ଓଦା ଓଦା ଚଞ୍ଚଳ ପିଲାଦିନ
ହେଇ ଅଛି ହେଇ ନାହିଁ
ଚପଳ ଛନ୍ଦରେ ଜୀବନ
ଚାଲିଯାଏ ଛାଇ ଆଲୁଅର
ଅବୁଝା ନିରୋଳା ରାସ୍ତାରେ ।
ଏକଚକ ଗଡୁଥିଲା ଘର୍ଘର ନାଦରେ
ବେନି ଚକ ଦାମ୍ପତ୍ୟ ଜୀବନ
ତାତିଲା ଖରା ଧାସରେ
ପ୍ରଶ୍ନମୟ ହୃଦୟର ଘର ।
ଅନୁଭବ, ଅନୁଭୂତି, ଛକା ପଞ୍ଝା
ମାନ,ଅଭିମାନ, ଉଜୁଡା ବସାର
ବିଷାଦ, ସମ୍ଭାବନାର କଳିକା
ପ୍ରସ୍ତୁତ କୁସୁମରେ ରୂପାନ୍ତରିତ
ରୂପ ନେବା ପାଇଁ।
ତଥାପି ଖରା ପୋଉଁଥିବା
ଧଳା ଓ ଧୂସର ପଥର ଉପରେ
ଭଲ ସଂସାର ଗଢିବାର ପରିକଳ୍ପନା।
କଳ୍ପିତ ସଂସାର ଆକାଶର
ନୀଳ ସାମିଆନା ତଳେ
ଦୁଃଖ ,ସୁଖ,ଯନ୍ନଣାର
ମାଟି କାଦୁଅରେ ଚକଟି ଚକଟି
ଲେଖୁଥାଏ ଦାମ୍ପତ୍ୟ ଜୀବନର
ଅସୁମାରୀ ସ୍ୱପ୍ନ ପାଚିଲା ଧାନର
କବିତା, କେବେ କେବେ
ପ୍ରତିହିଂସାର ବହ୍ନି ଉଜୁଡା ଦାମ୍ପତ୍ୟ
ଜଳୁଥିବା ଡହ ଡହ ଆଖି ।
ଆର ଜନ୍ମକୁ କଥା ଦେଇଥିବା ମନ
ଆଶଙ୍କା ଦୋଳାରେ ଦୋହଳୁଥିବା
ଦିନ ରାତିର ଆଶା
ଜରା,ଯନ୍ତ୍ରଣା ,ବ୍ୟାଧିରେ ଜର୍ଜରିତ
ହୃଦୟର ମରୁଭୂମିରେ
ପାଦ ଚିହ୍ନ ଆଉ ନଥିବ
ମନେ ନଥିବ ରମଣୀୟ, ସ୍ମରଣୀୟ
ରାତିଟି ପାଇଁ
ସ୍ମରଣ ପଡିବ
ଶୀତଳ ମୃତ୍ୟୁ ପାଇଁ ।
ସୁନ୍ଦର ସଂସାରେ
ଷାଠିଏ ବର୍ଷିଆ ମାଆର
ଆତଙ୍କିତ ଆଖି ଥିବ
ଧାଇଁବାର ଚେଷ୍ଟାରେ
ବ୍ୟାକୁଳ ଓ ବ୍ୟଥିତ ହେଉଥିବ
ଜୀବନ,ଓଦା ଛଳଛଳ ପଲକରେ
ଅଧର କମ୍ପୁ ଥିବ
ଅନୂଭୂତିରେ ପାକଳ
କରୁଥିବ ଆୟୁଷ
ଇଛା ଅପହଞ୍ଚ ଆକାଶର
ପାହାନ୍ତି ତାରା ପାଲଟିବ
ପାଦରେ ଛନ୍ଦୁଥିବ
ମହାକାଳର ପଦ୍ମନାଡ
ସେତେବେଳେ କେବଳ
ଭଙ୍ଗା ବେହେଲାର ସ୍ୱର
ଶୁଭୁଥିବ ବାରମ୍ବାର
ସଂସାର କନ୍ଦୁଥିବ
ତୁହାଇ ତୁହାଇ ।
ଅଧ୍ୟାପକ
ଭଂଜନଗର, ଗଂଜାମ
No comments:
Post a Comment