ପିମ୍ପୁଡ଼ିର ଧାଡ଼ି ଅହରହ ଚାଲିଛି
ବେଙ୍ଗ ମାନଙ୍କ ରଡ଼ିରେ ଧରା କମ୍ପୁଛି ।।
ଉଲ୍ଲାସରେ କୃଷକ କତି ମାରୁଛି
ବଗୁଲି ନାନି ପାଣିରୁ ଗୋଡ଼ କାଢ଼ୁନି ।।
ହେ ବରଷା ତମେ ଆସିଗଲ କି ?
ଗୋବର ପୋକଟା ଗଡି ଗଡି ଭିଜଇ
ପ୍ରେମିକ ଭଅଁର ଖାଲି ଘୁରି ବୁଲଇ ।।
ଓଦା କାଠ ରେ ବୋଉ ମୋ ଚୁଲି ଢାଳୁଛି
ଧୂଆଁ ରେ ଘର ମୋର ପଡୁଛି ଉଠୁଛି ।।
ହେ ବରଷା ତମେ ଆସିଗଲ କି ?
ଶସ୍ଯ ଶ୍ୟାମଳାରେ କ୍ଷେତ ଭରି ରହିଛି
ନିଆଁ ଲଗା ବନ୍ୟା ଦେଖ ମାଡି ଆସୁଛି ।।
ସାରୁ ପତରେ ପାଣି ହୁଏ ଟଳମଳ
ପଙ୍କରେ ଫୁଟିଛି ଦେଖ ନାଲି କମଳ ।।
ହେ ବରଷା ତମେ ଆସିଗଲ କି ?
ଚାଳ କଣା ଦେଇ ପାଣି ବେଶି ଗଳୁଛି
ଗାଁ ନଇରେ କୁଳ ଲଘିଂ ପାଣି ଯାଉଛି ।।
ନାଉରୀ ବୁଢ଼ାର ଦେଖ ଚିନ୍ତା ବଢ଼ଇ
ହାଉଲେ ହାଉଲେ ସେତ କାତ ମାରଇ ।।
ହେ ବରଷା ତମେ ଆସିଗଲ କି ?
ଧୀବର ଜାଲ ନେଇ ନଇକୁ ଯାଉଛି
ମାଛ ଖାଇବ ବୋଲି ତା’ ପୁଅ ଜଗିଛି ।।
ଶ୍ରାବଣର ଝଡି ବରଷା ଜମା କମୁନି
ବାଦଲ ଫଟା ମେଘ ଆକାଶୁ ଯାଉନି ।।
ହେ ବରଷା ତମେ ଆସିଗଲ କି ?
ଘନ ଘନ ବିଜୁଳି ଚମକେରେ ଭାଇ
ଗଛତଳେ ନ ରୁହନ୍ତି ମଇଁଷି, ଗାଇ ।।
ଝଡି ବରଷାରେ ହଳ ଯୋଖେ କୃଷକ
ବସି ଖାଉଥାଇ ଏ ସାରା ମୁଲକ ।।
ହେ ବରଷା ତମେ ଆସିଗଲ କି ?
ଦିନର ବରଷାକୁ ଭରସା ନ ହୁଅଇ
ଦିନର କୁଣିଆ, କୁଣିଆ ନୁହଁଇ ।।
ରାତିର ବରଷା ସହଯେ ନ ଛାଡଇ
ରାତିର କୁଣିଆ ଘରେ ବସା କରଇ ।।
ହେ ବରଷା ତମେ ଆସିଗଲ କି ?
ଜ୍ୟୋତିର୍ବିଦ୍ ମନୋଜ କୁମାର ପଟ୍ଟନାୟକ
ହିଞ୍ଜଳିକାଟୁ, ଗଞ୍ଜାମ
No comments:
Post a Comment