Sunday, August 30, 2020

ସଙ୍ଗୀତ

ତୁମେ! ଅମୃତ ତୁମେ ଶାଶ୍ବତ
         ନୈସର୍ଗିକ ଉପାଦାନ
ବେଦର ତୁମ ପ୍ରଥମ ଉତ୍ପତ୍ତି
            କୃଷ୍ଣ ଙ୍କର ବଂଶୀ ସ୍ଵନ।
ତୁମେ! ବିରହର ବିଧୂରିତ ଭାଷା
            ଅନ୍ତର ନିଭୃତ କଥା
 ଚ୍ଛିନ୍ନ ବୀଣାରେ ବେହୁରା ରାଗିଣୀ
           ଆଣିଦିଏ ଭାବ ବ୍ୟଥା।
ଗାଁ ଦାଣ୍ଡରେ ତୁମେ ଯୋଗୀ ଭିକ୍ଷା-
       ଥାଳ କେନ୍ଦରାର ଲୋକଗୀତ
ଭକ୍ତି ଭାବରେ ଭକ୍ତର ହୋଇ
         ଝରିଯାଅ ଅବିରତ।
ପ୍ରକୃତି ରେ ତୁମ ରାଗର ପ୍ରକ୍ରିୟା
        ଚାଲିଥାଏ ଅହରହ
ଦୁର୍ବିସହ ଏହି ଜୀବନ କୁ ସଦା
        କରିଯାଅ ମଧୁମୟ।
ତଟିନୀ ର ହୁଅ କୁଳୁକୁଳୁ ନାଦ
        ଅସ୍ପଷ୍ଟ ସୁ୍ରଟେ ଧରି
ଅବୁଝା ସେ ଭାଷା ନବୁଝୁ ବା କେହି
       କବି ବୁଝେ ମନ ଭରି।
ବିଜନରେ ତୁମେ ସ୍ମୃତିର ରାଗିଣୀ
        ଧାନକଟା ବେଳ ସାଥୀ
ବସନ୍ତ ଋତୁର ଝରା ବ ଉଳର
        କୋକିଳ କଣ୍ଠରେ ଗୀତି।
ମୁନି ଋଷି ଙ୍କର ପବିତ୍ର ଓମ୍ କାର
     ପରିବ୍ୟାପ୍ତ ହୋଇ ତୁମେ
କି! ଜଳ କି! ସ୍ଥଳ ମୁଖରିତ କର
      ତୁମ ରି ମଧୁର ନାମେ।
ଜୀବନ ସଙ୍ଗୀତ ସଙ୍ଗୀତ ଜୀବନ
      ପରିପୂରକର ଉକ୍ତି
ଈଶ୍ବର ପ୍ରଦତ୍ତ ଏ ମହତ୍ ପ୍ରତିଭା
      ନାହିଁଟି ଯାହାର ଈତି।

ନଳିନୀ ପ୍ରଭାମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy