Thursday, September 3, 2020

ଏକୋଇଶା ଭୋଜି

              ✍ସୁକାନ୍ତ ଖଣ୍ଡା

ସିଂହ ରାଜାଙ୍କର ପୁଅଟେ ହୋଇଛି
ଆଜି ତା'ର ଏକୋଇଶା 
ପରଜା ମାନଙ୍କୁ ନିମନ୍ତ୍ରଣ ଅଛି
ଆସିବେ ନ ଭାବି ହିଂସା।୧
ଅଭୟ ଦେବାରୁ ଭାଲୁ ବାଜା ଧରି
ପ୍ରଚାର କରିଲା ବୁଲି 
ପଶୁ ପକ୍ଷୀ ଆଉ ସରୀସୃପଗଣ 
ଆସିଲେ ଖାଇବେ ବୋଲି।୨
ଖାଦ୍ଯର ବାସନା ମହକି ଖେଳିଲା
ଉଡ଼ିଗଲା ପବନରେ 
କାହିଁ କେତେ ଦୂର ଯାଇ ପହଞ୍ଚିଲା
ଶୁଙ୍ଘିକି ଆସିଲେ ଧିରେ।୩
ଭୟଶୂନ୍ୟ ଥିଲା ସାରା ପରିବେଶ
ଖାଦ୍ଯ ଓ ଖାଦକ ସବୁ
ଧାଡ଼ିରେ ବସିକି ଖାଇବା ଖାଇଲେ 
କଲ୍ଯାଣ କଲେ ବି ବିଭୁ।୪
ନାମ ଦେବାପାଇଁ ପୂଜା ହେଉଥିଲା
ଗାୟତ୍ରୀ ମନ୍ତ୍ରକୁ ପଢା
ହୋମ ଜଳୁଥିଲା ଘିଅ ଢାଳୁଥିଲେ
ବାଘ ହାତୀ ବସି ପିଢା।୫
ଜିରାଫ ସୁଉଚ୍ଚେ ମନ୍ତ୍ର ଉଚ୍ଚାରଣ
ସାପ ପାଳି ଧରୁଥିଲେ
ଶଙ୍ଖ ଫୁଙ୍କୁଥିଲା ବିଲୁଆ ଆନନ୍ଦେ
ହୁଳହୁଳି ଝିଙ୍କ ଦେଲେ।୬
ଭାଲୁ ଧରିଥିଲା ଯୋଡ଼ି ନାଗରାକୁ
ମହୁରୀ ହେଟା ଭାଇନା
ଆଉ କେତେ କେତେ ପଶୁ ନାଚୁଥିଲେ 
ଯା' ନାମ ଅଟେ ଅଜଣା।୭
ଗାୟତ୍ରୀ ମନ୍ତ୍ରକୁ ଉଚ୍ଚାରଣ ଶୁଣି 
ଆକାଶୁ ଓହ୍ଲାଇ ଆସି 
ଦଶ ଦିଗପାଳ ଦେଖି ଆଶୀର୍ବାଦ
କରିଲେ ହୋଇକି ଖୁସି।୮
ସାରା ଦିନରାତି ଅନ୍ନଛତ୍ର ଥିଲା
ଖାଇଲେ ସବୁ ପରଜା
କୃତାର୍ଥ ମନରେ ଶୁଭେଛା ଜଣାଇ
ଚାଲିଲେ ଘରକୁ ଯେଝା।୯
ଭାରି ଭଲଥିଲା ଏକୋଇଶା ଭୋଜି
ଜୀବନେ ଖାଇ ନ ଥିଲେ 
ଖାଦ୍ଯ ଓ ଖାଦକ ଏକାଠି ହୋଇବା
ଆଉ ମିଳିବକି ଭଲେ?୧୦
                 *
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ
 ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର 

1 comment:

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy