Sunday, September 6, 2020

ସ୍ୱପ୍ନ

ଡ.ଗୁରୁ ମୂର୍ତ୍ତି ନାୟକ

କେତେ ଦିନ ହେବ ତୁମେ
ସ୍ୱପ୍ନ ଦେଖିବା ଆରମ୍ଭ କଲଣି
କେତୋଟି ଶଦ୍ଦକୁ ନେଇ
କବିତା ଲେଖିବା ଭଳି
ଗୋପନରେ ଅଶ୍ରୁକୁ ଲୁଚାଇ
କାଠ ଢାବଲ ସମୟ ଥାକରେ
ଛଟପଟ ଧଳାପାରା ଜୀବନକୁ ଧରି
ଅପୂରଣୀୟ ପ୍ରାପ୍ତିର ବିଷର୍ଣ୍ଣ ଗୋଧୂଳିରେ
ରୂପାର ଜହ୍ନକୁ ରୋଷଣୀ ଜାଳି
ମନ ଅଗଣାରେ ସଂଜବତୀ ଦେଇ
ବଞ୍ଚିବା ବାହାରେ ଜୀବନକୁ ଧରି
ତୁମେ ସ୍ୱପ୍ନ ଦେଖୁଛ କିପରି ?
ହଜାଇବାର ହତାଶା
ପାଇବାର ବ୍ୟାକୁଳତା
ନିଜ ଲୋକର ବିଫଳତା
ଭୋଗିବା ଠାରୁ
ଆହୁରି ଯନ୍ତ୍ରଣା ସ୍ୱପ୍ନ ।
ତଥାପି ଶୀତଳ ଉଦାରତା
ପ୍ରକୃତିର ସବୁଜ କଳ୍ପନା
ସମୁଦ୍ର ପରି ବିଶାଳ
ବେଳେ ବେଳେ ବିଭତ୍ସ
ନୃସଂସ,ଲାଳସାର ଅଗ୍ନି
କାମନାର ଅଗ୍ନି
ଶୂନ୍ୟ ଆକାଶ ଠାରୁ ଜୀବନ ପ୍ରଶ୍ନର
ଉତ୍ତର ଖୋଜେ ।
ଉଜୁଡା ଅନୁଭୂତି ସଜଡା ଅନୁଭବରେ
ସ୍ୱପ୍ନ ଦେଖ କିପରି ?
ଶୂନ୍ୟ ସିଗାରେଟ ଖୋଳ ଜୀବନରେ
ହଜାର ଅନୁଭବ ମଧ୍ୟରେ
ସ୍ୱପ୍ନ ଅମଡା ବାଟରେ ଚାଲେ
ସମୟ ପ୍ରଶ୍ନ କାନ୍ଧରେ
ବସିଥିବା ବେତାଳ
ନିଃଶଦ୍ଦ ଠାରୁ ଶଦ୍ଦ ପାଇ
ଉଡିଯିବ ନିଶ୍ଚୟ!
ସ୍ୱପ୍ନର ସିଡ଼ି ଚଢିବା ଆଗରୁ
ବାସ୍ତବ ଅନୁଭବ ଚଟାଣରେ
କଚଡା ଖାଇବା ଶିଖ
ଛାୟା କାୟା ସାମ୍ନାସାମ୍ନି କରିବା ଶିଖ
ମନ,ଜ୍ଞାନ, ଇନ୍ଦ୍ରିୟକୁ ଶୁଆଇବା ଶିଖ
ଆପେ ଆପେ ସ୍ୱପ୍ନ ଧରାଦେବ
ଅଭିମାନ ଭରା ଆଖିପତାରେ
ଢଳଢଳ ହୋଇ
ମନତଳେ ଅନୂଢା କିଶୋରୀର
ରୋମାଞ୍ଚିତ କରି
ଗଭୀର ଆୟତ୍ତ ଆଖିରେ
ନିଷ୍ପାପ ମାଦକତା ଭରି
ପଥର ମୂର୍ତ୍ତି ଭଳି ପ୍ରଶାନ୍ତରେ
ସ୍ୱପ୍ନ ଆସିବ ଅଳକାପୁରରୁ ।।
ଅଧ୍ୟାପକ
ଭଂଜନଗର, ଗଂଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy