Thursday, September 3, 2020

ପାଦଚିହ୍ନ

ଅଗ୍ରଓ୍ଵାଲ୍ ଜୋତା ଶୋ ରୁମରେ ମୁଁ ବସିଥାଏ ମୋର ଅଫିସ ଜୋତା ହଳେ ନେବାପାଇଁ । ମୋ ପାଦକୁ ଦେଖି ତାଙ୍କର ସେଲ୍ସ ମେନ   ଜୋତା ଗଦା କରି ଚାଲିଥାଏ । ହଠାତ ଯୁବକଟିଏ ଧଇଁସଇଁ ହେଇ ପଶି ଆସିଲା । ସେ ବହୁତ ଜଲଦିରେ ଥିଲା ପରି ଜଣା ପଡୁଥାଏ । 

ସେ ସିଧା ଦୋକାନ ମାଲିକଙ୍କୁ ପଚାରିଲା :  
 ଆଜ୍ଞା ଲେଡିଜ ଚପଲ ହଳେ ନେଇଥାନ୍ତି ।

କେମିତି ଜୋତା ଆଉ କେଉଁ ରେଞ୍ଜରେ ନେବେ ଆପଣ ।

ରେଞ୍ଜ ପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ । ମଜବୁତ ଓ ଆରାମଦାୟକ ହେବା ନିହାତି ଆବଶ୍ୟକ ।

- ତେବେ ମାପ କେତେ ?

ଗୋଟାଏ ଚାରି ଚଉତା କାଗଜକୁ ଖୋଲୁ ଖୋଲୁ ସେ ସ୍ଵଗତ ଭୁଟୁଭୁଟୁ ହେଉଥିଲା । 

ସେ କଣ କେବେ ଜୋତା ନାଇଛି ଯେ ମାପ କେତେ ଜାଣିବି , 
ପୁଣି ଯୋରରେ କହିଲା 

- ଏଇଟା ମୋ ମାଆର ପାଦଚିହ୍ନ । ଏଇ ମାପରେ ଚପଲ ଦିଅନ୍ତୁ । ଟିକେ ଶୀଘ୍ର , ମୋର ଟ୍ରେନ୍ ଟାଇମ ହେଇ ଯାଉଛି ।

ଅଗ୍ରଓ୍ଵାଲ୍ ଜୀ ଆଶ୍ଚର୍ଯ୍ୟ ହୋଇ ସେଇ କାଗଜକୁ ଦେଖୁଥାନ୍ତି । ସେଥିରେ କାଦୁଅ ନଟପଟ ପାଦଚିହ୍ନ ଟିଏ ।

ଯୁବକଟି ତାଙ୍କର ହାବଭାବ ଠଉରେଇ କହିଲା ,

- ମୋ ମାଆ ରାଜମିସ୍ତ୍ରୀ ପାଖରେ ରେଜା କାମ କରି ମୋତେ ମଣିଷ କରିଛି । ଆଜି ମୋତେ ପ୍ରଥମ ଦରମା ମିଳିଲା ତ । ମୋ ମାଆ ପାଇଁ କଣ ଉପହାର ନେବି ଭାବି ଭାବି ଠିକ୍ କଲି ଯେ ମୋ ମାଆ ଖାଲି ପାଦରେ ଚାଲି , କାମକରି ତା ପାଦକୁ ଘାଇଲା କରି ଦେଇଛି ମୋରି ଉନ୍ନତି ପାଇଁ । ତେଣୁ ଏଇ ଚପଲଠାରୁ ଅଧିକ ସୁନ୍ଦର ଉପହାର ଆଉ କଣ ହୋଇପାରେ ?

-  ଦେଖିଲ ଏଇ ଚପଲଟା ପସନ୍ଦ ଆସୁଛି ? ଏହାର ଦାମ୍ ହଜାରେ ଟଙ୍କା ।

- ହେଉ ହଜାରେ ଟଙ୍କା । ଏଇଟାକୁ ପ୍ୟାକ କରି ଦିଅନ୍ତୁ ।

- ବାବୁ , ତୁମର ଦରମା କେତେ ?

- ଆଜ୍ଞା ଦଶହଜାର ।

- ଦଶହଜାର ଦରମା ଦେଖି ହଜାରେ ଟଙ୍କା ଅଧିକ ହୋଇ ଯାଉନାହିଁ ? 

- ହଁ , ଚଳିବ । ମୁଁ ପାଞ୍ଚହଜାରରେ ଚଳି ମାଆକୁ ବଳକା ଚାରି ହଜାର ଦେବି । ମୋତେ ଅବଶ୍ୟ ଟିକେ କଷ୍ଟ ହେବ । ମୋ ମାଆର କଷ୍ଟ ସାମନାରେ ଏଇ କଷ୍ଟ କିଛି ନୁହେଁ ।

 ଅତ୍ୟନ୍ତ ପ୍ରଭାବିତ ହୋଇ ଅଗ୍ରଓ୍ଵାଲ୍ ଜୀ ତା ହାତକୁ ଦୁଇଟା ପ୍ୟାକେଟ ବଢ଼ାଇ ଦେଲେ । 

- ନିଅ ମୋ ତରଫରୁ ତୁମ ମାଆଙ୍କୁ ଆଉ ହଳେ ଜୋତା । ମାଆଙ୍କୁ କହିବ ସେ ଜୋତା ଛିଣ୍ଡି ଗଲେ ଏଇ ଜୋତା ପିନ୍ଧିବେ ।

 ଯୁବକ ଜଣକ ଥତମତ ହୋଇ ପ୍ୟାକେଟ୍ ଧରି ଯିବାକୁ ବାହାରିଲାରୁ ଅଗ୍ରଓ୍ଵାଲ୍ ଜୀ କହିଲେ । 

-ସେ ପାଦଚିହ୍ନ ଥିବା କାଗଜଟା ଦେବ କି ?

 କାଗଜ ଟି ଦେଇ ଯୁବକଟି ପଳେଇଲା । ମୁଁ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲି । ସେ କାଗଜଟିକୁ ଠାକୁର ପାଖରେ ସଜାଡି ରଖୁ ରଖୁ କହୁଥିଲେ ,

- ଏଇ ପାଦ ଚିହ୍ନ ସାମାନ୍ୟ ପାଦର ନୁହେଁ । ଏ ହେଉଛି ଲକ୍ଷ୍ମୀ ପାଦ । ସାକ୍ଷାତ ଉନ୍ନତି ଦାତ୍ରୀର ପାଦ । ଯେଉଁ ମାଆ ମଜଦୂରୀ କରି ଛୁଆକୁ ମଣିଷ କରି ପକାଏ ସେ ସତରେ ଲକ୍ଷ୍ମୀ ।

 ମୁଁ ଭାବୁଥିଲି , ସତ୍ କର୍ମ ସତରେ ସଂକ୍ରାମକ ନୁହେଁ କି ? ( ଏକ ହିନ୍ଦୀ ଗପର ଛାୟାରେ )

ଆରତୀ ସାହୁ ( ଆଶା )
ବସନ୍ତ ବିହାର
ନୂଆଦିଲ୍ଲୀ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy