✍ଶିଶିର କୁମାର ସ୍ଵାଇଁ
ଗର୍ବରେ ସିନା କହେ ମୁଁ ଓଡ଼ିଆ
ଚାପି ରଖି ସତ କଥା,
ଅପ୍ରିୟ ସତ୍ୟକୁ କିଏ କହିଦେଲେ
ଲଜ୍ଜାରେ ଘୂରଇ ମଥା II
ବ୍ୟଙ୍ଗ କବିତାର ପ୍ରମୁଖ ଆଧାର
ଆଜି ଏ ଓଡ଼ିଶା ମାଟି,
ଓଡ଼ିଆ ପୁଅର ଚାଲି ଚଳଣିକୁ
ନେଇ ଜମିଥାଏ ଖଟି II
ବୀର ଜାତି ବୋଲି ଗର୍ବ ଥିଲା ଦିନେ
ଥିଲା ଏକତାର ବଳ,
ମାଗଣା ଖାଇବା ଶିଖି ଯେ ଓଡ଼ିଆ
ହୋଇଛି ଆଜି ଦୁର୍ବଳ II
ବ୍ୟଞ୍ଜନ ଗିନାଏ ମାଗିକି ଖାଇଲେ
ମନ କି ବୁଝିବ ଭାଇ,
କଣ୍ଟି ଧରି ଯେଉଁ ଶାନ୍ତି ମିଳୁଥିଲା
ଟଙ୍କାକିଆ ଦ୍ରବ୍ଯେ କାହିଁ II
ନେତାଙ୍କ ପଛରେ ନେତ ଧରି ଗଲେ
ମିଳିବ କି ସ୍ଵାଧୀନତା,
ସ୍ଵାଧୀନତା ପରା ଜନ୍ମ ଅଧିକାର
ଭୁଲି ଯାଇଛ ସେ କଥା II
ଓଡ଼ିଆ ଭାଷାରେ କଥା କହିବାକୁ
ଓଡ଼ିଆ କରୁଛି ଲାଜ,
ଅଭିନନ୍ଦନ ଓ ଶୁଭେଚ୍ଛା ଭୁଲି ଯେ
ପାଳୁଛନ୍ତି ହାପି ରଜ II
ବିଷୁବ ସଂକ୍ରାନ୍ତି ଭୁଲି ସେ ଓଡ଼ିଆ
ପାଳୁଛି ନିୟୁ ଇଅର୍ ,
ମାଆ ହାତ ଗଢା ପିଠା ପଣା ତେଜି
ଗିଳେ ଚିକେନ୍ ବିୟର୍ II
ଦାଦନ ଖଟିବ ସିନା ଏ ଓଡ଼ିଆ
ଯିବ ନାହିଁ ବିଲ ମାଳକୁ ,
ରିଲିଫ ମିଳିବା ଆଶାରେ ପରା
ଭାଙ୍ଗଇ ନିଜ ଚାଳକୁ II
ଓଡ଼ିଆ ଆମର ବହୁତ ଚତୁର
ବାଡିପଟ କୋଠା ଘର,
ଇନ୍ଦିରା ଆବାସ ପାଇବା ଆଶାରେ
ଚାଳଘରେ କାରବାର II
ସୁଜଳା ସୁଫଳା ଓଡ଼ିଶା ମାଟି ତ
ପ୍ରକୃତି ପ୍ରେମୀ ମଣିଷ,
ରକ୍ଷକ ଭକ୍ଷକ ମଧୁ ଚନ୍ଦ୍ରିକାରେ
ଜଙ୍ଗଲ ହେଲାଣି ଶେଷ II
ସ୍ଵଚ୍ଛତାରେ ପରା ସବୁଠି ଆଗରେ
ପାଇଛୁ ତ ପୁରସ୍କାର,
ବାହାର ପଡ଼ିଆ ଶଉଚ ବଢ଼ିଆ
ଥାଉ ପାଇଖାନା ଘର II
ଓଡ଼ିଆ ଡାକ୍ତର ନର୍ସିଂ ହୋମ୍ ରେ ଯେ
କରନ୍ତି ଚିକିତ୍ସା ବଢ଼ିଆ,
ସରକାରୀ ମେଡିକାଲରୁ ଫେରଇ
ରୋଗୀ ଶ୍ମଶାନ ପଡ଼ିଆ II
ଓଡ଼ିଶା ରାଇଜ ଶିକ୍ଷା ବ୍ୟବସ୍ଥାରେ
କେତେ ଯେ ଅଜବ ନୀତି,
ସତ କହିଦେଲେ ଦଫା ଲାଗିଯିବ
ଭୟରେ ଆସୁଛି ତାତି II
ବାପା ମାଆ ମୋର ବୃଦ୍ଧାଶ୍ରମେ ଥା'ନ୍ତୁ
ଡାଡି ମମ୍ମି ଭାରି ବଢ଼ିଆ,
କହଇ ଶିଶିର ଲାଜ ନାହିଁ ମୋର
ମୁଁ ହତଭାଗା ଓଡ଼ିଆ II
ଗଞ୍ଜାମ
No comments:
Post a Comment