋଷା ଦୋଷ ମୋର ଧରିବେନି କେହି
କ୍ଷମିବେ ହେ ଶୁଦ୍ଧିଜନ ।।
ବୈକୁଣ୍ଠ ଧାମରେ ଜୟ ଓ ବିଜୟ
ନାମେ ଦ୍ବାରପାଳ ଦୁଇ
ଜଗିଥିଲେ ଦ୍ବାର ମହା ସାନନ୍ଦରେ
ବିଷ୍ଣୁଙ୍କର ଆଜ୍ଞା ବହୀ ।।
ଥରେ ସନକାଦି ଯୋଗୀଶ୍ବର ଋଷି
ଦର୍ଶନାଭିଳାଷି ହୋଇ
ଲକ୍ଷ୍ମୀ ନାରାୟଣେ ଇଚ୍ଛିଲେ ଦର୍ଶନେ
ବୈକୁଣ୍ଠ ଧାମକୁ ଯାଇ ।।
ଦ୍ବାରରେ ଭେଟିଲେ ଜୟ ଓ ବିଜୟ
ଯିବାକୁ ଚାହିଁଲେ ଋଷି
ଭିତରକୁ ଛାଡି ନ ଦେଇ ସେମାନେ
ତାତ୍ସଲ୍ୟରେ ଦେଲେ ହସି ।।
ଅଭଦ୍ରାମୀ ଦେଖି ଋଷି ସନକାଦି
ରାଗି ଅଭିଶାପ ଦେଲେ
ଦ୍ବାରପାଳ ଦୁହେଁ ଋଷି ଅଭିଶାପେ
ରାକ୍ଷସ ଯୋନି ଲଭିଲେ ।।
ଅଭିଶାପ ଯୋଗୁଁ କଶ୍ୟପ ଋଷିଙ୍କ
ପତ୍ନୀ ଦିତି ଗର୍ଭେ ଜାତ
ହେଲେ ଦୁହେଁ ଯାଇ ହିରାଣ୍ୟାକ୍ଷ ଆଉ
ହିରଣ୍ୟକସିପୁ ସୁତ ।।
ଅସୁର ପ୍ରକୃତି ଲଭିଲେ ଦୁହେଁ ଯେ
କଠୋର ତପସ୍ୟା କଲେ
ବ୍ରହ୍ମାଙ୍କୁ ପ୍ରସନ୍ନ ଧ୍ୟାନ ବଳେ କରି
ମହା ଶକ୍ତିଶାଳୀ ହେଲେ ।।
ହିରାଣ୍ୟାକ୍ଷ ନିଜ ଶକ୍ତିର ବଳରେ
ପୃଥିବୀକୁ ଟେକି ନେଲା
ଲୁଚାଇ ରଖିଲା ରସା ତଳେ ନେଇ
ଆତଙ୍କ ଯେ ମଚିଗଲା ।।
ଇନ୍ଦ୍ର, ବରୁଣ ଯେ ସର୍ବ ଦେବଗଣେ
ନମିଲେ ବିଷ୍ଣୁ ପୟର
ଉଦ୍ଧାର କରହେ ସର୍ବ ଜନ ମର୍ତ୍ତ୍ୟେ
ପଡିଅଛି ହାହାକାର ।।
ବ୍ରହ୍ମାଙ୍କ ନାସାରୁ ଜନ୍ମିଲେ ବିଷ୍ଣୁ ଯେ
ବିଶାଳ ରୂପକୁ ନେଇ
ବରାହ ରୂପରେ ଅବତାର ନେଲେ
ଦାନ୍ତରେ ଟେକିଲେ ମହୀ ।।
ହିରାଣ୍ୟାକ୍ଷ ଦେଖି ଆକ୍ରମଣ କଲା
ଗଦାରେ ପ୍ରହାର କରି
ଦୁହିଁଙ୍କ ମଧ୍ୟରେ ଘୋର ଯୁଦ୍ଧ ହେଲା
ଦୈତ୍ୟ ପାଇଁ ବିଷ୍ଣୁ ଭାରି ।।
ସୁଦର୍ଶନ ଚକ୍ରେ ଦୈତ୍ୟର ମୁଣ୍ଡକୁ
ଶ୍ବେତ ବରାହ ଛେଦିଲେ
ବିଶାଳ ଦାନ୍ତରେ ପୃଥିବୀ ଉଠାଇ
ଶେଷନାଗରେ ସ୍ଥାପିଲେ ।।
ସଂସାର ମଙ୍ଗଳ କରିବା ସକାଶେ
ମାଘ ଶୁକ୍ଳ ଦ୍ବାଦଶୀରେ
ଜନ୍ମିଲେ ବରାହ ରୂପୀ ଜଗନ୍ନାଥ
ନାଶିଣ ଦୈତ୍ୟ ଅସୁରେ ।।
ତାପ୍ତିର ବିନତି ଶୁଣିବ ଶ୍ରୀପତି
ଡାକୁଛି ଆକୁଳ ଚିତ୍ତେ
ରକ୍ଷାକର ଆଜ ଏ ମହୀ ମଣ୍ଡଳ
ଶରଣ ତୋ ପାଦଗତେ ।।
No comments:
Post a Comment