✍Basanti jena
ଆଷାଢ଼ ଆକାଶେ ନୀଳାକାଶେ ଦିଶେ
ମେଳା ଭସା ବାଦଲର
ତୁମକୁ ଦେଖି ମୁଁ କେତେ କଥା ଭାବେ
ପ୍ରିୟ କାହିଁ ଗଲ ଦୂର l1l
ଭସା ବାଦଲର ଲୁଚକାଳି ସାଥେ
ମୋ ମନ ତୁମକୁ ଖୋଜେ
ତୁମ ସ୍ନେହ ପ୍ରୀତି ମନେ ପଡି ଯାଏ
ଶ୍ରାବଣ ଧାରାରେ ଭିଜେ l2l
କଳା ଧଳା ହୋଇ ଭସା ବାଦଲଟା
କ୍ଷିପ୍ର ଧୀରେ ଯାଏ ଚାଲି
ବାଦଲ ଶିକ୍ଷାରେ କାହିଁକି ପଡ଼ିଲ
ଚାଲି ଗଲ ମୋତେ ଭୁଲି l 3l
ମେଘୁଆ ଆକାଶୁ ମୁକ୍ତା ଝରି ପଡେ
ଭୂମିରେ ଖେଳଇ ଢେଉ
ସତ କୁହ ପ୍ରିୟ କେବେ ଲେଉଟିବ
ଖାଅ ନାହିଁ ଏତେ ଭାଉ l 4l
ଶୀତୁଆ ରାତ୍ରିରେ ଭାରି ମନେ ପଡ଼
ସ୍ବପ୍ନରେ ଆସୁଛ ନିତି
ନିଦ ଭାଙ୍ଗିଗଲେ ଖାଲି ଖାଲି ଲାଗେ
ଛାତି ହୁଏତ କରତି l 5l
ଆଷାଢ଼ ଶ୍ରାବଣ ବର୍ଷା ଜଳ ପାଇ
କଦମ୍ବ ଫୁଟି ହସୁଛି
ତୁମ ବାହୁ ସ୍ପର୍ଶ କେବେ ମୁଁ ପାଇବି
ପ୍ରତି ଦିନ ଭାବୁଅଛି l 6l
ଅନ୍ତରର ବ୍ୟଥା ଅନ୍ତରେ ମରୁଛି
କାହା ଆଗେ ପାରେନା କହି
ଲୁଚାଇ ଲୁଚାଇ ଲୁହ ଝରାଉଛି
ତୁମେ କି ପାରୁଛ ସହି l 7l
କି କାମରେ ଏତେ ଲାଗି ରହିଅଛ
ମନେ କି ମୁଁ ପଡେ ନାହିଁ
ଦଗା ଦିଆ ହୋଇ ଭୁଲି ଯିବନି ତ
ନ ପାରିବି ମୁହିଁ ସହି l 8l
ଭସା ବାଦଲରେ ଚିଠି ନେଇ ଯିବୁ
ପ୍ରିୟକୁ ଦେବୁ ତୁ ହାତେ
ମନ ମନ୍ଦିରରେ ସାଇତି ରଖିଛି
ତାଙ୍କରି ସ୍ମୃତିକୁ ଯେତେ l 9l
କହିବୁ ବାଦଲ ପ୍ରିୟକୁ ମୋହର
ସଅଳ ଉଠି ଆସିବେ
ତାଙ୍କୁ ଝୁରି ଝୁରି କ୍ଷୀଣ ମୋର ତନୁ
ମନ କଥାତ ବୁଝିବେ l 10l
No comments:
Post a Comment