ଜ୍ୟୋତିର୍ବିଦ୍ ମନୋଜ କୁମାର ପଟ୍ଟନାୟକ
ଚମ ସାଙ୍କୁଡା ଦେହରେ, ପାକୁଆ ପାଟିର ଅଧରେ କିଛି କହି ସେ ହଜିଗଲା ମଶାଣି ଜୁଇରେ ।ଅର୍ଦ୍ଧାଙ୍ଗିନି ହୋଇ କଥା ଦେଇଥିଲା ରହିବ ସାଥିରେ କାଳ କାଳକୁ । ହେଲେ ଏ ବିଧାତା ନିଷ୍ଠୁର ହୋଇ ନେଇଗଲା ମୋ ମଣିମାଳା କୁ । ପିଲାଏ ସହରରେ ରହିଲେ ବହୁ ଦୂରରେ, ଏକାକୀ ମଣିଷ ଦିନ ଗଣୁ ଗଣୁ ଚାହିଁ ରହିଥାଏ ରାତିରେ । ଅଧମ ଜୀବନ ଗଲା ନାହିଁ କାହିଁକି ପିଲାଏ ନାହାନ୍ତି ପାଖରେ । ଦେଖିବା ଚଷମାଟା ପିନ୍ଧି ଚିଠି ଖଣ୍ଡେ ଲେଖିବି ମୋ କୁନା ଉଦ୍ଦେଶ୍ୟରେ । ହେଲେ ମୋ ଅସୁବିଧାକୁ ଚିଠିରେ ପଢି ସେ ଭାଙ୍ଗି ପଡିବ କି ? ବୃଦ୍ଧ କାଳର ପ୍ରଥମ ଚିଠି ତାର କିଛି ଅସୁବିଧା କରିବ କି ? କିଇ ଚିଠି ପାଇ ଚାଲି ଆସି ମୋତେ ନେଇଯିବ ଓ ନାତି ନାତୁଣୀଙ୍କ ମେଳରେ ମୋ ଦିନ କଟିବ । ଏମିତି ବହୁ କଥା ମନରେ ଆସିବାରୁ ଅଭିମାନ କରି ଚିଠିଟା ମଶିଣା ଉପରେ ଛାଡି ଉଠି ପଡିଲି । ପୁଅ ବୋହୁର ଘର, ଆମର ତ ବେଳ ଗଲାଣି ତେଣୁ ଚିଠି ଲେଖି ସେମାନଙ୍କ ସୁଖକୁ ମୁଁ ନଷ୍ଟ କରିବା ଠିକ୍ ନୁହେଁ । ବାପା ହିସାବରେ ତାଙ୍କ ଭଲ ମନ୍ଦ ପଚାରି ବୁଝିବି । ମଣି ତ ଚାଲିଗଲା ମୁଁ ବା ଆଉ କେତେଦିନ ବଞ୍ଚିବି ? ତେଣୁ ଯାହା ହେଲେ ବି ତା’ ମାଆର ଖବରଟା ଦେଇ ଦେବା ଭଲ । ଆରେ ବାବୁ କୁନା ମୋର ଆଶୀର୍ବାଦ ନେବୁ । ବୋହୁ ଓ ପିଲାମାନଙ୍କୁ ମୋର ଆଶୀର୍ବାଦ ଜଣାଇ ଦେବୁ । ମୋର ଲେଖି ଜଣାଇବାର କାରଣ ଯେ ତୁ ବ୍ୟସ୍ତ ହବୁନି କି ମାଆକୁ ଖୋଜି ପିଲାମାନଙ୍କୁ ଏକୁଟିଆ ଛାଡି ଚାଲି ଆସିବୁନି । ତୋ ମାଆ ମଲାବେଳକୁ ତୋତେ ମନେ ପକାଉଥିଲା । ଜାଲି ଚଟୁ ଭଳି ମୁଟୁ ମୁଟୁ କରି ଦୁଆରକୁ ଚାହିଁ ରହିଥିଲା ହେଲେ ତୁ’ତ ଆସିଲୁନୁ, ସେ ଆରପାରିକୁ ଚାଲିଗଲା । ତୁ ସେଥିପାଇଁ ମନ ଦୁଃଖ କରନା । ମୋର ଏ ପ୍ରଥମ ଚିଠିରେ ତୋ ପାଇଁ କିଛି ଅଭିପ୍ରାୟ ନାହିଁ କି ମୋତେ ଭୂଲ ବୁଝିବୁନି ।ତୁ ଯେବେ ମନେକରି ଗାଁ କୁ ଆସିବୁ ମୋ ପାଇଁ ଚଷମା ଖଣ୍ଡେ ଓ ଭଲ ଗାମୁଛା ଦୁଇଟି କିଣି ଦେବୁ । କାହିଁକି ନା ମୋତେ ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତାଟା ଆଉ ଅଣ୍ଟୁ ନାହିଁ । ମଣି କହୁଥିଲା ତା ଝୁଅ ପାଖକୁ ଯାଇ ବୁଲି ଆସିବୁ । ମନ ଦୁଃଖ କରି କାନ୍ଦିବୁନି ତୋ ଦେହ ଖରାପ ହେବ । ତାର ଅସ୍ଥି ବଗିଚାରେ ପୋତିଛି ଯଦି ପାରିବୁ ଗଙ୍ଗାରେ ପକାଇ ତାକୁ ମୁକ୍ତି କରାଇବୁ ।ମତେ ତ ଦିଶୁନି ପଡିଶା ଘର ତୋ ସଙ୍ଗାତ ଭାଇ ଏ ଚିଠିଟି ଲେଖି ଦେଉଛି ।ତୋ ପାଇଁ ମୋ ଜୀବନର ଏହା ପ୍ରଥମ ଚିଠି ହେଲେ ମଧ୍ୟ ମୁଁ ଲେଖି ପାରୁନି ତେଣୁ ଏହା ମତେ ଦୁଃଖ ଲାଗୁଛି । ଏ ଟୋକାଟା ଭଲ ଅକ୍ଷରରେ ଚିଠିଟା ଲେଖି ପାରୁନି ତାକୁ ପଢି ନପାରିଲେ ତୁ ଚିରି ଫିଙ୍ଗି ଦେବୁ । କାହିଁକି ନା ମୋର ପ୍ରଥମ ଚିଠି ପଢିବା ଲୋକ ତୋ ବୋଉ ମତେ ଏକା କରି ଚାଲିଗଲାନି ତ, ଆଖିରେ ଆଞୁଳାଏ ଲୁହ ଦେଇଗଲା । ହଉ ଯେଉଁଠି ଅଛି ଖୁସିରେ ଥାଉ । ଆଉ ତୁ ଭାବିବୁନି ମୁଁ ବୁଢା ହେଇଗଲି ବୋଲି ତୋର ଆବଶ୍ୟକତା ଲୋଡିବି ଓ ତୋ ଉପରେ ବାପାର ଆଧିପତ୍ୟ ବିସ୍ତାର କରିବି । ତୁ ଭଲରେ ଥା ଏବଂ ତୋ ଜୀବନରେ ବହୁ ଆଗକୁ ଯାଆ । ଭଗବାନ ତୋର ମଙ୍ଗଳ କରନ୍ତୁ ।
ତୋ ବାପା ଅଭିମନ୍ୟୁ
ହିଞ୍ଜିଳିକାଟୁ, ଗଞ୍ଜାମ
No comments:
Post a Comment