Saturday, August 1, 2020

କରୋନା ଠାକୁରାଣୀ

କରୋନାଠାକୁରାଣୀ
★★★★★★★★

    "କରୋନା ଠାକୁରାଣୀ"ଙ୍କ ମନ୍ଦିର ପ୍ରତିଷ୍ଠା;ଦର୍ଶନ,ପୂଜା,ଅର୍ଚ୍ଚନା, ଅନଲାଇନ ରେ !!!!
     ସେଥିପାଇଁ ପୁଣି ମୋବାଇଲରେ "ଜୟ କରୋନା ମା"ଆପ୍ ଡାଉନଲୋଡ଼ କରିବାକୁ ହେବ !
ସହରରେ କରୋନା ଠାକୁରାଣୀଙ୍କର ଗୋଟେ ମନ୍ଦିର ପ୍ରତିଷ୍ଠା ହୋଇ ପୂଜା ଅର୍ଚ୍ଚନା ଆରମ୍ଭହୋଇଛି ଶୁଣି ସୁରେଶ ଯେତିକି  ଆଶ୍ଚର୍ଯ୍ୟ ନହେଲା ତାଠାରୁ ଅଧିକ ଆଶ୍ଚର୍ଯ୍ୟ ହେଲା ଯେ,ସବୁ ଧର୍ମ,ବର୍ଗର ଲୋକେ ଠାକୁରାଣୀଙ୍କ ପୂଜା ଅର୍ଚ୍ଚନା,ପ୍ରସାଦ,ଭେଟି,ଅର୍ପଣ,ଦାନ ଏସବୁ କରିପାରିବେ କେବଳ ଅନଲାଇନ ରେ।ମାତାଙ୍କ ଦର୍ଶନ ,ପୂଜା କେବଳ ଅନଲାଇନ ରେ , ମୋବାଇଲ ଆପ ଦ୍ବାରା!!!
   ଲକଡାଉନ ସଟଡାଉନ ତଥା ଭକ୍ତଙ୍କ ଭିଡ଼ ଯୋଗୁଁ କରୋନା ସଂକ୍ରମଣ ବ୍ୟାପିବା ଭୟ ଥିବାରୁ ,ଭକ୍ତଙ୍କ ସ୍ବାସ୍ଥ୍ୟ କୁ ଦୃଷ୍ଟିରେ ରଖି ମନ୍ଦିର କମିଟି ଏଇ ନିଷ୍ପତ୍ତି ନେଇଛି ବୋଲି ସମ୍ବାଦ ବାହାରିଛି। 
ଟିକେ କୌତୂହଳୀ ହେବା ସହ ବିରକ୍ତିଭାବ ବି ତା ମନକୁ ଆସୁଥିଲା ସୁରେଶ'ର।ମହାମାରୀ କରୋନା ବ୍ୟାପି ଲୋକଙ୍କ ଜୀବନ ନେଉଥିବା ବେଳେ,ନିଶ୍ଚେ କେଉଁ ଠକ ଏଭଳି ମନ୍ଦିର,ଠାକୁରାଣୀ ପ୍ରତିଷ୍ଠା କରି ଲୋକଙ୍କୁ ଭୁଆଁ ଭୁଲାଉଥିବ।
ମୋବାଇଲ ରେ ସମ୍ବାଦଟିକୁ ଆଉ ଥରେ ଭଲ କରି ପଢିଲା।ସିଗାରେଟ ପ୍ୟାକେଟ ଉପରେ ଦିଆଯାଇଥିବା ସୂଚନା ଭଳି,ସ୍ପଷ୍ଟ ଭାବେ ଏଇ ମନ୍ଦିର ଟ୍ରଷ୍ଟ ସ୍ପଷ୍ଟିକରଣ ଦେଇଛି ଯେ,ପୂଜା ଯୋଗୁଁ କୌଣସି ଚମତ୍କାରିତାର ଗ୍ୟାରେଣ୍ଟି ଭକ୍ତଙ୍କୁ ଦିଆଯାଉ ନାହିଁ।କରୋନା ଠାକୁରାଣୀଙ୍କ ଉପରେ  ନିଜର ଅଖଣ୍ଡ ଭକ୍ତି ଓ ବିଶ୍ବାସ ଥିବା ବ୍ୟକ୍ତିମାନେ ହିଁ କେବଳ ପୂଜା ଅର୍ଚ୍ଚନା କରିବାକୁ ଟ୍ରଷ୍ଟ ତରଫରୁ କୁହାଯାଇଛି।
ହଜାର ହଜାର ଲୋକ ଏଇ ଆପ ଡାଉନ ଲୋଡ଼ କରି ପୂଜା ଅର୍ଚ୍ଚନା ଆରମ୍ଭ କଲେଣି ବୋଲି ଶୁଣିଲା ସୁରେଶ।
ଟ୍ରଷ୍ଟ'ର ମୁଖ୍ୟ ଓ ମନ୍ଦିର ପ୍ରତିଷ୍ଠାତାଙ୍କ ନାଁ ଓ ଫଟ ଦେଖି ଚମକି ପଡ଼ିଲା ସୁରେଶ।ଆରେ!ଇୟେ ତ ସେଇ ବ୍ୟକ୍ତି,ୟାଙ୍କୁ ତ ସେ ଆଗରୁ ଭେଟିଛି।ବିଶ୍ଵବିଜୟ ବାବୁ।
    ମନ୍ଦିରଟିକୁ ବାହାରୁ ଦେଖି,ଏହାର ନିର୍ମାତା,ପ୍ରତିଷ୍ଠାତାଙ୍କୁ ଭେଟିବାର ଦୁର୍ବାର ଅଭିପ୍ରାୟ କୁ ରୋକି ପାରିଲାନି ସୁରେଶ।ଗାଡି ନେଇ ପହଁଚିଲା ସହର'ର ଉପକଣ୍ଠରେ ଥିବା ଛୋଟିଆ ଏକ ମନ୍ଦିର ,ଯାହା ଚାରିଆଡୁ ଉଚ୍ଚ ପାଚେରୀ ଦ୍ବାରା ଘେରା ହୋଇଥିଲା ଓ ସି ସି ଟିଭି କ୍ୟାମେରା ଓ ସୁରକ୍ଷା କର୍ମଚାରୀଙ୍କ ହେପାଜତରେ ଥିଲା।ଭିତରକୁ କାହାକୁ ଛଡା ଯାଉ ନଥିଲା।
ନିଜ ପରିଚୟପତ୍ର ଓ ମୋବାଇଲ ନମ୍ବର ସୁରକ୍ଷାକର୍ମୀକୁ ଦେଲା।କିଛି ସମୟ ପରେ ଭିତରକୁ ଯିବାକୁ ଅନୁମତି ମିଳିଲା ସୁରେଶକୁ।
ମନ୍ଦିର ଅଫିସ ପିଣ୍ଡାରେ ଠିଆ ହୋଇଥିଲେ ସେଇ ଯୁବକ ଯାହାଙ୍କୁ ସୁରେଶ ଭେଟିଥିଲା କୋଭିଡ଼ ହସ୍ପିଟାଲରେ ;
ବିଶ୍ଵବିଜୟ ବାବୁ।ତାଙ୍କ ବାପା,ମା ବି ସିରିଅସ ହୋଇ ହସ୍ପିଟାଲ ର ଆଇସିୟୁ ରେ ଥିଲେ।
  ସେମାନେ ଦୁହେଁ କରୋନା ପଜିଟିଭ୍ ହୋଇ ପାଖାପାଖି ବେଡ଼ରେ ଥିଲେ।ସେତିକି ବେଳେ ଉଭୟଙ୍କର ପରିଚୟ ଓ ଦେଖାସାକ୍ଷାତ।
- ନମସ୍କାର ସୁରେଶ ବାବୁ,ଭିତରକୁ ଆସନ୍ତୁ।"
   କଥାବାର୍ତ୍ତା ଚାଲିଲା।
- ହଠାତ ଏଇ ମନ୍ଦିର ପରିକଳ୍ପନା ?
-ପ୍ରକୃତରେ ମୋ ବାପା ଏଇ ମନ୍ଦିରଟି ଭିନ୍ନ ଦେବୀଙ୍କ ପାଇଁ ନିର୍ମାଣ କରୁଥିଲେ।କିନ୍ତୁ
 ମୁଁ ନିଜେ ଓ ବାପା,ମା  କରୋନାରୁ ସୁସ୍ଥ ହେଲାପରେ ମନ୍ଦିର ଟିକୁ କରୋନା ଉଦ୍ଦେଶ୍ୟରେ ସମର୍ପିତ କରିବାକୁ ଭାବିଲୁ।"
- କିନ୍ତୁ କରୋନା ଠାକୁରାଣୀ !ଏମିତି ଦେବୀ କଣ ଅଛନ୍ତି ?କିଏ ଦେଖିଛି ତାଙ୍କୁ ?"
  ମୃଦୁ ହସି ସେ କହିଲେ,
- କରୋନା କୁ ଖାଲି ଆଖିରେ କିଏ ଦେଖିଛି ?
ଯେଉଁଜିନିଷ ର ଚାହିଦା ମାର୍କେଟରେ ଥାଏ,ଲୋକେ ତାରି ପଛରେ ଦୌଡନ୍ତି।
ମୁଁ ସ୍ୱପ୍ନରେ ଦେଖିଲି ମାତାଙ୍କ ମୂର୍ତ୍ତି ଓ ବରାଦ ଦେଇ ତିଆରି କଲି।"
- ହଁ,ଅନଲାଇନ ରେ ଭାଇରାଲ ହୋଇଥିବା କରୋନା ଦେବୀଙ୍କ ମୂର୍ତ୍ତି ମୁଁ ଦେଖିଲି।ତେବେ ମାତାଙ୍କ ଆଖି ଛୋଟ ଓ ନାକ ଚେପା କାହିଁକି ?
- ମାତାଙ୍କ ଜନ୍ମ ପରା ଚୀନରେ।"
   ନିଜ ହସକୁ ଚାପିଧରି ସୁରେଶ କହିଲା,
- କିନ୍ତୁ ମାତା,ଶାଢ଼ୀ,ସିନ୍ଦୁର,ଚନ୍ଦନ,ପୁଣି ଦେହରେ କଳା ରଙ୍ଗର କଣ ଗୋଟେ ଘୋଡାଇ ହୋଇଛନ୍ତି ଓ ହାତରେ ଗୋଟେ ମିଶାଣ ଚିହ୍ନ ଓ  ତାରା ଧରିଛନ୍ତି କାହିଁକି  ?"
- ମାତା ଏବେ ଭାରତରେ ଅବସ୍ଥାନ କରିଛନ୍ତି,ଭାରତୀୟ ରୂପ।ସର୍ବ ଧର୍ମର ସମାହାର।ହିନ୍ଦୁ,ମୁସଲିମ,ଖ୍ରୀଷ୍ଟିଆନ ଓ ଅନ୍ୟାନ୍ୟ ଧର୍ମ ଲୋକ ମାତାଙ୍କ ପୂଜା କରି ଆଶୀର୍ବାଦ ନେଇପାରିବେ।କଳା ରଙ୍ଗର ଯେଉଁ ଆଲଖରା ଘୋଡାଇଛନ୍ତି ତାକୁ ଆପଣ ପିପିଇ କିଟ ବୋଲି କହିପାରନ୍ତି।"
  ସୁରେଶ ଏଥର ଟିକେ ଆମୋଦିତ ଢଙ୍ଗରେ ପଚାରିଲା,
-  ମାତାଙ୍କ ପାଖରେ ଫୁଲ,ଫଳ,ଭୋଗରାଗ ବଦଳରେ କେବଳ ମାସ୍କ,ସାନିଟାଇଜର,
ପିପିଇ କିଟ କାହିଁକି ଚଢା ଯାଉଛି ?"
- କେବଳ ଏଇ ଜିନିଷ ହିଁ ଲୋକଙ୍କୁ ମାତାଙ୍କ କୋପରୁ ରକ୍ଷା କରିପାରିବ।ଏଇଟା ହେଉଛି ମା ଙ୍କର ମୁଖ୍ୟ ମନ୍ଦିର।ଏବେ ସାରା ଭାରତରେ ଏଇ ମନ୍ଦିରର ଶାଖା ଖୋଲିବାକୁ ଅନେକ ଫ୍ରାଞ୍ଚାଇଜ ପାଇଁ ଆବେଦନ କରିଛନ୍ତି।"
    ମନ୍ଦିର ପାଖରେ ସେମାନେ ପହଞ୍ଚି ସାରିଥିଲେ।ସୁରେଶ ଦେଖୁଥିଲା ମନ୍ଦିର ପରିସରରେ ଥିବା ବିରାଟ ହଲ ରେ ଶହ ଶହ ପେଟି ମାସ୍କ,ସାନିଟାଇଜର,ପିପିଇ କିଟ ଥୁଆ ହୋଇଥିଲା।ମନେମନେ ଲୋକଟାର ବୁଦ୍ଧିକୁ ତାରିଫ୍ କରୁଥିଲା ସୁରେଶ।ମଉକାର ଫାଇଦା,ଆତ୍ମ ନିର୍ଭରଶୀଳ ହେବାର ସୁନ୍ଦର ଉପାୟ।ଅବଶ୍ୟ ଭଣ୍ଡ ବାବା ମାତା ହୁଅନ୍ତୁ କି ଧନୀ ଲୋକ ,ମନ୍ଦିର ଗୋଟେ ତୋଳି ଦେଲେ ଚଉଦ ପୁରୁଷ ପାଇଁ ଚିନ୍ତା ନାହିଁ।ଅଳ୍ପ ଇନଭେଷ୍ଟମେଣ୍ଟ ସେ ସାରା ଜୀବନ ଲାଭ ହିଁ ଲାଭ।
- ଆଛା,ଏଠି ଆପଣ କି କି ମାନସିକ ପାଇଁ ପୂଜା ଅର୍ଚ୍ଚନା କରୁଛନ୍ତି ?"
-ସବୁ ଜିନିଷ ପାଇଁ।ତେବେ  ପ୍ରାୟତଃ,କରୋନା ରୋଗ ନହେବା ପାଇଁ,ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପାଇଁ,ରୋଗରୁ ସୁସ୍ଥ ପାଇଁ, ହସ୍ପିଟାଲ ରେ ବେଡ଼,ଭେଣ୍ଟିଲେଟର ପାଇଁ,ହସ୍ପିଟାଲ ଯିବାପାଇଁ ଆମ୍ବୁଲାନ୍ସ,ପିଲାମାନେ କିପରି ବିଦେଶରୁ ଘରକୁ ଫେରିବେ,ବାହାରେ ଥିବା ପିଲାଙ୍କ ସୁସ୍ଥତା କାମନା,ନିଜ ବେପାର ବଢ଼ାଇବା ଏପରିକି ମୃତ୍ୟୁ ପରେ ସସମ୍ମାନେ ସତ୍କାର ପାଇଁ ବି ମାନସିକ କରି ପୂଜା ଅର୍ଚ୍ଚନା କରୁଛନ୍ତି।ପୂଜା ପାଇଁ ଶହେଏକ ରୁ ପାଞ୍ଚଶ ପର୍ଯ୍ୟନ୍ତ ଦାନ ଦେବାକୁ ହୁଏ।"
  ଟିକେ ରହି ସୁରେଶ ପଚାରିଲା,
- ସତରେ କଣ ମାନସିକ ପୁରଣ ହେଉଛି ?ଏଇ ମନ୍ଦିରରେ ପୂଜକ ସବୁ କିଏ ?ସେମାନଙ୍କୁ ଯେ କରୋନା ହେବନି,ତାର ଗ୍ୟାରେଣ୍ଟି କଣ ?"
-ସୁରେଶ ବାବୁ,ଗ୍ୟାରେଣ୍ଟି କେଉଁଥିରେ ଅଛି ?ଜୀବନରେ ବି ନାହିଁ।ଯେତେ ପ୍ରସିଦ୍ଧ ମନ୍ଦିର,ମସଜିଦ,ଗୀର୍ଜାଘର ଅଛି ସେଠାର ଅର୍ଚକ, ପୂଜକମାନେ ବି କରୋନା ଆକ୍ରାନ୍ତ ହେଉଛନ୍ତି।ଆଉ ଏହା ତ ନୂଆ ମନ୍ଦିର।"
-କିଛି ସ୍ପେଶାଲ ପୂଜା ହେଉଛି ?
- ହଁ ଦୁଇଟି ପୂଜା।'ଗୁପ୍ତ ପୂଜା' ଓ 'ଉପଗୁପ୍ତ ପୂଜା'।ଭୋର ପାଞ୍ଚରୁ ସକାଳ ଛଅଟା ଯାଏ "ଉପଗୁପ୍ତ"
ପୂଜା ହୁଏ ।ଯେଉଁମାନେ କରୋନା ବାହାନା ଦେଖାଇ ଅଫିସରୁ ଛୁଟି ,ମାସ୍କ ସାନିଟାଇଜର ବେପାରରେ ଲାଭ ,କୋଭିଡ଼ ହସ୍ପିଟାଲକୁ ସପ୍ଲାଇ ପାଇଁ ଟେଣ୍ଡର ଜିତିବାକୁ,ଅନଲାଇନ ପରୀକ୍ଷାରେ ଅଧିକ ମାର୍କ,ପୁଣି ଚାକିରୀ ପାଇବା, ଇତ୍ୟାଦି ଚାହାନ୍ତି ସେମାନଙ୍କ ପାଇଁ ଏଇ ପୂଜା।ଏହା ପାଇଁ ପାଞ୍ଚ ହଜାରରୁ ଏକୋଇଶି ହଜାର ଦାନ ଅନଲାଇନ ରେ ଦେବାକୁ ହୁଏ।ତା ସହିତ ମାସ୍କ,ସାନିଟାଇଜର ଦାନ ଅଲଗା।"
  ଆବାକାବା ହୋଇ ସୁରେଶ ପଚାରିଲା,
- ଆଉ "ଗୁପ୍ତ ପୂଜା"?
- ରାତି ବାରଟା ପରେ ଏଇ ସ୍ପେଶାଲ ପୂଜା।ଦାନ ରାଶି ପଚାଶ ହଜାରରୁ ଲକ୍ଷେ ଟଙ୍କା।ଏଥିରେ ପ୍ରାୟ କୋଭିଡ଼ ହସ୍ପିଟାଲର ଅଧିକ ଲାଭ ପାଇଁ,କରୋନା ସମୟରେ ନିର୍ବାଚନ ଜିତିବା ପାଇଁ,ସିନେମା ହଲ, ବାର ଖୋଲିବା ପାଇଁ ଏପରିକି ନିଜ ବିରୋଧୀଙ୍କୁ ଏଇ ରୋଗ ହେଉ ବୋଲି ବି ମାନସିକ କରୁଛନ୍ତି ଲୋକେ।"
    ନିର୍ବାକ ହୋଇ ସୁରେଶ ଦେଖୁଥିଲା ବିଶ୍ଵବିଜୟଙ୍କୁ।କେତେ ଲାଭ ଏ କରୋନା ଦେବୀ ବେପାରରେ ?ତା ସହ ଏଇ ମାସ୍କ ,ସାନିଟାଇଜର ବିକି ଢେର ଲାଭ।
- ଏତେ ଟଙ୍କା, ଏ ମାସ୍କ,ସାନିଟାଇଜର,ପିପିଇ କିଟ ସବୁ କଣ କରୁଛନ୍ତି ?ସବୁ ପୂଜା ପାଇଁ ଆପଣ ଚାନ୍ଦା,ଦାନ,ଭେଟି ରଖିଛନ୍ତି।ଏମିତି କିଛି ପୂଜା ଅଛି ଯାହା ମାଗଣାରେ କରିହେଵ ?"
-ଗରିବ ଲୋକଙ୍କ ପାଖରେ ଏଇ ମାସ୍କ ଓ ସାନିଟାଇଜର ପହଞ୍ଚାଉଛୁ।କରୋନା ସହ ଲଢ଼ି ସୁସ୍ଥ ହୋଇଥିବା କିଛି ସ୍ବେଛ୍ୱସେବୀ  ମୋ ସହ କାମ କରୁଛନ୍ତି।ଏଇମାନେ ହିଁ କରୋନା ଠାକୁରାଣୀଙ୍କ ପୂଜକ ବୋଲି କହିପାରନ୍ତି।ଆଦାୟ ହେଉଥିବା ଟଙ୍କାରେ ଆମେ ଅସହାୟ କରୋନା ରୋଗୀର ଚିକିତ୍ସା,ରୋଗୀଙ୍କ ପରିବାରକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛୁ।ଏପରିକି ସେମାନଙ୍କ ଶେଷକୃତ୍ୟ।ଆଉ ହଁ,କୌଣସି ଲୋକ ଯଦି ନିଜ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କୌଣସି ଲୋକର ସ୍ବାସ୍ଥ୍ୟ ପାଇଁ,ମଙ୍ଗଳ ପାଇଁ ପୂଜା କରିବାକୁ ଚାହିଁବ,ତେବେ ସେ ପୂଜା,ଅର୍ଚ୍ଚନା ସମ୍ପୂର୍ଣ୍ଣ ମାଗଣା।ତେବେ ନିଜ ନାଁ ଠିକଣା, ସହ ଅନ୍ୟ ବ୍ୟକ୍ତିଙ୍କ ନାଁ ଠିକଣା ଦେବାକୁ ପଡିବ।"
  ସୁରେଶ ଭାବିଲା,ଆରେ ବାଃ,କେତେ ସୁନ୍ଦର ମନୋଭାଵ ଓ ଚିନ୍ତାଧାରା ! କିଛି ଟଙ୍କା ବାହାର କରି ଦାନ କରିବା ପାଇଁ ଇଛା ଓ ନିଜେ ସ୍ବେଛାସେବୀ ହେବାର ଇଛା ପ୍ରକଟ କରୁ କରୁ ପଚାରିଲା,
- ଏଇ ମନ୍ଦିରରେ ଦ୍ବାର ସାଧାରଣ ଜନତାଙ୍କ ପାଇଁ କେବେ ଖୋଲିବ ?କରୋନା ଠାକୁରାଣୀଙ୍କ ଦର୍ଶନ ସିଧାସଳଖ କେବେ  ମିଳିବ ?
   ଏକ ରହସ୍ୟମୟ ହସ ହସି ବିଶ୍ଵବିଜୟ ବାବୁ କହିଲେ,
- ଲକଡାଉନ ୧୦; ଅର୍ଥାତ ଦେଶରୁ କରୋନା ସମ୍ପୂର୍ଣ୍ଣ ନିପାତ ହେଲେ ମାତାଙ୍କ ମନ୍ଦିର ଦୁଆର ଭକ୍ତଙ୍କ ପାଇଁ ଖୋଲାଯିବ।"
  ହସର ଧାର ଖେଳିଗଲା ସୁରେଶ ମୁହଁରେ।କରୋନାଠାକୁରାଣୀଙ୍କ ମନ୍ଦିର'ର ବ୍ରାଞ୍ଚ ସାରା ଭାରତରେ ଜଲଦି ଖୋଲୁ।
 (ଅରବିନ୍ଦଦାସ)

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy