✍କଳ୍ପନା ରାୟ
ମୁରାରୀ ବାବୁଙ୍କ ବସ୍ କହିଲେ ଗାଁ ର ଡାକ, କୋରିଅର୍ ସେବା- ଆପଣ ଯାହା କହି ପାରନ୍ତି । କିଏ ନିଜ ଲୋକ ପାଖକୁ ଟଙ୍କା ପଠାନ୍ତି ତ ଆଉ କିଏ ପିଲା ପାଖକୁ ତାର ଆବଶ୍ୟକ/ଭଲପାଉଥିବା ଖାଦ୍ୟ । କାହାକୁ ମନା କରିନାହାନ୍ତି କେଵେ ବା ପଇସା ଜୁଲମ କରି ନାହାନ୍ତି ।
ମୁରାରୀରୁ ମୁରାରୀବାବୁ ହୋଇଛନ୍ତି ସେ । ନାମ ମୁରାରୀମୋହନ ମିଶ୍ର । ସ୍କୁଲ ରେ ପାଠ ପଢ଼ିଲା ବେଳେ ପାଠପଢା ରେ ମନ ନ ଦେଇ ଅନ୍ୟ ଆଡ଼େ ବେଶୀ ଧ୍ୟାନ ଦେଉଥିଲେ । ପାଠ ସିନା ଭଲ ପଢୁ ନ ଥିଲେ କିନ୍ତୁ ସମସ୍ତ ଙ୍କ ଅସମୟରେ ଛିଡ଼ା ହେଉଥିଲେ । ବାପାମାଆଙ୍କ ଏକମାତ୍ର ପୁତ୍ର ମୁରାରୀ ।
ମାଟ୍ରିକ ପରୀକ୍ଷା ପରେ ସେ ଗୋଟିଏ ଗ୍ୟାରେଜ ରେ କାମ କଲେ । ବାପା ବେଲପାହାଡ଼ର କୁଲିଆରୀରେ କାମ କରୁଥିଲେ । ପାଠ ଭଲ ନ ପଢିଲେ ପାଠ ପଢ଼ିବ କାହିଁକି ?? ବରଂ ଛୋଟ ବେଳୁ କାମ ଶିଖିଲେ ଭଲ । ମାଆଙ୍କର ଇଛା ଭିନ୍ନ ଥିଲେ ବି ବାପପୁଅ ଙ୍କ ଇଛାକୁ ସମ୍ମାନ ଦେଇ ଥିଲେ ।
ଏମିତି ଏମିତି ମୁରାରୀ ବର୍ଷ କେତୁଟାରେ ଜଣେ ଭଲ ମେକାନିକ଼ ବନିଗଲେ । ସବୁ ସମୟରେ ଲୋକ ମୁରାରୀ ବାବୁଙ୍କୁ ଖୋଜିଲେ ।
ଅବସର ପରେ ବାପା ପୁଅର ଇଚ୍ଛା ଜାଣି କିଛି ଟଙ୍କା ଦେଇଥିଲେ ଓ ମୁରାରୀ ବାବୁ ନିଜ ରୋଜଗାର ଟଙ୍କା ମିଶାଇ ଗୋଟିଏ ବସ୍ କିଣିଥିଲେ । ବସ୍ ଭଲ ଚାଲିବାରୁ ଆଉ ଦୁଇଟି ବସ୍ କିଣିଥିଲେ ଟଙ୍କା ରଖି ରଖି ।
ବସ୍ ଗୁଡ଼ିକ ଖୁବ୍ ଭଲ ରୋଜଗାର ଦେଉଥିଲା । ବାହା ହୋଇ ପୁଅ ଓ ଝିଅ ଭୁବନେଶ୍ୱର ରେ ପଢୁଥିଲେ । ବାପାମାଆ ପୁଅଝିଅ ଓ ସ୍ତ୍ରୀ କୁ ନେଇ ତାଙ୍କ ସଂସାର । ସଂସାର ଖୁବ୍ ଭଲ ରେ ଚାଲୁଥିଲା । ଆସିଲା ମହାମାରୀ ଭୁତାଣୁ । ଲକ୍ ଡାଉନ୍, ସଟ୍ ଡାଉନ୍ । ଯାହା ଦେଖି ନ ଥିଲା ମଣିଷ ତାହା ହିଁ ହେଲା । ବସ୍ ବନ୍ଦ ।
ବସ୍ ର କର୍ମଚାରୀମାନେ ବି ବେଳେବେଳେ ସାହାଯ୍ୟ ମାଗୁଥିଲେ । ସାହାଯ୍ୟ କରିବାକୁ ଟଙ୍କା ନ ଥିଲେ ବି ସାହାଯ୍ୟ କରିବା ତାଙ୍କର ଦାୟିତ୍ଵ ଭିତରେ ଥିଲା। କାରଣ ସେମାନଙ୍କ ଗୁଜୁରାଣ ଏହି ବସ୍ ।
ଦିନରୁ ମାସ, ମାସ ପରେ ମାସ ଏହା ଚାଲୁ ରହିଲା । ବାପାମାଆ ବାର୍ଦ୍ଧକ୍ୟରେ ଥିଲେ । ସେମାନଙ୍କ ଏକ ଔଷଧ ଖର୍ଚ୍ଚ ତା ସହିତ ପିଲାଙ୍କ ଖର୍ଚ୍ଚ ବି ଥିଲା । ମହାମାରୀ ତାର କାୟା ବିସ୍ତାର କରି ଚାଲିଥିଲା। ବସ୍ କେବେ ଚାଲିବ ତାର ଆକାର ପ୍ରକାର ଜଣା ପଡୁ ନ ଥିଲା ।
ଏଥିର ମୁରାରୀ ବାବୁ ଚାଲିଲେ ସେଇ ପୁରୁଣା କାମ, ଗ୍ୟାରେଜ ।ଦିନକୁ ପାଞ୍ଚ ଶହ ଟଙ୍କା । ସଂସାର ଠିକ୍ ରେ ନ ଚଳିଲେ ବି ଚଳିଯାଉଥିଲା କଷ୍ଟେମଷ୍ଟେ । ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ ନ୍ୟାୟ ରେ । ବସ୍ ମାଲିକ ସଂଘ ର ପ୍ରତ୍ୟେକ ସଦସ୍ୟ ଭ୍ରୁକୁଞ୍ଚିତ କରି ଥିଲେ ମୁରାରୀବାବୁଙ୍କୁ ଦେଖି । କେହି କେହି କହି ବି ପକାଇ ଥିଲେ । ମୁରାରୀ ବାବୁ କିନ୍ତୁ କହିଥିଲେ ମୁଁ ତ ଚୋରି କରୁନି, ତା ଛଡା ମୋ ଉପରେ ମୋ ପରିବାରର ଦାୟିତ୍ବ, ବାପାମାଆଙ୍କ ଔଷଧର ଦାୟିତ୍ଵ, ପୁଅଝିଅ ଙ୍କ ପାଠପଢ଼ାର ଦାୟିତ୍ଵ । ଏତେ ସବୁ ଦାୟିତ୍ଵ ଭିତରେ ଥାଇ ମୁଁ ଚୁପ୍ ଚାପ୍ ବସିବା ସମ୍ଭବ ନୁହେଁ । ଏତେ ଦାୟିତ୍ବ ରୁ ମୁଁ ମୁହଁଲୁଚା ଦେଇ ପାରିବିନି । କାମ ଜାଣି ଥାଉ ଥାଉ ପେଟ ଅପୋଷା ରହିବ କାହିଁକି ??
କିନ୍ତୁ କାମ ଶିଖି ନ ଥିବା ବାବୁ ବସ୍ ମାଲିକମାନେ ଧିରେଧିରେ ସେ କଥାର ସତ୍ୟତା ଉପଲବ୍ଧି କରୁଥିଲେ । କାମ ଛୋଟ ବା ବଡ ନୁହେଁ ବୋଲି ହୃଦୟଙ୍ଗମ କରୁଥିଲେ । କିନ୍ତୁ ସେମାନେ ତ ବାବୁ ଥିଲେ ନା !! ଦାୟିତ୍ଵ ର ବୋଝ ତଳେ ଚାପିହୋଇ କେହି କେହି ଘର, ଜମି, ଗହଣା ବନ୍ଧା ପକାଉଥିଲେ ବା ବିକୁଥିଲେ । ମୁରାରୀବାବୁଙ୍କୁ ସାଲ୍ୟୁଟ୍ କରୁଥିଲେ ମନେ ମନେ । ମହାମାରୀ ଥମିବାର ନାଁ ନେଉ ନ ଥିଲା ।
ବେଶ୍ ଖୁସି ରେ ଗ୍ୟାରେଜ ରେ କାମ କରି ନିଜ ଦାୟିତ୍ୱ ସଂପନ୍ନ କରୁଥିଲେ ମୁରାରୀ ମିଶ୍ର।
କଳ୍ପନା ରାୟ, ଲଇଡା, ସମ୍ବଲପୁର
No comments:
Post a Comment