✍ଶ୍ରୀ ଗଗନ କୁମାର ଦାଶ
ଚାରି ଛକର ବେଞ୍ଚରେ
ଅନେକ ଲୋକ ପ୍ରତୀକ୍ଷାରେ
କିଏ ଯାଏ
କିଏ ଆସେ
ମୁଁ କିନ୍ତୁ
ତା ଭିତରେ ଅନ୍ୟତମ
ମୁଁ ବସେ ପ୍ରତୀକ୍ଷାର ଆଶା ନେଇ
ଦିନ ରାତି
ଖରା ବର୍ଷା ଶୀତେ
ମୁଁ ଯାତ୍ରୀ ନୁହେଁ ।
ପ୍ରତୀକ୍ଷା,
ପାଇବାର ନିଶା
ଅପଲକ ଆଖିର
ଦେଖିବାର ଭାଷା
କେବଳ ଚାହେଁ ଯେମିତି
ନଇ ଆର ପାରିରେ
ଥିବା ଚକୋରୀକୁ
ଚକୋରର ପାଇବାର ଆଶା ।
ଦିବା ନିଶି ଜଣା ପଡେ ନାହିଁ
ଆଖିର ପିତୁଳାଟା
ଲାଳ ଟହଟହ ଟମାଟୋ
ପରି ଫୁଲିଯାଏ
ଶ୍ରାବଣର ବର୍ଷା ଭଲି
ଲୁହ ଝରି ଆସେ
ଏକାନ୍ତ ଲାଗେ
ଦୁନିଆଁର ଖୁସିରେ
ପ୍ରତୀକ୍ଷା ଟା
ରାତ୍ରିର ଜଗୁଆଳୀ ପରି।
ବନ୍ଧୁଙ୍କ ଫୁସଫାସ୍ କଥା
କ'ଣ ହୋଇଛି ?
କାହିଁକି ବସିଛ ?
କାହାର ପ୍ରତୀକ୍ଷା ?
ଏମିତି ଅନେକ
ପ୍ରଶ୍ନ ପରେ ପ୍ରଶ୍ନରେ
ବିରକ୍ତ ବିରକ୍ତ ଲାଗେ
ବନ୍ଧୁଙ୍କର କଥା।
ତଥାପି,
ମୁଁ ପ୍ରତୀକ୍ଷା କରେ
ମୋ ପ୍ରତୀକ୍ଷା ରେ
ପାଖ ପାନ ଦୋକାନୀ ର
ପାନ ସରିଯାଏ
ବିଡ଼ି ପାଇଁ ଡିଆସିଲ ଦେଇ
ବିରକ୍ତ ବି ହୁଏ
ବାକିଆ ଗରାଖର
ପୁଚୁରୁ ପୁଚୁରୁ ଭାଷାରେ ।
ତଥାପି,
ଗରାଖ ମୁଁ ତା'ର
ବେଶ୍ ଦି ପଇସା ପାଏ
ମାସର ଶେଷ ରେ
ତା ପ୍ରତୀକ୍ଷା ବି
ପାଇବା ଆଶାରେ
ସେ ମଧ୍ୟ ଜଗି ରହେ
ମୋର ପ୍ରତୀକ୍ଷା ଭିତରେ।
ସତରେ
ପ୍ରତୀକ୍ଷା ଟା
ବଡ଼ ସୁଖଦାୟୀ
ପ୍ରତୀକ୍ଷାର ଦୁଃଖଦ
ଅଭିଧାନ ଭିତରେ
ଆଖିର ଭାଷାରେ ।
ମାଁ ମାଣିକେଶ୍ଵରୀ ମନ୍ଦିର ସାହି
ମୋହନା, ଗଜପତି-୭୬୧୦୧୫
No comments:
Post a Comment