Thursday, September 10, 2020

‘କ୍ରିକେଟ୍‌ର ରାଜକୁମାର’ ରଣଜିତ୍‌ ସିଂହ ଜୀ

ପ୍ରଥମ ପିଢ଼ିର ପ୍ରସିଦ୍ଧ ଭାରତୀୟ କ୍ରିକେଟ୍‌ ଖେଳାଳି ଥିଲେ, ନୱାନଗରର ମହାରାଜ ଜାମ ସାହବ ରଣଜିତ୍‌ସି˚ହଜୀ ବିଭାଜୀ ଜଡ଼େଜା। ସେ ଇ˚ଲଣ୍ତ୍‌ ପାଇଁ ଟେଷ୍ଟ୍‌ କ୍ରିକେଟ୍‌, ସସେକ୍‌ସ ପାଇଁ କାଉଣ୍ଟି ଏବ˚ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳି ପ୍ରସିଦ୍ଧି ଲାଭକରିଥିଲେ। ‘କ୍ରିକେଟ୍‌ର ନିଦାଘରାତ୍ରିର ସ୍ବପ୍ନ’ ବା ଇ˚ରେଜୀରେ ‘ଦ ମିଡ୍‌ସମର‌୍‌ ନାଇଟ୍‌ସ ଡ୍ରିମ୍‌ ଅଫ୍‌ କ୍ରିକେଟ୍‌’ ତଥା ‘କ୍ରିକେଟ୍‌ର ରାଜକୁମାର’ ଭାବେ ସେ ପରିଚିତ। ସେ ଅଣ-ପାରମ୍ପରିକ ଶୈଳୀରେ ଖେଳୁଥିଲେ। ବ୍ୟାଟି˚କୁ ଏକ ନୂଆ ରୂପ ଦେଇଥିଲେ। ତାଙ୍କ ପୂର୍ବରୁ ବ୍ୟାଟ୍‌ସମ୍ୟାନ୍‌ମାନେ ମୁଖ୍ୟତଃ ଆଗକୁ ଗୋଡ଼ ବଢ଼ାଇ ଖେଳୁଥିଲେ। ରଣଜିତ୍‌ଜୀ ବ୍ୟାକ୍‌-ଫୁଟ୍‌ ବ୍ୟାଟି˚କୁ ଗୁରୁତ୍ବ ଦେଉଥିଲେ। ‘ଲେଗ୍‌ ଗ୍ଲାନ୍‌ସ ସଟ୍‌’ର ସେ ସ୍ରଷ୍ଟା।

୧୦ ସେପ୍‌ଟେମ୍ବର୍‌ ୧୮୭୨ରେ କାଠିୟାୱାଡ଼ ଅନ୍ତର୍ଗତ ସଦୋଦରରେ, ଏକ ଯଦୁବଂଶୀ ରାଜପୁତ ପରିବାରରେ ସେ ଜନ୍ମ ହୋଇଥିଲେ। ତାଙ୍କ ପିତା ଜୀବନସିଂହଜୀ କୃଷି କର୍ମରେ ଲିପ୍ତ ଥିଲେ। ତାଙ୍କ ଜେଜେବାପା ଝଲମସିଂହଜୀ ନୱାନଗରର ରାଜା ବିଭାଜୀଙ୍କ ସ˚ପର୍କୀୟ ଭାଇ ଥିଲେ। ରଣଜୀତ୍‌ଜୀ ଥିଲେ ଘରର ବଡ଼ ପୁଅ। ବିଭାଜୀଙ୍କ ପୁତ୍ର କାଲୁଭା ଥିଲେ ଅତ୍ୟାଚାରୀ। ସେ ବହୁ ମହିଳାଙ୍କୁ ଧର୍ଷଣ କରିବା ସହ ନିଜ ପିତାଙ୍କୁ ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଦୁଶ୍ଚରିତ୍ର ଅତ୍ୟାଚାରୀ ପୁତ୍ରକୁ ସି˚ହାସନରେ ବସାଇବା ଅନୁଚିତ ହେବ ଭାବି ବିଭାଜୀ ଭ୍ରାତୁଷ୍ପୁତ୍ରଙ୍କୁ ଉତ୍ତରାଧିକାରୀ କରିବେ ବୋଲି ବ୍ୟକ୍ତିଗତ ସ୍ତରରେ ନିଷ୍ପତ୍ତି ନେଇଥିଲେ। ବିଭାଜୀ ହିଁ ରଣଜିତ୍‌ଜୀଙ୍କୁ ପ୍ରଥମେ ରାଜକୁମାର କଲେଜ୍‌ ଫର‌୍‌ ପ୍ରିନ୍‌ସରେ ଭର୍ତ୍ତିକରିଥିଲେ ଏବ˚ ପରେ ଉଚ୍ଚ ଶିକ୍ଷା ପାଇଁ ଇ˚ଲଣ୍ତ୍‌ ପଠାଇଥିଲେ। ସେ ଭଲ ପଢ଼ୁଥିଲେ ଏବ˚ ଖେଳୁଥିଲେ। ଉଲ୍ଲେଖଯୋଗ୍ୟ ଯେ, ରଣଜିତ୍‌ଜୀଙ୍କ ନିଜ ପରିବାରର ଅସହଯୋଗ ଯୋଗୁଁ, ବିଭାଜୀ ତାଙ୍କୁ ସ˚ପୂର୍ଣ୍ଣ ଭାବେ ପୋଷ୍ୟପୁତ୍ର କରିପାରି ନ ଥିଲେ। ହତାଶ ହୋଇ ସେ ନିଜର ଜଣେ ଅବୈଧ ସନ୍ତାନ ଯଶରାଜସିଂହଜୀଙ୍କୁ ଉତ୍ତରାଧିକାରୀ ଘୋଷିତ କରିବାକୁ ବାଧୢ ହୋଇଥିଲେ। ତେବେ, ରଣଜିତ୍‌ଜୀଙ୍କ ଦାୟିତ୍ବ ବହନ କରିଚାଲିଥିଲେ। ବିଭାଜୀଙ୍କ ପରେ ନୱାନଗରର ରାଜ-ସି˚ହାସନ ଆରୋହଣ କରିଥିଲେ ଯଶାଜୀ। ମାତ୍ର ତିନି ବର୍ଷ ଗାଦିରେ ବସିବା ପରେ ରହସ୍ୟମୟ ପରିସ୍ଥିତିରେ ତାଙ୍କର ଦେହାନ୍ତ ହୋଇଥିଲା। ରଣଜିତ୍‌ଜୀ ବିଷ ଦ୍ବାରା ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଏ। ତେବେ କିଛି ପ୍ରମାଣିତ ହୋଇପାରି ନ ଥିଲା। ମୁଖ୍ୟତଃ କ୍ରିକେଟ୍‌ ଓ ବ୍ରିଟିସ୍‌ ସରକାର ସହ ସୁ-ସ˚ପର୍କ ଯୋଗୁଁ ୧୯୦୭ରେ ରଣଜିତ୍‌ଜୀ ସି˚ହାସନରେ ବସିଥିଲେ। ତାଙ୍କୁ ମଧୢ ହତ୍ୟା କରିବା ପାଇଁ ଏକାଧିକବାର ଉଦ୍ୟମ ହୋଇଥିଲା। ତେବେ, ଭାଗ୍ୟ ବଳରେ ସେ ରକ୍ଷା ପାଇଯାଇଥିଲେ। ୨ ଏପ୍ରିଲ୍‌ ୧୯୩୩ରେ ତାଙ୍କର ଦେହାନ୍ତ ହୋଇଥିଲା।

ଶୈଶବରେ ରଣଜିତ୍‌ସିଂହଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିଲା। ଜୀବନର କୌଣସି ସମୟରେ ସେ ସଂପୂର୍ଣ୍ଣ ସୁସ୍ଥ-ସବଳ ନ ଥିଲେ ହେଁ ଦକ୍ଷ କ୍ରିକେଟ୍‌ ଖେଳାଳି ହୋଇପାରିଥିଲେ। ଇଂଲଣ୍ଡ୍‌ରେ ଶିକାର ବେଳେ ଦୁର୍ଘଟନାବଶତଃ ଗୋଟିଏ ଆଖି ହରାଇବା ପରେ ତାଙ୍କ ଖେଳାଳି ଜୀବନର ଅନ୍ତ ହୋଇଥିଲା। କୌଣସି ସମୟରେ ତାଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଭଲ ନ ଥିଲା। ସେ ଏକ ଦରିଦ୍ର ରାଜ୍ୟର ରାଜା ଥିଲେ। ଆୟ ତୁଳନ‌ାରେ ବ୍ୟୟ ସର୍ବଦା ଅଧିକ ଥିଲା। ସବୁ ବେଳେ ଧାର-କରଜ କରୁଥିଲେ। ବ୍ରିଟିସ୍‌ ପ୍ରଶାସକମାନଙ୍କ ସହ ଉତ୍ତମ ସଂପର୍କ ଥିବାରୁ ଅନେକ ସମୟରେ ଆର୍ଥିକ ଅନୁଦାନ ପାଉଥିଲେ। ଏକ ସମୟରେ ନିଜର ଦୁଇଟି ଛବି ଆଙ୍କିଥିବା ଶିଳ୍ପୀଙ୍କୁ ପାରିଶ୍ରମିକ ଦେବାକୁ ସୁଦ୍ଧା ତାଙ୍କ ପାଖରେ ସମ୍ବଳ ନ ଥିଲା। ମେରି ‌ଟାଇଲର୍‌ ନାମା ଶିଳ୍ପୀ, ଯିଏ ତାଙ୍କ ଛବି ଆଙ୍କିଥିଲେ ମାମଲାକୁ ଅଦାଲତ ପର୍ଯ୍ୟନ୍ତ ନେଇଥିଲେ। ଶେ‌ଷରେ ବ୍ରିଟିସ୍‌ ସରକାର ପକ୍ଷରୁ ହିଁ ତାଙ୍କୁ ଉକ୍ତ ଅର୍ଥ ଦିଆଯାଇଥିଲା। ବ୍ୟକ୍ତିଗତ ଜୀବନରେ ରଣଜୀତ୍‌ଜୀ ଅତି ଧୂର୍ତ୍ତ ଥିଲେ। ନିଜ ପରିବାରର ପ୍ରତିଷ୍ଠା ପାଇଁ ବିଭିନ୍ନ ମିଛ କଥାର ପ୍ରଚାର-ପ୍ରସାର କରାଇଥିଲେ। ପିତା ଓ ଜେଜେ ଆଦି କୃଷି କର୍ମ କରୁଥିଲେ ହେଁ ସେମାନଙ୍କୁ ମହାନ୍‌ ଯୋଦ୍ଧା ଭାବେ ଚିତ୍ରଣ କରିବା ପାଇଁ ଅନ୍ୟ ଦ୍ବାରା ବହି-ପତ୍ର ଛପାଇଥିଲେ। ପ୍ରଥମ ବିଶ୍ବ ଯୁଦ୍ଧ ବେଳେ ସେ ବ୍ରିଟେନ୍‌ ପକ୍ଷରୁ ଲଢ଼ିବା ନିମନ୍ତେ ଫ୍ରାନ୍‌ସ ଯାଇଥିଲେ ହେଁ କେବେ ହେଲେ ପ୍ରକୃତ ଯୁଦ୍ଧ ଲଢ଼ି ନ ଥିଲେ। ଏପରିକି ରଣାଙ୍ଗନ ସୁଦ୍ଧା ଦେଖି ନ ଥିଲେ। ସର୍ବଦା ବ୍ରିଟିସ୍‌ ପ୍ରଶାସନିକ ସହାୟତା ପାଇବାରେ ସମର୍ଥ ହୋଇଥିଲେ। ବ୍ରିଟିସ୍‌ ସେନାରେ ତାଙ୍କୁ ସମ୍ମାନଜନକ ‘ମେଜର୍‌’ ପଦ ଦିଆଯାଇଥିଲା। ଆର୍ଥିକ ସହାୟତା ପାଇପାଇ ବ୍ୟକ୍ତିଗତ ଭାବେ କିଛି ସଂପତ୍ତି-ବାଡ଼ି କରିଥିଲେ। ଭାରତ ଅପେକ୍ଷା ଇ˚ଲଣ୍ତ୍‌ ତାଙ୍କ ପାଇଁ ସର୍ବଦା ଅଧିକ ନିଜର ଥିଲା। ବ୍ରିଟିସ୍‌ମାନଙ୍କ ସହ ଅଧିକ ମିଳାମିଶା କରୁଥିଲେ। ବ୍ରିଟିସ୍‌ ବନ୍ଧୁ ମହଲରେ ସେ ‘ସ୍ମିଥ୍‌’ ନାମରେ ପରିଚିତ ଥିଲେ। ବିଦେଶୀ ଖେଳ କ୍ରିକେଟ୍‌ ଅଧିକ ପସନ୍ଦ ଥିଲା। ପନ୍ଦରଟି ଟେଷ୍ଟ୍ ଖେଳି ଦୁଇଟି ଶତକ ସହ ମୋଟ ୯୮୯ ରନ୍‌ କରିଥିଲେ। ଏଡିଥ୍‌ ବୋରିଜୋ ନାମା ବ୍ରିଟିସ୍‌ ଯୁବତୀଙ୍କୁ ଭଲପାଉଥିଲେ। ଦୁହିଁଙ୍କ ବିବାହ ଏକ ରକମ ନିଶ୍ଚିତ ଥିଲେ ହେଁ ବିବାହ ହୋଇପାରି ନ ଥିଲା। ରଣଜୀତ୍‌ଜୀ ଆଜୀବନ ଅବିବାହିତ ରହିଥିଲେ।


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy