✍ଲେଖକ- ତ୍ରିନାଥ ବେହେରା
ରାମ ଜଣେ ରାଜ ଚକ୍ରବର୍ତ୍ତୀ ସମ୍ରାଟଙ୍କ ନାମ କି ? ଅବା ସେ ଜଣେ ମହାପୁରୁଷ ା ନା ସେ ହେଉଛନ୍ତି ଆଦର୍ଶ ପୁରୁଷ ା ସେ କଣ ଭଗବାନ ବିଷ୍ଣୁଙ୍କ ଅବତାର? ନା ସେ ଜଣେ ପ୍ରଜାବତ୍ସଳ ରାଜା ଥିଲେ? କିଛିଦିନ ତଳେ ଏ ବିଷୟରେ ଖୁବ୍ ଜୋର ରେ ଚର୍ଚ୍ଚା ଚାଲିଥିଲା ା ଏବେ ରାମ ଜନ୍ମଭୂମିରେ ବିଶ୍ବ ପ୍ରସିଦ୍ଧ ରାମ ମନ୍ଦିର ନିର୍ମାଣ ଅବସରରେ ଏମିତି ଆଲୋଚନା କୋଟି କୋଟି ରାମ ଭକ୍ତଙ୍କୁ ବେଶ ଚଳ ଚଞ୍ଚଳ କରିଛି ା
ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ର କୋଟି କୋଟି ସନାତନ ହିନ୍ଦୁ ଧର୍ମାବଲମ୍ବୀଙ୍କ ପ୍ରାଣର ସ୍ପନ୍ଦନ ା ସେ ହେଉଛନ୍ତି ଆଦର୍ଶର ଗନ୍ତାଘର ା ଜଣେ ପୁତ୍ର, ଭାଇ, ସ୍ବାମୀ,ମିତ୍ର, ରାଜା,ଜଣେ ପିତା , ଶିଷ୍ୟ ଏମିତି ପ୍ରତିଟି ସଂପର୍କ ନିମିତ୍ତ ସେ ହେଉଛନ୍ତି ଆଦର୍ଶ ଚରିତ୍ର ା ସେ ପୁରୁଷଙ୍କ ମଧ୍ୟରେ ଉତ୍ତମ ା ତାଙ୍କ ଚରିତ୍ର ସର୍ବଦା ଗଢିଛି ମହନୀୟତାର ସୁଉଚ୍ଚ ତୋରଣ ା
ଭାଇ ଭାବରେ ତାଙ୍କ ଚରିତ୍ରକୁ ଅନୁଶୀଳନ କଲେ ଭ୍ରାତା ଭରତ,ଲକ୍ଷ୍ମଣ, ଶତ୍ରୁଘ୍ନଙ୍କ ପ୍ରତି ଅସୀମ ଶ୍ରଦ୍ଧା , ଜ୍ୟେଷ୍ଠ ହିସାବରେ ସେମାନଙ୍କ ପ୍ରତି କର୍ତ୍ତବ୍ୟ ପାଳନ, ଭରତକୁ ଅଯୋଧ୍ୟାର ରାଜ ସିଂହାସନ ନିମିତ୍ତ ଉପଦେଶ ଓ ତାଙ୍କରି ଅନୁରୋଧକ୍ରମେ ନିଜ କଠଉ ଅର୍ପଣ ଆଦି ଘଟଣା ତାଙ୍କୁ ଯୁଗ ଯୁଗ ପାଇଁ ମହନୀୟତାର ଶିଖରରେ ଅବସ୍ଥାପିତ କରିଥିବା ସ୍ପଷ୍ଟ ଅନୁମେୟ ା
ପୁତ୍ର ଭାବରେ ଦେଖିବାକୁ ଗଲେ ସେ ଥିଲେ ସର୍ବୋତ୍ତମ ପୁତ୍ର , ଯିଏକି ପିତା ରାଜା ଦଶରଥ ନ କହିବା ଆଗରୁ ଅନ୍ୟଠାରୁ ପୂର୍ବ ସୂଚନା ପାଇ ପିତୃ ସତ୍ୟପାଳନ ନିମିତ୍ତ ରାଜଗାଦିରେ ଅଭିଷିକ୍ତ ହେବା ବଦଳରେ ଲୋଭ, ମୋହ, ମାୟା ବର୍ଜନପୂର୍ବକ ବାହାରି ପଡିଥିଲେ ଦୀର୍ଘ ଚଉଦ ବର୍ଷର କଷ୍ଟମୟ ବନବାସ ଯାତ୍ରା ନିମିତ୍ତ ସହାସ୍ୟ ବଦନରେ ା
ଜଣେ ସ୍ବାମୀ ଭାବରେ ସେ ପାଳନ କରିଥିଲେ ଏକ ପତ୍ନୀ ବ୍ରତ ା ଯଦିବା ସେତେବେଳେ ରାଜା ମହାରାଜା ମାନେ ଏକାଧିକ ନାରୀଙ୍କୁ ବିବାହ କରି ଅଏସ ଆରାମରେ ରାଜକୀୟ ଜୀବନ ଶୈଳୀକୁ ଉପଭୋଗ କରିଆସୁଥିଲେ ା ଅଥଚ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଥିଲେ ମର୍ଯ୍ୟାଦା ପୁରୁଷ ା ସେ ଏକ ପତ୍ନୀ ବ୍ରତ ପାଳନ ପୂର୍ବକ ତତ୍ କାଳୀନ ସମାଜରେ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଥିଲେ ା ସେ ସୃଷ୍ଟି କରିଯାଇଥିବା ଏକ ପତ୍ନୀ ଗ୍ରହଣ ବ୍ୟବସ୍ଥା ଅଦ୍ୟପି ଭାରତୀୟ ସଂସ୍କୃତିର ପ୍ରମୁଖ ପରିଚୟ ଓ ଏହା ଏକ ସୁସ୍ଥ ପରମ୍ପରା ବୋଲି ଜନମାନସରେ ବିଦିତ ା
ଶ୍ରୀରାମ ଚନ୍ଦ୍ର ଥିଲେ ଜଣେ ପରମ ଗୁରୁ ଭକ୍ତ ଶିଷ୍ୟ ା ଯିଏ କି ଗୁରୁ ବଶିଷ୍ଠଙ୍କ ପଦେ କଥାରେ ଭ୍ରାତା ଲକ୍ଷ୍ମଣଙ୍କ ସହ ଗୁରୁ ଆଶ୍ରମରେ ଉପସ୍ଥିତ ରହି ତାଡକା, ସୁବାହୁ ଭଳି ରାକ୍ଷସଙ୍କ ବଧ କରି ଗୁରୁଙ୍କ ହୋମ ଯଜ୍ଞ ସମାପନରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇ ଅନନ୍ୟ ଗୁରୁ ଶିଷ୍ୟ ପରମ୍ପରା ର ପରିଚୟ ପ୍ରଦାନ କରିଥିଲେ ା ଗୁରୁଙ୍କ ଆଦେଶରେ ମାତା ସୀତାଙ୍କୁ ବିବାହ ନମିତ୍ତ ଶିବ ଧନୁ ଭାଙ୍ଗି ଜନକ ନନ୍ଦିନୀଙ୍କୁ ଅଯୋଧ୍ୟା ନେଇ ଆସିଥିଲେ ା
ପାଷାଣୀ ସତୀ ଅହଲ୍ୟା ଙ୍କୁ ଉଦ୍ଧାର କରିବା ହେଉ କିମ୍ବା କୈବର୍ତ୍ତକୁ ପାଦ ଧୋଇବା ସୁଯୋଗ ଦେବା, ଗୃହକ ଶବର ସହ ବନ୍ଧୁତା ହେଉ ଅବା ଶବରୀ ବୁଢୀର ଅଇଁଠା କୋଳି ଖାଇବା ପ୍ରସଙ୍ଗ ଏବଂ ପରବର୍ତ୍ତୀ ସମୟରେ ସୁଗ୍ରୀବଙ୍କ ପରି ବାନର ରାଜାଙ୍କ ସହ ମିତ୍ରତା, ଅଙ୍ଗଦ, ହନୁମାନ, ଭଲ୍ଲୁକ,ବାନର ଆଦିଙ୍କ ସହ ସୁ ସଂପର୍କ ସ୍ଥାପନ ଓ ମିତ୍ରତା ଆଦି ପ୍ରମାଣିତ କରେ ସେ ଥିଲେ ସର୍ବଜନାଦୃତ ବ୍ୟକ୍ତିତ୍ବ ଓ ଭକ୍ତର ଭଗବାନ ା
ଜଣେ ପ୍ରଜାବତ୍ସଳ ରାଜା ଓ ରାଜ ଚକ୍ରବର୍ତ୍ତୀ ସମ୍ରାଟ ଭାବରେ ଅଶ୍ବମେଧ ଯଜ୍ଞ ଅନୁଷ୍ଠାନରୁ ଆରମ୍ଭ କରି ପ୍ରଜାଙ୍କୁ ସନ୍ତାନ ତୁଲ୍ୟ ପାଳନ କରିବା ତାଙ୍କ ଶାସନ କାଳର ଶ୍ରେଷ୍ଠ ନିଦର୍ଶନ ା ସେଥିପାଇଁ ତ କଥା ଛଳରେ ସମସ୍ତେ ଏବେ ବି ରାମ ରାଜ୍ୟକୁ ଝୁରିଥାନ୍ତି ଓ ସର୍ବଦା ରାମ ରାଜ୍ୟ ର ସ୍ବପ୍ନ ଦେଖିଥାନ୍ତି ା ଅବଶ୍ୟ ପ୍ରଜାନୁରଞ୍ଜନ ନିମିତ୍ତ ରଜକ-ରଜକୀ ଙ୍କ କଳହରୁ ସୃଷ୍ଟ ସନ୍ଦେହ ଓ ତତ୍ ଜନିତ ଅନ୍ତଃସତ୍ବା ମାତା ଜାନକୀଙ୍କୁ ବର୍ଜନ ତାଙ୍କ ମହନୀୟ ଚରିତ୍ରରେ ଚନ୍ଦ୍ରମାର କାଳୀମା ସମ ଦାଗ ଲଗାଇଥିଲା ,କିନ୍ତୁ ପ୍ରଜାଙ୍କ ସନ୍ଦେହ ମୋଚନ କରି ଜଣେ ଉତ୍ତମ ପ୍ରଜାପାଳକ ରୂପେ ସେ ଚିରଦିନ ନିମିତ୍ତ ଜନାଦୃତ ା
ପିତା ଭାବରେ ଲବ କୁଶଙ୍କ ପରିଚୟ ପାଇବା ପରେ ନିଜ କର୍ତ୍ତବ୍ୟପାଳନ ସହ ସେ ଯେଉଁ ଦାୟିତ୍ବବୋଧର ପରିଚୟ ଦେଇଥିଲେ ତାହା ଥିଲା ଅନନ୍ୟ ା
ଅନ୍ୟାୟ, ଅଧର୍ମକୁ ପ୍ରତିହତ କରିବା ନିମତ୍ତ ସେ ଦୁଷ୍ଟ ରାକ୍ଷସ ରାବଣକୁ ବଧ କରି ଭୀତତ୍ରସ୍ତ ଧରଣୀ ସମେତ ସମସ୍ତ ଜୀବଜନ୍ତୁ,ମନୁଷ୍ୟ, ଦେବତା,ଗନ୍ଧର୍ବ,ନାଗଲୋକ, ଏହିପରି ତ୍ରିପୁରବାସୀଙ୍କୁ ସନ୍ତୋଷ ପ୍ରଦାନ କରିଥିଲେ ା
ଶ୍ରୀରାମ ଚନ୍ଦ୍ର ଭଗବାନ ଶିବଙ୍କ ପରମ ଉପାସକ ଥିଲେ ା ରାମେଶ୍ବରମ ଶୈବ ମନ୍ଦିର ତାଙ୍କ ପୂଜିତ ଏକ ପ୍ରସିଦ୍ଧ ତୀର୍ଥସ୍ଥାନ ଅଟେ ା ସେହିପରି ସେ ମାତା ଦଶଭୂଜା ଦୂର୍ଗାଙ୍କୁ ପୂଜା କରି ଶକ୍ତି ଉପାସନାର ବଳିଷ୍ଠ ଭିତ୍ତିଭୂମି ସ୍ଥାପନ କରିଛନ୍ତି ା ସନାତନ ହିନ୍ଦୁ ଧର୍ମରେ ସେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଚନ୍ଦ୍ର ରୂପେ ଭଗବାନ ବିଷ୍ଣୁଙ୍କ ଦଶଅବତାରରୁ ଏକ ପ୍ରମୁଖ ଅବତାର ରୂପରେ ଘରେ ଘରେ ପୂଜିତ ା
ସୁଖର କଥା କିଛି ଦିନ ତଳେ ଅର୍ଥାତ ଦୁଇ ହଜାର କୋଡିଏ ମସିହା ଅଗଷ୍ଟ ଚାରି ଓ ପାଞ୍ଚ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ ନିମିତ୍ତ ଭୂମି ପୂଜନ ବିଧି ସହ ତାଙ୍କର ଜନ୍ମ ଭୂମି ଅଯୋଧ୍ୟାରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି ାଯଦିଓ ଏହି ମନ୍ଦିର ନିର୍ମାଣର ଇତିହାସ ଘଟଣାବହୁଳ ଓ ଏହାର ପୃଷ୍ଠଭୂମି ରେ ନାନା ରୋମାଞ୍ଚକର କାହାଣୀ ରହିଛି ତଥାପି ଏହି ମନ୍ଦିର ରାମ ଲାଲାଙ୍କ ସମ୍ମାନ ଓ ପୂଜନ ନିମିତ୍ତ ଏକ ମାଇଲ ଖୁଣ୍ଟ ହୋଇ ବିଶ୍ବ ଇତିହାସରେ ସ୍ଥାନ ପାଇବ ଏହି ଆଶା ସମସ୍ତ ସନାତନ ଧର୍ମୀଙ୍କ ମନରେ ସର୍ବଦା ରହିଛି ା ରାମ ଜଣେ ମହାପୁରୁଷ ପରି ସମାଜକୁ ଦେଇଛନ୍ତି ଦିଗଦର୍ଶନ ା ସମାଜ ସୁଧାରକ ରୂପେ ଆଦିବାସୀ, ବନବାସୀଙ୍କୁ ମିତ୍ରର ମାନ୍ୟତା ଦେଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ା ଭଗବାନ ବିଷ୍ଣୁଙ୍କ ଅବତାର ସାଜି ରାବଣକୁ ବଧ କରି ସମଗ୍ର ଜୀବ ଜଗତକୁ ଶାନ୍ତି ଦେଇଛନ୍ତି ା ଜଣେ ରାଜଚକ୍ରବର୍ତ୍ତୀ ସମ୍ରାଟ ଓ ପ୍ରଜା ବତ୍ସଳ ରାଜା ରୂପେ ପ୍ରଜାପାଳନ କରି ଶ୍ରେଷ୍ଠ ରାଜାର ମାନ୍ୟତା କାଳ କାଳକୁ ବଜାୟ ରଖିଛନ୍ତି ା ଜଣେ ଆଦର୍ଶ ଚରିତ୍ର ରୂପେ ସଦା ସର୍ବଦା ପୂଜନୀୟ ଓ ବନ୍ଦନୀୟ ହୋଇରହିଛନ୍ତି ା
" ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ" ଭାଗବତର ଏହି ବାଣୀଟି ପ୍ରମାଣିତ କରୁଛିକି ଭଗବାନ ରାମ ମାନବ ଜନ୍ମ ଗ୍ରହଣ କରି ନିଜ ମାନବୀୟ ଲୀଳାଖେଳା ରଚନା କରିବା ସହ ସମାଜର ମଙ୍ଗଳ ପାଇଁ ଯୁଗ ଯୁଗକୁ ମହନୀୟ ଚରିତ୍ର ,ନୀତି, ଆଦର୍ଶ, ମୂଲ୍ୟବୋଧ ର ଛାପ ଛାଡି ଯାଇଛନ୍ତି ା ତାଙ୍କୁ କେଉଁ ରୂପରେ ଦେଖିବା ସେଥିପାଇଁ ଆମକୁ କେବଳ ଏକ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ରହିଛି ାା
ବଡକୋଦଣ୍ଡା, ଭଞ୍ଜନଗର,ଗଂଜାମ

No comments:
Post a Comment