ବିଚିତ୍ର ଏ ସଂସାର । ଯେଉଁ ମଣିଷ କୁକୁର କୁ ଗେହ୍ଲା କରେ ସେଇ ମଣିଷ ଟି ପୁଣି ମଣିଷକୁ ନାକ ଟେକେ । ଘୃଣା କରେ । ଧୋଵଧାଉଳିଆ ଚୋର କୁ ଡାକିହାକି ଘରେ ବସାଏ। ତା ମିଛ ପ୍ରେମରେ ପଡେ, ସମ୍ପତ୍ତି ସହିତ ନିଜକୁ ଲୁଟାଏ, କିନ୍ତୁ ସେହି ସମାନ ଲୋକ ମଳିମୁଣ୍ଡିଆଟେ ଦେଖିଲେ ଦୁର୍ ଦୁର୍ ମାର୍ ମାର୍ କରେ । ସାଧୁ ଲୋକଟିକୁ ଚୋର ବୋଲି ଭାବେ ।
ସମାଜରେ ବିଭିନ୍ନ ପ୍ରକାର ଲୋକ ଅଛନ୍ତି । ଯେମିତିକି ଜରିଗୋଟାଳି, ଖରା ନାହିଁ ତରା ନାହିଁ ଛିଣ୍ଡା ଲେଙ୍କଡା ଖଣ୍ଡେ ପିନ୍ଧି ଅଳିଆ ଭିତରୁ ଆମର ନିହାତି ଅଦରକାରୀ ଜରିସଵୁକୁ ଗୋଟେଇ ନିଜ ତା ପେଟ ଚାଖଣ୍ଡକ ପାଇଁ । ସେ କେଉଁଠୁ ଆସେ କୁଆଡେ ଯାଏ ତାର ହିସାବ କିଏ ରଖନ୍ତିନି । ଘରେ ଥିବା ଅବ୍ୟବହୃତ ଶାଢ଼ୀ ବା ଡ୍ରେସ ତାକୁ କେହି ଯାଇଛି ଦିଅନ୍ତିନି । କିନ୍ତୁ ସେହି ସମୟରେ ଯଦି କେହି ସାଧୁ ବେଶୀ ବାବା ଆସନ୍ତି ତାକୁ ମହା ଆଦରରେ ଡାକି ନିଅନ୍ତି ।
ସେହିପରି ଛୋଟ ଛୋଟ ଫେରି ବାଲା - ଯେମିତିକି ବାଳବାଲା, ଭଙ୍ଗା ଟିଣ ଡବାବାଲା, କଵାଡିବାଲା, - ଏମାନଙ୍କୁ ସମାଜର ଲୋକେ ଘରଠାରୁ ଦୂରରେ ରଖନ୍ତି। । ଆଉ ଟିକିଏ ଉପରକୁ ଆସିବା - ଯେମିତିକି ଗୁପଚୁପ ବାଲା, ଚାଟଵାଲା, ଦହିବରା ଆଳୁଦମ୍ ,ମସଲାମୁଢି ସମସ୍ତେ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ତାଙ୍କୁ କେଉଁ ଆଖି ରେ ଦେଖନ୍ତି ଆପଣ କୁହନ୍ତୁ ।
ମହାମାରୀ ସମୟରେ ସଫେଇ କର୍ମଚାରୀମାନଙ୍କୁ ଆମେ କୋଭିଢ୍ ଯୋଦ୍ଧା କହୁଛୁ । ପ୍ରକୃତରେ ସେମାନେ କେଉଁ ଯୋଦ୍ଧା ଠୁ କମ୍ ନୁହେଁ । କିନ୍ତୁ ଜନସାଧାରଣ ସଫେଇ କର୍ମଚାରୀମାନଙ୍କୁ କେଉଁ ଆଖିରେ ଦେଖନ୍ତି ମୋତେ ହୁଏତ କହିବାକୁ ପଡିବନି ।
କିଛି ଲୋକ ଅଛନ୍ତି ପୁରୁଣା ଲୁଗା ନେଇ ଷ୍ଟିଲ ଓ ପ୍ଲାଷ୍ଟିକ ବାସନ ଦିଅନ୍ତି । ଆମ ଘରର ଅଳିଆ କହିବାକୁ ଗଲେ ସଫା ହୋଇଯାଏ, ତଥାପି ବହୁ ଲୋକ ତାଙ୍କୁ ହୀନ ଦୃଷ୍ଟିରେ ଦେଖନ୍ତି । କାହିଁକି ?? ମୁଁ ଭାବେ ସେମାନେ ସମାଜର ହିତସାଧନ ଲାଗି ନିଜ ପେଟ ପୋଷିବାର ମାଧ୍ୟମ ବାଛିଛନ୍ତି । ଆମର ଅଦରକାରୀ ବସ୍ତ୍ର ନେଇ ଆମକୁ କିଛି ନା କିଛି ଜିନିଷ ଦେଇ ତାଙ୍କର ପେଟ ପୋଷିବା ବଦଳରେ ଯାହାର ଆବଶ୍ୟକ ତାକୁ ଯୋଗାଇ ଦିଅନ୍ତି । କୁହନ୍ତୁ ଏମାନେ ସମାଜ ଉପକାର କରନ୍ତି ନା ନାହିଁ ??
ଏମିତି ବହୁ ଲୋକ ଆମର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଉପକାର ରେ ଆସନ୍ତି । ଆପଣ ମାନେ ଖବରକାଗଜ ରେ ପଢୁଥିଲେ ବ୍ରେନ୍ ବେଡ୍ ପରେ ଅଙ୍ଗ ଦାନ କଥା । ଅଙ୍ଗ ଗ୍ରହଣକାରୀ ମାତାଙ୍କୁ ଚିହ୍ନି ଥାଏ ନା ଜାଣିଥାଏ । ଦୈବ ଯୋଗୁଁ ଏପରି ହୋଇଥାଏ । ତେବେ ମଣିଷ ହୋଇ ମଣିଷ କୁ ଘୃଣା କରିବା କାହିଁକି ?? ଆପଣଙ୍କର ହଠାତ୍ କ'ଣ ହେଲେ ଆପଣଙ୍କ ଚାକର/ଚାକରାଣୀ ରକ୍ତ ଦେଇ ପାରନ୍ତି, ପୋଷା କୁକୁର ବା ବିଲେଇ ନୁହେଁ ।ପଶୁପକ୍ଷୀ ଙ୍କୁ ସ୍ନେହ ଆଦର ଏକ ଭଲଗୁଣ । ତା ମାନେ ନୁହେଁ ତା ଆଗରେ ମଣିଷ ଛୋଟ । ମଣିଷ କୁ ମଣିଷର ଘୃଣା କାହିଁକି ??
ଆସନ୍ତୂ, ଆଜି ଠୁ ସତର୍କ ହେବା, ଯତ୍ ପରୋନାସ୍ତି ସାହାଯ୍ୟ କରିବାକୁ ଚେଷ୍ଟା କରିବା । ତେବେ ତ ଦେଶର ମଙ୍ଗଳ ହେବ । ଦେଶର ଏ ବିପତ୍ତି ସମୟରେ ମାନବିକତା ଜାଗି ଉଠୁ, ଏ ଅକିଞ୍ଚନର ଏହାହିଁ ଉଦ୍ଦେଶ୍ୟ ।
ଧନ୍ୟବାଦ
👏କଳ୍ପନା ରାୟ,
👏କଳ୍ପନା ରାୟ,
ଲଇଡା, ସମ୍ବଲପୁର
No comments:
Post a Comment