Saturday, September 12, 2020

ରାମ ଜନ୍ମଭୂମି

ଖସିପଡ଼େ ଆକାଶରୁ ତାରାଫୁଲ

ନିତି ନିତି ଯା'ର ଦେହରେ

ରାମଜନ୍ମ ଭୂମି ଅଯୋଧ୍ୟା ନଗରୀ

ପବିତ୍ର ଭାରତ ଭୁଇଁରେ          ।।


ସୂର୍ଯ୍ୟବଂଶୀ ରାଜା ଦଶରଥ ଙ୍କର

ଜ୍ୟେଷ୍ଠ ପୁତ୍ର ରାମଚନ୍ଦ୍ର

ସ୍ୱୟଂ ଭଗବାନଙ୍କର ଅବତାର

ପୂଜନ୍ତି ଯେ ଇନ୍ଦ୍ର ଚନ୍ଦ୍ର            ।।


ଧନ୍ୟ ଅଟଇ ଅଯୋଧ୍ୟା ନଗରୀ

ଶ୍ରୀରାମଙ୍କୁ କୋଳେ ଧରି

ସୃଷ୍ଟିର ମଙ୍ଗଳ ପାଇଁ ଯେ ବିଧାତା

ଗଲେ ବନବାସେ ଚଳି           ।।


ମଙ୍ଗଳ ମୂର୍ତ୍ତି ସେ ଅମଙ୍ଗଳ ହରି

ସୁକୋମଳ ପାଦ କଣ୍ଟା ପଥରେ

ରାଜ ଉଆସର ସୁଖ ତେଜି ପ୍ରଭୁ

ଚଉଦବର୍ଷ କାଟିଲେ ବଣରେ     ।।


ଲୀଳାମୟଙ୍କର ଲୀଳା ଯେ ଅମୃତ

ନିଜେ ରଚିଥାନ୍ତି ଭକତ ବନ୍ଧୁ

ମହିମାମଣ୍ଡିତ ସେଇ ଧୂଳିମାଟି

ପାଦଧୁଏ ନୀଳ ସପତ ସିନ୍ଧୁ         ।।


ରାବଣ ନିଧନ ଦୁଷ୍ଟ ବିନାଶନ

ସନ୍ଥ ପାଳନରେ ସଦା ଯେ ମତି

ରଘୁକୁଳ ନନ୍ଦନ ରାଜୀଵଲୋଚନ

ମାତା କୃପାମୟୀ ସେ ସୀତା ସତୀ     ।।


ରାଜୀବଲୋଚନ  କୋଦଣ୍ଡ ଧାରୀ ହେ

ଜଣାଏ ଚରଣେ କୋଟି ପ୍ରଣତି

ଦୁଃଖ ଦିଅ ଅବା ସୁଖ ଦିଅ ପ୍ରଭୁ

ଦୟାକର ଥାଉ ଚରଣେ ମତି        ।।


ଜାଣେନାହିଁ କେତେ ପାପଭାର ମୁଣ୍ଡେ

ତବ କୃପା ପ୍ରାପ୍ତ ହେବ କି ନାହିଁ

ପବିତ୍ର ଅଯୋଧ୍ୟା ଭୂମିର ଦର୍ଶନ

ଏ ଛାର ନେତ୍ର ଯେ ଦେଖିବ କାହିଁ      ।।


ତୁମେ ଥାଅ ପ୍ରଭୁ ମନ ମନ୍ଦିରେ ମୋ

ନିତି ଜାଳୁଥିବି ଭକ୍ତି ଦୀପାଳି

କୌଶଲ୍ୟା ନନ୍ଦନ ଆହେ ରଘୁନାଥ

ଶରଣ ଦିଅ ହେ କରୁଛି ଅଳି      ।।


ଦୀପ୍ତି  ଦେବଦର୍ଶିନୀ   ସୁତାର
ଓରାଳି,ହାଟଡିହୀ,କେନ୍ଦୁଝର - 758083


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy