Tuesday, September 15, 2020

ଅଛିଣ୍ଡା କଥା

ଶିଶିର କୁମାର ସ୍ଵାଇଁ

ଏ ତ ଓଡ଼ିଆ ଘରର କଥା

ବାପା  ପୁଅ ମଧ୍ୟରେ 

ମାଆ  ବାପା ମଧ୍ୟରେ

ଭାଇ ଭଉଣୀ ମଧ୍ୟରେ

ଦାଦା ଖୁଡ଼ି ମଧ୍ୟରେ

ମାଆ ପୁଅ ମଧ୍ୟରେ

ବାପା ଝିଅ ମଧ୍ୟରେ

ଜେଜେ ନାତି ମଧ୍ୟରେ 

ବାନ୍ଧୁ ବନ୍ଧୁ ମଧ୍ୟରେ

ଶତ୍ରୁ ଶତ୍ରୁ ମଧ୍ୟରେ

ସ୍ଵାମୀ ସ୍ତ୍ରୀ ମଧ୍ୟରେ

ପ୍ରେମିକ ପ୍ରେମିକା ମଧ୍ୟରେ

ଗୁରୁ ଶିଷ୍ୟ ମଧ୍ୟରେ 

ଦିନରେ, ରାତିରେ

ସକାଳେ ସନ୍ଧ୍ୟାରେ

ସୀମା ସରହଦ ହୀନ କଥା

ଭାଙ୍ଗେ ସବୁ ନୀରବତା

ଏ ତ ଓଡ଼ିଆ ଘରର

ଅଛିଣ୍ଡା କଥା II

ଭାତ ଥାଳିରୁ ଆରମ୍ଭ ହୋଇ

କେତେ ଆଡେ ଯାଏ ଧାଇଁ

ନଥାଏ ତା ପତ୍ତା

ଏ ତ ପ୍ରତି ଓଡ଼ିଆର

ଅଛିଣ୍ଡା କଥା  II

ହେଇ ଶୁଣୁଛ

ଭାତ ସବୁ ଆଜି ଟାଣ ଅଛି

ବୋଧେ ପାଣି ଠିକ୍ ନାହିଁ,

ସେଇ ପାଣି ପରା ରଘୁ ସାହୁ

କୂଅ ପାଣି,

ରଘୁ ସାହୁ ଭାରି ଚତୁର ଲୋକ

ଜ୍ଵାଇଁ ପୁଅ ତା'ର ଭାରି ଚତୁର,

ହେଇ ଆମ ଝିଅ ପାଇଁ

ଜ୍ଵାଇଁଟିଏ ଦେଖୁନ 

ପୁଅ ବି ଆମ ବଡ଼ ହୋଇ ଗଲାଣି

ପୁଅ କଥାରୁ ମନେ ପଡ଼ିଲା

ମିଶ୍ର ଘର ପୁଅ

ପୋଲିସ୍ ଚାକିରି ପାଇଛି

କୁହନି କୁହନି 

ପୋଲିସ୍ ଗୁଡା ଆଜି କାଲି

ଉଦ୍ଧତ ହେଲେଣି

କାଲି ପରା ମୋ ଠାରୁ

ମାଗୁଥିଲେ ଫାଇନ୍ 

ଫାଇନ୍ ଦେଇଛି 

ସେ ଚାଷୀ ଘର ପୁଅ ,

ଯିଏ ବ୍ରାହ୍ମଣ ଝିଅକୁ ନେଇ

ଫେରାର ହୋଇଥିଲା

ବ୍ରାହ୍ମଣ କାଲି କହି ଯାଇଛନ୍ତି

ଆସନ୍ତା ବୁଧବାର 

ବାପାଙ୍କ ଶ୍ରାଦ୍ଧ ବୋଲି,

ବାପା ମୋର ଭାରି ସ୍ନେହୀ

ବେଳେ ବେଳେ ବି ରାଗିଯାଇ 

ବେତର ପାହାରେ ରାଗ

ଦିଅନ୍ତି ଶୁଝାଇ ,

ବେତର ଚଉକି ମିଳେ

କଟକ ବାଲି ଯାତ୍ରାରେ 

ଏ ବର୍ଷ କଟକ ଯିବା

ଦଶରା ଭଷାଣୀ ଦେଖି

କେତେ ଗହଳି,

ଗହଳି ତ ହୁଏ

ଆମ ଗାଁ ଠାକୁରାଣୀ ମନ୍ଦିରରେ

ପଡୁଥାନ୍ତି ବଳି 

କେତେ ଛାଗ ଛେଳି

ଏ ଭାଇ,

ଦେଖେ ଦେଖେ

ଛେଳି ଖାଇ ଗଲାଣି

ଆମ କଖାରୁ ଗଛ,

ଗଛ ଆମ ବନ୍ଧୁ.....

.............

..........

ଏମିତି ବଢୁଥାଏ କଥା

ସରିବାର ନ ଥାଏ ରାସ୍ତା,

ଧୀରେ ଧୀରେ ମୁଦି ହୋଇ

ଆସେ ଆଖି ପତା ,

ଶୁଣି ଶୁଣି

ଓଡ଼ିଆ ଘରର

ଅଛିଣ୍ଡା କଥା..... II




No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy