Saturday, September 19, 2020

👫👫👫କୁନା କୁନି ପାଇଁ କୁନି କବିତା 👫👫👫👫

୧.ଚିକିଲ୍ ଚିକା 

ଇକିଲ୍ ମିକିଲ୍ ଚିକିଲ୍ ଚିକା

ମୂଷା ନାହିଁ ମୂଷି ଖେଳୁଛି ଏକା    ।


ବିଲେଇଟେ କାହୁଁ ଆଇଲା ଧାଇଁ 

ମୂଷିକୁ ଦେଖିଣ ରହିଲା ଚାହିଁ    ।


ଏତେ ବଡ ଜୀବ ଦେଖି ନ ଥିଲା

ଏକଲୟେ ମୂଷି ଚାହିଁ ରହିଲା    ।


ଖୁଦ ଧରି ମୂଷା ତକ୍ଷଣେ ଠିଆ 

ବିଲେଇକୁ ଦେଖି ହଜିଲା ହିଆ   ।


ବିନୟେ ମୂଷା ଛାଡି ଦିଅ କହିଲା 

ଦୟାଳୁ ବିଲେଇ ଦୂରେଇ ଗଲା   ।


୨.ଉଲା ଉଲୁକ 

ଉଡି ଉଡିକା  ଉଲା ଉଲୁକ

     ଗାଆଁକୁ ଛାଡି ଆସିଲା 

ଉଚ୍ଚ ଡାଳରେ  ପତର ପାଖେ

      ଥିଇରି ଯାଇ ବସିଲା  ।

ଉଦୁଉଦିଆ     ଖରାବେଳରେ

       ଉଡାଜାହାଜ ଉଡିଲା

ଉଲା ଉଲୁକ ଉଲ୍ କା ଭାବି

       ଉଡି ଉଡି ପଳାଇଲା  ।


୩.ପିଇବା ଛାଣି 


ସର ସର ଗଡେ ସାଇକେଲ 

      ତର ତର ହେଲା ମାଇକେଲ

ଗର ଗର ଗରଜେ ଜେଜେ

       ହର ବର ବଚନ ହେଜେ   ।

ଫର ଫର ଆକାଶେ ନେତ

         ଖର ଖର ଗାଇବା ଗୀତ

ଘର  ଘର ଉଡେ ଜାହାଜ

          ଚର  ଚର ଚିରେ କାଗଜ  ।

ଝର ଝର ଝରଇ ପାଣି

          ଆସରେ ପିଇବା ଛାଣି   ।


୪.କୁନା କୁନି କଥା 


ଖରା ହୋଇଲା ଟାଇଁ ଟାଇଁ 

       ପବନ ବୋହିଲା ସାଇଁ ସାଇଁ 

କୁନା ଆସିଲା ଧାଇଁ ଧାଇଁ 

         ପାଣି ଟୋପାଏ ପିଇବା  ପାଇଁ   । 


କୁନି ଡାକିଲା  ମାଇଁ ମାଇଁ

         ଚକା ଭଉଁରୀ ଖେଳିବା ପାଇଁ 

ଘୁରିଲା ମୁନି ଘାଇଁ ଘାଇଁ

         ପୃଥିବୀ ପରିକା ସାଇଁ ସାଇଁ  ।


୫.କଲରା ଗୋଲି

କାଆ କାଆ ରାବ ଶୁଭୁନି ଆଉ

କମଳ ଘୋଡେଇ ଶୋଇଛି କାଉ   ।


କଜଳପାତିଟି ହେଲା କାତର

କଳା କାଉ ଦେହେ ଭୀଷଣ ଜର  ।


କାହାକୁ ନ ଚାହିଁ ଗଲା ସେ ଧାଇଁ 

କବିରାଜକୁ ଡାକି ଆଣିବା ପାଇଁ  ।


କଳାଭାଲୁ କଳାପେଢିଟି ଖୋଲି

କହିଲା ଖାଇବୁ କଲରା ଗୋଲି     ।


କଲରା ନାଆଁରେ ଛାଡିଲା ଜର

କଳା କାଉ ଗଲା ବସାକୁ ତା'ର   । 



No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy