Friday, September 4, 2020

ଉନ୍ମେଷ ********


✍️ସୁଧାଂଶୁ କୁମାର ତ୍ରିପାଠୀ
*********

ଝାଉଁଳିଲା ଫୁଲ      ଝରିଯିବା ତୁଲ

ବୃନ୍ତରୁ ତଳକୁ ଖସି

ଧୈର୍ଯ୍ୟ ହାରେ ଯିଏ    ମରିଯାଏ ସିଏ

ଜୀବନ ଜଞ୍ଜାଳେ ଫସି ।

ଗଲେ ମଧ୍ୟ ହାରି     ସଙ୍କଟରୁ ପାରି

ହେବା ହିଁ ଜଗତେ ରୀତି

ବାଟ ଭୁଲି ଯିଏ    ରୋକେନାହିଁ ସିଏ

ଜୀବନକୁ ଯାଏ ଜିତି ।

ସତତ ସଂଗ୍ରାମ     ଆବଶ୍ୟକ ଆମ

ସତ୍ୟଧର୍ମେ ଥିବା ଚାହିଁ

ଧର୍ମେ ଆନୁଗତ୍ୟ     ଏକମାତ୍ର ସତ୍ୟ

ଅନ୍ୟଥା ଉପାୟ ନାହିଁ ।

ନିଜ ଆଖିଲୁହ     ପୋଛିବାରେ କୁହ

କାହାକୁ ଲାଗଇ ଲଜ୍ଜା

ସବୁକଥା ବୁଝି      ବଞ୍ଚିବାରେ ଯୁଝି

ନିହିତ ପ୍ରକୃତ ମଜା ।

ନିଜର ହୃଦୟେ     ନିଜକୁ ହିଁ ଲୟେ

ଖୋଜିବାକୁ ହେବ ଆଜି

ବିଫଳତା ପରେ     ପୁଣି ଆଉଥରେ

ଲାଗି ରହିଥାଉ ବାଜି ।

ଧୈର୍ଯ୍ୟ ବଳ ସଞ୍ଚି     ପୁନର୍ବାର ରଚି

ଶ୍ରେୟସ୍କର କଉଶଳ

ପରାଜୟ ଡର      ତେଜି ଅଗ୍ରସର

ହେଲେ ତ ମିଳଇ ଫଳ ।

ଭ୍ରମଜାଲେ ଛନ୍ଦି     କେହି ପ୍ରତିଦ୍ବନ୍ଦ୍ବୀ

କୁଶଳେ କରେ କି ରଣ

ଘଡି ଦୁଇଘଡି      ଆସକ୍ତିରେ ଜଡି

ପାସୋରିବା ନାହିଁ ପଣ ।

ଉନ୍ମେଷ ସକାଶେ    ପ୍ରଖର ପ୍ରକାଶେ

ଭାସ୍ବର ହୁଅଇ ଭାନୁ

ଅଛି ପ୍ରାପ୍ୟ ଭାଗ    ଉଠ ଏବେ ଜାଗ

ଗ୍ଳାନିଶ୍ରାନ୍ତ ଅଭିମାନୁ ।


କୃପାସିନ୍ଧୁପୁର
ଶେରଗଡ
ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy