Tuesday, September 8, 2020

ଶବ୍ଦରୁ ସୃଜନ - କାହାଣୀ ଲଣ୍ଠନ

କଳ୍ପନା ରାୟ

           ଗାଁ ମଝିରେ ମନ୍ଦିମାଆର ଘର  ।  ଛୋଟ ଚାଳିଆଟିଏ  । ନୁଆଣିଆଁ ।  କିନ୍ତୁ ପ୍ରଶସ୍ତ ପିଣ୍ଢା  ।  ପ୍ରତିଦିନ ମନ୍ଦିମାଆ ମାଟିଗୋଵର ଦେଇ ସକାଳୁ ପିଣ୍ଢାକୁ ଲିପେ  ।  ଲିପି ଲିପି ଏଡେ ସୁନ୍ଦର କରିଥାଏ ଯେ ମାର୍ବଲ ତଳେ ପଡିଯିବ  । ସୂରୁଯ ଦେଵତା ଆଇଲା ଵେଳକୁ କୁନି କୁନି ପିଲାମାନେ ବସ୍ତାନି ଧରି ମନ୍ଦିମାଆ ପିଣ୍ଢାରେ ହାଜର ହୁଅନ୍ତି  ।  ସେଇଠି ବସେ ଚାଟଶାଳୀ  । କିଛି ସମୟ ପିଲାମାନେ ପାଠ ପଢିବା ପରେ ମନ୍ଦିମାଆଠୁ ଚୁଚୁମା ନେଇ ସେମାନେ ଚାଲିଯାନ୍ତି  ।

      ମନ୍ଦିମାଆର କାଳେ ପୁଅଟିଏ ଥିଲା  ।  ମଦପାଣି ଖାଇ ବଡ ହଇରାଣ କଲା ଵୁଢୀକୁ  ।  ଵୁଢୀ କୋଉ କମ୍  ।  ଗାଁ ମୁଣ୍ଡ ଘର ତାକୁ ଛାଡ଼ିକି ଏଠିକି ଚାଲି ଆସିଲା  ।  ନିଜେ ବାଉଁଶ, କାଠି କୁଟା ସଂଗ୍ରହ କରି ମାଟି ଆଣି ଘରଟିକୁ ତିଆରି କରି ରହିଲା  ।

         ପିଲାମାନେ ପାଠ ପଢି ଯିବା ପରେ ସେ ତା କାମକୁ ଵାହାରି ଯାଏ  ।  କାଠି ଝାଟି ସଂଗ୍ରହ କରି ବିକେ ।  ଗାଧୋଇକି ଭାତ ଵସାଏ  ।  ଭାତ ହୋଉ ହୋଉ ନାଥ ଘର ନ ହେଲେ ସାମଲ ଘର କିଛି ନା କିଛି ତୁଣ ତରକାରୀ ଦେଇଯାଆନ୍ତି । ଖାଇ ସାରି ସେ ଝାଟି ସବୁ ଵାଗେଇ ୟା ତା ଘରେ ବିକ୍ରି କରି ଆସେ ।  କେତେ ଟଙ୍କା ବା ପାଏ ସେଥିରୁ ।  ଗାଁ ଟୋକାମାନେ ଦିନରେ ତା ପିଣ୍ଢାରେ ଆଡା କରନ୍ତି  ।  

         ମନ୍ଦିମାଆ ସିନା ଏକା ରହେ।  କହିବାକୁ ଗଲେ କେଵେ ଏକା ନ ଥାଏ  ।  ସଞ୍ଜ ନ ହେଉଣୁ  ତା ଵ୍ରିଟିଶ୍ ଅମଳର ଲଣ୍ଠନଟିକୁ କନାରେ ପୋଛିପାଛି ସଫା କରେ  ।  ସୂରୁଯ ଦେବତା ତାଙ୍କ ମାଆ କୋଳକୁ ଯିବା ପୂର୍ବରୁ ତା ଲଣ୍ଠନ ଜଳୁଥାଏ  । 

         ଦିନ ଅଛି, ଲଣ୍ଠନ କାଇଁ ଲଗୋଉଛୁ କହିଲେ, ଆଉ ଟିକିଏ ଗଲେ ସୂରୁଯ ଯିବେ  । ସୂରୁଯ ଯିବା ପୂର୍ବରୁ ଆଲୁଅ ଜଳୁଥିଲେ ସେ ଶାନ୍ତି ମନରେ ଆଶ୍ବସ୍ତ ହୋଇ ଵିଦାୟ ନେଵେ  ।  ସେଇ ତ ଜଳେଇବି ଆଉ ଘଡିଏ ଆଗରୁ ଜଳେଇଦେଲେ ଏମିତି କେତେ ସରିଯିଵ ଯେ  ?? ଯେତେ ଯାହା କହିଲେ ନି ସେ ତାର ଯାହା କରିବା କଥା କରେ  ।  ସଞ୍ଜ ଦିଏ, ନାମ ଜପ କରେ  । ନାଲି ଚାହା ଟିକିଏ କରି ପିଏ  । ପିଣ୍ଢାରେ ଲଣ୍ଠନ ଜଳେଇ ଯିଏ ବସିଥାନ୍ତି ସେମାନଙ୍କୁ ଵି ଦିଏ  ।  ଯେତେ ମନା କଲେ ବି ସେ ଶୁଣେନି  ।  ଚା ଟିକେ ପିଇ ଦେଲେ ମୋର କଣ ସରିଯାଉଛି  ।  ମୁଁ ମରିଗଲେ ତୁମେମାନେ କଣ କାନ୍ଧରେ ନେଵନି  । ନବ ନା, ନିଶ୍ଚୟ ନେବ। 

         ମନ୍ଦିମାଆ ଏତେ ପଇସା ଆଣେ କେଉଁଠୁ  ?? ସେ କଥା କେହି ବୁଝି ପାରନ୍ତିନି  ।  ପଚାରିଲେ କହେ ସେଇ ଦେଵତା ମତେ ଦେଉଛି  ।  ନ ହେଲେ କଣ ମୁଁ କାହାକୁ ମାଗେ ନା ଚୋରି କରେ  । 

          ବର୍ଷା ଦିନରେ ଵି ମନ୍ଦିମାଆ ଲଣ୍ଠନରେ ଦେଖି ଶୁଖିଲା କାଠଗୋଛା ଦିଏ  ।  ଏବେ ପଞ୍ଚାୟତରୁ ତାକୁ ଵାର୍ଧକ୍ୟ ଭତ୍ତା, ଚାଉଳ କିରୋସିନି ମିଳୁଛି  ।  ମନ୍ଦିମାଆ କିରୋସିନି ଟିକକ ପାଇ ଭାରି ଖୁସି  ।  ଇଲେକ୍ଟ୍ରିକ୍ ବଲ୍ ଜଳୁଥିଲେ ଵି ସେ ତା ଲଣ୍ଠନ ଜାଳିବା ଭୂଲେନି । କହେ ୟେ ଆଲୁଅକୁ କି ଭରସା  । ଜଳୁଚି ଯଦି ଜଳୁଚି, ନ ହେଲେ ନିଭି ଗଲେ ଆମେ ତାର କଣ କରିବା ??

         ଅନ୍ଧାରକୁ ମୋର ଭାରି ଡର  । ମୋ ଲଣ୍ଠନଟି ଜଳୁଥିଲେ ମୋର ଭରସା ।  ବୟସ୍କ ଲୋକଙ୍କର ସନ୍ଧ୍ୟାଠାରୁ ଡେରି ରାତି ପର୍ଯ୍ୟନ୍ତ ମନ୍ଦିମାଆ ପିଣ୍ଢାରେ ତାସ ଖେଳ ଜମେ।  ମନ୍ଦିମାଆ କେବେ ଖେଳେ ନାହିଁ  ।  କିନ୍ତୁ ଦିନେ ଯଦି ତାର ଖେଳ ବନ୍ଦ ହୋଇଗଲା, ତାକୁ ଭାରି ଖରାପ ଲାଗେ, ଦୁଃଖୀ ହୋଇଯାଏ ସେଦିନ  ।  ଲୋକମାନେ ତା ପିଣ୍ଢାରେ  ଖେଳିବାକୁ ଭଲ ପାଆନ୍ତି, କାରଣ ସଫା ଚଉଡା ପିଣ୍ଢାରେ ମନ୍ଦିମାଆର ଲଣ୍ଠନର ଆକର୍ଷଣ  । ଲାଇନ୍ ଗଲେ ବି ଖେଳ ପାଇଁ ଅସୁବିଧା ନ ଥାଏ । 

       ଏମିତି ଏମିତି ଦିନ ଗଡିଚାଲେ  । ମନ୍ଦିମାଆକୁ ହୁଏ ଜ୍ଵର, କାଶ, ଥଣ୍ଡା  ।  ଗାଁ ପିଲା ଡାକ୍ତରଖାନାରୁ ଔଷଧ ଆଣି ଦିଅନ୍ତି  ।  ଆଜି ସକାଳୁ ଆଉ ଉଠୁନି ମନ୍ଦିମାଆ  ।  ବିସ୍କୁଟ ଦିଟା ଖାଇ ଶୋଇଛି  ।

            ସନ୍ଧ୍ୟା ଆଗତପ୍ରାୟ।  ମନ୍ଦିମାଆ ଉଠି ଲଣ୍ଠନ ପୋଛିଲା  । ରହ, କାହିଁକି ଵ୍ୟସ୍ତ ହେଉଛୁ, ତୁ ଶୋଇଥା  । ବୋଉ ଆସୁଛି, ତୋ ଲଣ୍ଠନ ଲଗେଇ ଦେବ, କହିଲା ଟୁଟୁ । ନାଇଁରେ ଵାପ, ଅନ୍ଧାରକୁ ମୋର ଵେଶି ଡର । ନ ଖାଇଲେ ରହିଯିଵି, କିନ୍ତୁ ଅନ୍ଧାରରେ ମୂହୁର୍ତ୍ତଟିଏ ରହିପାରିଵିନି  ।  ମୁଁ ମରିଗଲେ ଏ ଲଣ୍ଠନଟା ମୋ ସାଙ୍ଗରେ ଦେଇ ଦେବ  ।  ସେ ଗୋଟେ ଗୂଢ ରହସ୍ଯରେ ଵାପ  । 

         ସକାଳୁ ପିଣ୍ଢା ଲିପା ହୋଇ ନ ଥିବା ଦେଖି ଜଣଙ୍କ ପରେ ଜଣେ ସେଠାରେ ପହଞ୍ଚିଥଲେ  । ଦେଖିଲେ ମନ୍ଦିମାଆ, ଶୋଇଛି ଯେ ଶୋଇଛି, ଆଉ କେଵେ ଉଠିବନି ସିଏ, ମାତ୍ର ଲଣ୍ଠନଟିକୁ ଧରିଛି ଯେ ଧରିଛି, ଛଡେଇବା କାଠିକର ପାଠ ହୋଇଥିଲା ।

        ଲୋକମାନେ କଥା ହେଉଥିଲେ ମନ୍ଦିମାଆ ନିଜଠୁ ଅଧିକ ଲଣ୍ଠନକୁ ଭଲ ପାଏ କାହିଁକି  ?? 

       ହଁ, ସେଇ କାଳରାତ୍ରୀ, ଯେଉଁଥିରେ ମନ୍ଦିମାଆ ତାର ସର୍ବସ୍ବ ହରାଇଥିଲା  ।  ପୁଅଟିକୁ ନେଇ ଚାଲିଆସିଥିଲା ଏଇ ଗାଁକୁ  ।  ପୁଅଟି ସିନା ଵାଳୁଙ୍ଗା ହୋଇଗଲା  ।  ମନ୍ଦିମାଆର  ଗାଁଟି ଯାକର ଛୁଆ ତା ପୁଅଝିଅ  ।

       ବୁଢୀର ମୃତ୍ୟୁ ଖବର ଶୁଣି କୋଭିଡ୍ ଵାଲା ଆସି ଟେଷ୍ଟ କରି କହିଲେ ସେ କରୋନା ପଜିଟିଭ୍  ।  କେହି ଲୋକ ଆସିପାରିଵେନି  ।  ଆମ ଲୋକ ତାକୁ ପୋଡିଵେ। ।ସାଙ୍ଗେ ସାଙ୍ଗେ ଗାଁରେ ପ୍ରଚାର ହୋଇଗଲା  ।  ସମସ୍ତେ ଗାଡି ଆଗରେ ଛିଡା ହେଲେ, ଆମେ ଛାଡିବୁନି, ଜୀବନ ଯାକ ସେ ଆମମାନଙ୍କୁ ସ୍ନେହ ମମତା ଦେଇଛି, ଆମେ ତାକୁ କାନ୍ଧ ଦେବୁ, ମଲେ ମରିବୁ, ସେଥିକୁ ଡର କଣ  ??  ଏତେ ଦୃଢତା ଆଗରେ ନୋଇଁଗଲା ସରକାରଙ୍କ ମଥା  ।  ଗାଁର ସମସ୍ତଙ୍କୁ ପିପିଇ କିଟ୍ ଦେଲେ ମାଗଣାରେ ମନ୍ଦିମାଆର ଶଵସତ୍କାର ପାଇଁ  ।  ତା ସହିତ ଯାଇଥିଲା ତାର ପ୍ରିୟ ଲଣ୍ଠନ ପୋଛାପୋଛି ହୋଇ ଜଳୁଥିବା ଅବସ୍ଥାରେ  ।

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ଵାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy