Thursday, September 10, 2020

ନାରୀଙ୍କର ଦ୍ବିତୀୟା ଓଷା

-

                       ✍ସୁକାନ୍ତ ଖଣ୍ଡା 

ଦ୍ବିତୀୟା ଓଷାକୁ ଭକତି ଭାବରେ

 ନାରୀମାନେ ପାଳିଥାନ୍ତି 

  ଆଜି ସେହିଦିନ ବରଷକେ ଥରେ

    ପୂଜାପାଠ କରୁଛନ୍ତି।୧

ଭାରି କଠିନ ଏ ପୂଜା ଉପଚାର 

 ଏକବାରରେ ହବିଷ୍ଯ

   ପୂଜାଦିନେ କିନ୍ତୁ ଖାଡ଼ା ଉପବାସ 

    ରହି ହୁଅନ୍ତି ସନ୍ତୋଷ।୨

ତୃତୀୟ ଦିନରେ ଯାଇ ନଦୀଘାଟେ

 ମନବାଂଛା ପୂର୍ଣ୍ଣପାଇଁ 

  ବାଲି ପିତୁଳାକୁ ପୂଜା କରି ସବୁ

   ଅଧିଆ ପଡ଼ନ୍ତି ଯାଇ।୩

ଅପୁତ୍ରିକ ନାରୀ ଭିକ୍ଷା କରିଥାଏ

 କୋଳ ତା'ର ପୂର୍ଣ୍ଣହେଉ

  କେଉଁ ଦୁଃଖି ତା'ର ଭକତି ଭାବରେ

   ଘରେ ଧନ ଆସିଯାଉ।୪

କଳି ତକରାଳ ନ ହେଉ ତା' ଘରେ

 ଆଉ କିଏ କହିଥାଏ

  ପୂର୍ଣ୍ଣ ସମର୍ପଣ ଏ ଓଷା ବ୍ରତରେ

    ଯିଏ ଓଷା କରିଥାଏ।୫

ଆଉ କେତେ ନାରୀ ଜଗତ କଲ୍ୟାଣ

 ଉଦ୍ଦେଶ୍ୟରେ କରିଥାନ୍ତି 

  ଏ ଧରା ଧାମରେ ସବୁ ଜୀବଙ୍କର

    କୁଶଳତା ଚାହୁଁଥାନ୍ତି।୬

ରୋଗ ଶୋକ ଆଉ ଭୋକିଲା ନ ରହୁ

  ହେ ପ୍ରଭୁ ମଙ୍ଗଳ କର

   ତୁମ ଶରଣରେ ଯାଉଛୁ ସଭିଏଁ

    ଏତିକି ପ୍ରାର୍ଥନା ମୋର।୭

ବନ୍ଯା,ବାତ୍ଯା, ଭୂମିକମ୍ପ ଏ କରୋନା

 କେତେ ଯେ ଦେଉଛି ଦୁଃଖ 

  ଏ ଆମର କ୍ଷତି ନ କରନ୍ତୁ ପ୍ରଭୁ 

    ଘଣ୍ଟ ଘୋଡ଼ାଇ କି ରଖ।୮

ନଦୀଘାଟେ ହୁଏ ଚକଟା ଭୋଗର

 ଦିଆନିଆ ଆଉ ଖିଆ 

  କି ଆନନ୍ଦମୟ ସାରା ପରିବେଶ

    ଆଣିଥିବା ଭୋଗ ମୁଆଁ।୯

ଘରଘର ବୁଲି ବାଣ୍ଟନ୍ତି ସଭିଏଁ

 ନିଜ ସାଧ୍ଯ ମତେ ଭୋଗ

  ସଂଜ ନଇଁଗଲେ ବାଡ଼ିଆଡ଼େ ଯାଇ

    ଶେଷ ପୂଜାର ଏ ଭାଗ।୧୦

ରାତିରେ ନାରୀଏ ଅରୁଆ ଖାଆନ୍ତି

 ପରଦିନ ସ୍ନାନ ପରେ 

  ଖିଆପିଆ ହୁଏ ମନ ଆନନ୍ଦରେ

    ଭକତର ଘରେଘରେ।୧୧

ତିନିଦିନ ଧରି ପୂଜା ଉପଚାର

 କରିବା ବହୁତ କଷ୍ଟ 

  ଅବଶ୍ୟ ନାରୀଙ୍କ ପୂରଣ କରନ୍ତି

    ଈଶ୍ବର ସବୁ ଅଭୀଷ୍ଟ।୧୨

ଏ ଓଷାର ଭାର ବାପ ଘରୁ ଆସେ

 ବାପା ବି ହରଷ ଥାଇ

  ପରତି ବରଷ ପଠାଇ ଦିଅନ୍ତି

    ଝିଅ ସୁଖେ ସୁଖୀ ହୋଇ।୧୩

ଆଜି ସେହିଦିନ ଆସିଛି ପାଖକୁ

 ଆସିବେ ଈଶ୍ୱର ପାଶେ 

  ଭକତର ମନ ଭକତିକୁ ଦେଖି

   ପୂରଣ କରିବେ ସୁଖେ।୧୪

ଦେଖ ଆକାଶକୁ ଈଶ୍ୱରଙ୍କ ଲୀଳା

 ଭଳିକି ଭଳି ରଙ୍ଗରେ

  ଏ ଧରା ଧାମକୁ ଓହ୍ଲାଇ ଆନନ୍ଦେ

   ହସନ୍ତି କେତେ ଠାଣିରେ।୧୫

                     *

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy