Monday, August 24, 2020

ଗଳ୍ପ - ଦେହ

                         କଳ୍ପନା ରାୟ

       ଅନ୍ଧାରିଆ ରାତିରେ ଦୌଡିଥିଲା  ମାଧେଇ  ।  ବର୍ଷା, ପବନ, କେହି କାହାରିଠୁ କମ୍ ନ ଥିଲେ  ।  ଭାଦ୍ରବ ମାସ  । ଲଘୁଚାପ ବର୍ଷା ଏମିତି କରିବ ବୋଲି କିଏ ଜାଣିଥିଲା  ?? ମୌସୁମୀ ତ ଅଭିମାନ କରିଥିଲା, ଲଘୁଚାପ ପରେ ଲଘୁଚାପ ଯୋଗୁଁ ଚାରିଆଡ଼େ ଜଳାଣ୍ଣଵ ହୋଇଥିଲା  ।

        ଖୁବ୍ ଜୋରରେ ଦୌଡ଼ିଥିଲା ମାଧେଇ। ମଝିରେ ମଝିରେ କଣ କହୁଥିଲା  ଭଲରେ ଵୁଝି ହେଉ ନ ଥିଲା  । ପବନ ସହ ସ୍ବରଟା ମିଶିଯାଉଥିବାରୁ  ।  ମାଧୁରୀକୁ ସମସ୍ତେ ମାଧେଇ ବୋଲି ଡାକନ୍ତି  ।  ସଙ୍କର୍ଷଣ ସହ ତାର ଵିଵାହ ପ୍ରସ୍ତାବ ପଡିବାକ୍ଷଣି ତା ବାପା ହଁ କରିଥିଲେ  । ସଙ୍କର୍ଷଣ ଭଲ ପିଲା  ।  ନିଶାପାଣି କରେନା  ।  ଚାଷ ଜମି ବାରମାଣ । ମାଛ ଚାଷ ତିନି/ଚାରି ମାଣ  । ପରିବାର କହିଲେ ମାଆ ଓ ସଙ୍କର୍ଷଣ  । ପାଖ କମ୍ପାନୀରେ ଛୋଟମୋଟ ଚାକିରି କରେ  ।  ଵିଵାହ ହୋଇଥିଲା  ପ୍ରାୟ ଚାରି ବର୍ଷ ତଳେ ।  ଅଢେଇ ବର୍ଷର ପୁଅଟିଏ    ।

        ତଥାପି ମାଧେଇ ଦୌଡିଛି  ଉଚ୍ଚ ଖାଲ ନ ମାନି  ।  ମଝିରେ ମଝିରେ ମୋ ପୁ....ଅ, ମୋ ପୁ......ଅ,  ପାଟି କରୁଛି  ।  ହଠାତ୍ ହାଵୁଡିଗଲା ଗୋଟିଏ କଳାପାହାଡ଼ ପାଖରେ  ।  ସମୀର ବଡଲୋକ ଘର ପୁଅ  । ପାଠ ପଢିଛି, ସେଇ ଏକା ଗାଁରେ ଘର  । କଳା ମଚମଚ ବଳିଷ୍ଠ ଚେହେରା । ସିଏ କି ପ୍ରସ୍ତାବ ପକାଇଥିଲା ମାଧୁରୀ ପାଇଁ  । ତା ବାପା ରୋକ୍ ଠୋକ୍ ମନା କରିଦେଇଥିଲେ  । ନିଶାପାଣି କରୁଥିବା ପିଲାକୁ ସେ ଦେଵେ ନାହିଁ  ।  ମାଧୁରୀକୁ ବାହା ହେଲେ ନିଶାପାଣି କରିଵ ନାହିଁ ବୋଲି ଵି କହିଥିଲା  । ମାଧେଇକୁ ବାହା ହେବାକୁ ବଡ ସଉକ୍ ଥିଲା ତାର। 

         ସମୀରକୁ ଦେଖି ମାଧେଇ ତାର ଗୋଡ ଧରି ପକାଇଲା  ।  ମୋ ପୁଅକୁ ବଞ୍ଚାଅ କହି  ।  ଶୋଇଥିଲୁ, ହଠାତ୍ ପାଣି ମାଡି ଆସିଲା  ।  ତୁମେ ରକ୍ଷା ନ କଲେ ମୋ ପୁଅ....।  

          ମାଧେଇର ଵିଵାହ ପୂର୍ବରୁ ସମୀର ଦିନେ ତା ଆଗରେ ଏମିତି ଠିଆ ହୋଇଥିଲା,କହିଲା ତୁ ଯଦି ମୋତେ ବାହା ନ ହେଉ ଯେମିତି ହେଲେ ତୋ ଦେହକୁ ଉପଭୋଗ କରିବି ଦିନେ । ମନ ନ ହେଲା ନାହିଁ,  ତୋ ଦେହକୁ ଦିନେ ନିଶ୍ଚେ ଉପଭୋଗ କରିଵି, ସେଦିନ ଆଉ ମୋ ଦୋଷ ଦେଵୁନି  । ସେଦିନ ତା ପାଖରୁ ଖସି ଯାଇଥିଲା ମାଧେଇ ।  

        ଆଜି ପୁଣି ତା ସମ୍ମୁଖରେ ମାଧେଇ  ।  ସେଇକଥା ମନେ ପଡିଗଲା ତାର।  କହିଲା, "ମାଧୁରୀ, ମନେ ଅଛି, ସେଦିନ ମୁଁ କଣ କହିଥିଲି, ତୁ ଯଦି ସେ କଥାରେ ରାଜି, ମୁଁ ନିଶ୍ଚିତ ତୋ ପୁଅକୁ ଉଦ୍ଧାର କରି ଆଣିବି  ।  ମୁଁ ସବୁ କଥାରେ ରାଜି, ଥରେ କଣ ??  ଯେତେଥର ଇଛା ମୋ ଦେହଟାକୁ ନେଇଯିବୁ  ।  ଆଗ ମୋ ପୁଅକୁ ରକ୍ଷା କର  ।  ଏତେ ବାଟ ଆସିଲିଣି, କାହାରିକୁ ପାଉନି  । ତୁ ଆସ୍ କହି ଘରମୁହାଁ ଦୌଡିଲା ପୁଣି  ।  

        ମାଧେଇ ଘରେ ପହଞ୍ଚିଲା ବେଳକୁ ସମୀର ତା ପୁଅକୁ ପାଣି ଭିତରୁ ଆଣି ଶୁଆଇଦେଇଥିଲା  ।  ପାଦ ତଳେ ପୁଣି ପଡିଯାଇଥିଲା ମାଧେଇ  ତା ସ୍ବାମୀ ସଙ୍କର୍ଷଣକୁ ନ ଦେଖୁଥିବାରୁ ।  ପୁଣି ଥରେ ପାଣି ଭିତରେ ପଶିଥିଲା ସମୀର।  ବହୁତ ଖୋଜିଥିଲା, ହେଲେ ପାଇ ନ ଥିଲା ।  ପୁଅ ଭଲରେ ଖେଳୁଥିଲେ  ।  ପୁଅକୁ ପାଇ ଵି ଖୁସି ହୋଇପାରୁ ନ ଥିଲା ମାଧେଇ  ।  ଆଖି ଇଆଡେ ସିଆଡେ ଚାହୁଁଥିଲା।  ମନ ପାପ ଛୁଉଁଥିଲା ସଙ୍କର୍ଷଣକୁ ନ ଦେଖି  । ହଠାତ୍ ଭେଁ କରି କାନ୍ଦି ଉଠିଥିଲା  ।  ଘନ ଅନ୍ଧାରରେ ମୁହଁକୁ ମୁହଁ ଦିଶୁ ନ ଥିଲା  । ଵିଜୁଳି ଚାଲିଯାଇଥିଲା ସଞ୍ଜଵେଳୁ  । ମଝିରେ ମଝିରେ ଚିକ୍ ମିକ୍ କରି ଆଲୋକ ଦେଖାଉଥିଲା ଵିଜୁଳିର ଆଲୋକ ।କଣ କରିବ ଵୁଦ୍ଧିବାଟ ଦିଶୁ ନ ଥିଲା  ।  ପୁଅକୁ କୋଳରେ ଜାକି ଧରିଥିଲା  । 
    
        ସେଇଠି ରାତି ଯାଇ ସକାଳ ହେଲା  ।  ଏନ,ଡି.ଆର୍. ଏଫ୍. ଟିମ୍ ସକାଳୁ ଆଣି ପହଞ୍ଚିଥିଲା  ସଙ୍କର୍ଷଣ ଶବକୁ  ।    ବର୍ଷା ପବନ ଲାଗି ରହିଥିବା ଯୋଗୁଁ ସଙ୍କର୍ଷଣ ତା ମାଛଚାଷ ଆଡକୁ ହୁଏତ ପଳାଇଥିଲା ଏବଂ ହଠାତ୍ ପାଣି ମାଡିଆସିଵା ଫଳରେ ଆଉ ଆସି ପାରି ନ ଥିଲା  ।

         ଭୋ କରି କାନ୍ଦି ପକାଇଲା ମାଧେଇ  । ସନିଆବା', ଆର ସାହି ରାଧୁ, ଦୈତାରୀ ପ୍ରଭୁତି କୋକେଇ ଵାନ୍ଧିବା ଆରମ୍ଭ କରିଥିଲେ ମାଧେଇର ଵାପା ପହଞ୍ଚିଲା ବେଳକୁ । ବାପାକୁ ଦେଖି କାନ୍ଦିଥିଲା ବହୁତ, କହୁଥିଲା, " ବାପା ଭଲ ପିଲା ଦେଖି ଦେଇଥିଲ, କଣ ହେଲା  ?? ମୋ ଭାଗ୍ୟ ତ ଭଲ ନାହିଁ, ତୁମେ ନା କଣ କରି ପାରିବ, ଏଇ ବକଟକ ଛୁଆକୁ ସେଇ ସମୀର ନ ଥିଲେ କାଲି, ୟାକୁ ବି..........."  । କାନ୍ଦୁଥିଲା ଯେ କାନ୍ଦୁଥିଲା ମାଧେଇ  । ଛୁଆଟା କୋଳରେ  ଶୋଇ ପଡିଥିଲା  । ଡାକ୍ତର ତାକୁ ଦେଖି ପିଲା ଠିକ୍ ଅଛି କହି ଚାଲିଯାଇଥିଲା  ।  ଗାଁ ସ୍ତ୍ରୀ ଲୋକମାନେ ସବୁ କଣ କଣ କରୁଥିଲେ ତା ମୁଣ୍ଡକୁ ହୁଏତ କିଛି ପଶୁ ନ ଥିଲା  ।  

        ଚାରିଦିନ ପରେ ଆସିଥିଲା ସମୀର  ।  ତାକୁ ଦେଖି ମାଧୁରୀ କହିଥିଲା ଏଇ ଟିକି ପିଲାଟିକୁ ବଞ୍ଚାଇ ତୁ ମୋର ବହୁତ କିଛି କରିଛୁ, ତା ବଦଳରେ ମୋ ଦେହ କିଛି ନୁହେଁ, ଇୟେ ମୋର ବର୍ତ୍ତମାନ ଓ ଭବିଷ୍ୟତ  ।  ଇୟେ ମୋ ସ୍ଵାମୀଙ୍କ ସନ୍ତକ  । ତାର ଜୀବନ ମୋ ଦେହଠାରୁ କାହିଁ କେତେ ଗୁଣରେ ଅଧିକ  ।  ଯେତେବେଳେ କହିଵୁ ମୋର ଦେହ ଦେବାକୁ ମୁଁ ପ୍ରସ୍ତୁତ  ।

       ଛି, ଛି, ମୋତେ ଏତେ ହୀନ ଭାବିଲୁ ମାଧୁରୀ, ଏଇ ଛୁଆର ଜୀବନ ବଞ୍ଚାଇ ତୋ ଦେହକୁ ଉପଭୋଗ କରିବି  ।  ସେଦିନ ସଙ୍କର୍ଷଣକୁ ସ୍ବାମୀରୂପେ ଵାଛିବା ମୋତେ ଏତେ କଷ୍ଟ ଦେଇ ନ ଥିଲା, ଆଜି ତୋ କଥା ମୋତେ ଯେତେ କଷ୍ଟ ଦେଲା  ।  ତୋ ଦୁଃଖରେ ଦୁଃଖୀ ହେବାକୁ ଆସିଥିଲି, ତୋ ଦେହ ନେବାକୁ ନୁହଁ । ଆଜି ବି ତୁ ଯଦି ଚାହିଁଵୁ ଆମ ଘରର ରାଣୀ କରିବାକୁ ମୁଁ ପ୍ରସ୍ତୁତ କହି ତୀର ଵେଗରେ ଚାଲିଯାଇଥିଲା ସମୀର  ।

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା, ସମ୍ବଲପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy