✍ବିପିନ ବିହାରୀ ଗୌଡ଼
ଜଗତରେ ସାର
ଦୁଇଟି ଅକ୍ଷର
କେ ନୁହଁଇ କେବେ ସରି
ଜୀବନର ଅମା
ଆକାଶ ଚନ୍ଦ୍ରମା
ଜୀବନ ତଟିନୀ ତରୀ
ସୃଷ୍ଟିର ଅଭେଦ୍ୟ
ଚିରନ୍ତନ ସତ୍ୟ
ଶାଶ୍ୱତ ଅମୂଲ୍ୟ ନିଧି
କୃପାର ବାରିଧି
ଝରଇ କରୁଣା
ସର୍ବକାର୍ଯ୍ୟ ହୁଏ ସିଦ୍ଧି
ଯାର କୃପା ବଳେ
ପଙ୍ଗୁ ଲଂଘେ ଗିରି
ମୁକ ହୁଅଇ ବାଚାଳ
ମୂର୍ଖ ହୁଏ ଜ୍ଞାନୀ
ତ୍ରିଭୁବନ ଜିଣି
ଲଭିଣ ଆଶିଷ ବଳ
ଅଜ୍ଞାନ ତିମିର
ନାଶନ କରତା
ଜ୍ଞାନର ଆଲୋକ ଶିଖା
ଚେତନା ଶକ୍ତିର
ଜାଗ୍ରତ ପ୍ରହରୀ
ବିପଦେ ଆପଦେ ସଖା
ଜଗତର ଶ୍ରେଷ୍ଠ
ସର୍ବଦା ପୂଜନ
ପିତା, ମାତା, ଶିକ୍ଷା ଗୁରୁ
ସର୍ବାଗ୍ରେ ଅଟନ୍ତି
କାଳିଆ ସାଆନ୍ତ
ଲୀଳାମୟ ମହାମେରୁ
ଗୁରୁ ବିନା ପ୍ରାଣ
ନୁହଁଇ କୃତାର୍ଥ
ଗୁରୁ ହିଁ ଆମ ସ୍ପନ୍ଦନ
ଜୀବନର ଗତି
ଜୀବନ ଶକତି
ଗୁରୁ ବିନା ନୁହେଁ ଜାଣ
ଆଜିର ସୁଦିନେ
ଗୁରୁ ଦିବସରେ
ଗୁରୁ ପୂଜା ପରମ୍ପରା
ଭୂଲିବାନି କେବେ
ମହାନ ସଂସ୍କୃତି
ଗୁରୁ ଆମ କୃପାଧାରା
ନିରାଶା ଅନ୍ଧାରେ
ଆଲୋକ ସନ୍ଧାନ
ଗୁରୁ ହେ କରୁଣା ସିନ୍ଧୁ
ଶୀତଳ ଜୋଛନା
ଢ଼ାଳୁଥାଅ ତୁମେ
ଜୀବନ ଆକାଶ ଇନ୍ଦୁ
ନୀଳାଦ୍ରି ବିହାର,
ଭଞ୍ଜନଗର,
ଗଞ୍ଜାମ
No comments:
Post a Comment