Thursday, August 13, 2020

ପିତା ଏକ କର୍ତ୍ତବ୍ୟବୋଧତା

✍ପରିମଳ ଚେୟାର ଉପରେ ନିଜକୁ ଆଉଜାଇ ଟିଭି ଦେଖୁଥାନ୍ତି ସତ କିନ୍ତୁ ହତାଶାର ଆଭା ମୂଖ ମଣ୍ଡଳରେ ସ୍ପଷ୍ଟ ବାରି ହେଇ ପଡୁଥାଏ। ପତ୍ନୀ ପିତାଲୀ ଚାହା କପଟା କେତେବେଳୁ ଥୋଇଦେଇ ଗଲେଣି ସେ ଆଡେ ତାଙ୍କର ନଜର ନାହିଁ। ପୁଅ ପରେଶର ଏକା ଜିଦ୍ ସେ କିଟରେ କମ୍ପ୍ୟୁଟର ଇଂଜିନିୟରିଂ ପଢିବ। କିନ୍ତୁ କିଟରେ ପଢାଇଲା ପରି ସକ୍ଷମତା ତାଙ୍କର ନାହିଁ। ଆଗକୁ ପୁଣି ଝିଅ ପାଲୀର ବାହାଘର ଅଛି। ଏତେ ଗୁଡାଏ ଅର୍ଥ ଚିନ୍ତା ମୁଣ୍ଡଟାକୁ ପୁରା ଗୋଳମାଳିଆ କରି ଦେଉଥାଏ।

ଦୁଇ ଦୁଇଟା ବ୍ୟାଙ୍କରୁ ଲୋନ ପାଇଁ ଯାଇ ନିରାଶ ହୋଇ ଫେରି ଆସିଲେଣି। କେହି ଲୋନ ଦେବା ପାଇଁ ରାଜି ହେଉ ନାହାନ୍ତି। କହୁଛନ୍ତି ଭଲ ନମ୍ବର ନାହିଁ କି ବନ୍ଧା ପକାଇ ଲୋନ ନେବାକୁ ଘର ନାହିଁ। କୋଉଠୁ ଆସିବ ଏତେ ଟଙ୍କା। ତିନି ଲକ୍ଷ ପାଖାପାଖି ଯୋଗାଡ କରିହେବ ଆହୁରି ତିନି ଲକ୍ଷ ମିଳିଲେ ଯାଇ ଆଡମିସନ ହେବ। ପିତାଲୀଙ୍କ ଗହଣା ଯଦି ବିକି ହୁଅନ୍ତା କିଛିଟା ସମାଧାନ ହୁଅନ୍ତା କାରଣ ଆଜିର ମୂଲ୍ୟ ଅନୁସାରେ ଦୁଇ ଲକ୍ଷରୁ କମ୍ ହେବ ନାହିଁ। କିନ୍ତୁ ବନ୍ଧା ପକେଇ ଲୋନ ଆଣିଲେ ବହୁତ କମ୍ ମିଳିବ। ତାପରେ ପିତାଲୀଙ୍କୁ କହିବା ପାଇଁ ସାହସ ନାହିଁ। ସେଇଟା ତାଙ୍କର ପୈତୃକ ସୁନା। ନିଜେ କେବେ ସୁନା କିଣି ଦେଇ ପାରି ନାହାନ୍ତି। ପିତାଲୀ ଯଦି ନିଜ ଆଡୁ ସୁନାଗହଣା ଦିଅନ୍ତା ତାହେଲେ କିଛି ବ୍ୟବସ୍ଥା କରି ହୁଅନ୍ତା। ଆଉ ଭାବି ପାରିଲେ ନାହିଁ ପରିମଳ। ଏତିକିବେଳେ ପିତାଲୀଙ୍କ ପାଟି ଶୁଭିଲା। ହୋଉ ଟିଭି ଦେଖା ବନ୍ଦ କରି ଆସ ଖାଇବ। ପୁଅକୁ ପଢାଇବା ପାଇଁ ପଇସା ତ ଦେଇ ପାରୁନ। ଟିଭି ଲଗେଇ ଦେଇ ବସି ପଡୁଛନ୍ତି, ସତେ ଯେମିତି ଟିଭିରୁ ଟଙ୍କା ଗୁଡା ଗଳିବ। ଆଉ କଣଟା କରି ପାରିବ କେଜାଣି। ମୋ ପାଇଁ ତ ସୁନା ଦିଖଣ୍ଡ ବି କେବେ ଦେଇ ପାରିଲ ନାହିଁ।

କଥା ଗୁଡିକ ଦେହରେ ବାଟୁଳି ପରି ଏମିତି ବାଜୁଥିଲା ଯେ ମୁଣ୍ଡ ଟା ଝାଏଁ ଝାଏଁ କରୁଥିଲା। କିଛି ପ୍ରତ୍ୟୁତ୍ତର ଦେଲେ କଥା ଆହୁରି ବଢିବ ଭାବି ପରିମଳ ଚୁପ୍ ରହିଲା। ଲକ୍ଷ ନଥାଇ ମଧ୍ୟ ଅଲକ୍ଷରେ ଏମିତି କିଛି ଲୋକ ଅନ୍ୟକୁ କଷ୍ଟ ଦେଇଥାନ୍ତି। ଏଥିରେ ନିଜର କୌଣସି ଲାଭ ନଥିଲେ ବି ଅନ୍ୟକୁ ଦୁଃଖ ଦେଇ ଅପ୍ରାକୃତିକ ସୁଖ ଗ୍ରହଣ କରିଥାନ୍ତି। ଏହା ଦେଉଥିବା ଲୋକର କ୍ରିୟମାଣ କର୍ମ ଓ ପାଉଥିବା ଲୋକର ପ୍ରାରବ୍ଧ କର୍ମ।
ସଂସାରରେ ପ୍ରକୃତିର ଏହି ସତ୍ୟକୁ ଗ୍ରହଣ କରିବାକୁ ପଡିବ। କାରଣ ପିତା ହେବାର ଦାୟିତ୍ବକୁ ତ ତ୍ୟାଗ କରି ହେବନାହିଁ।

ବାପାର ଦାୟିତ୍ୱ ତୁଲାଇବା ସତରେ କଣ ଏତେ କଷ୍ଟ! ପରିମଳର ମନେ ପଡିଗଲା ବିଗତ ଦିନର କିଛି ସ୍ମୃତି । ଯେତେବେଳେ ସେ ଭାବୁଥିଲା ବାପା ହେବାଟା କେତେ ସହଜ। ବିବାହ କରି ଛୁଆ ଜନ୍ମ କରିଦେଲେ ତ ବାପା ହେବାର ଗୌରବ ଆସିଗଲା। ସେ କିଛି ରୋଜଗାର କରି ଆଣିବ। ପତ୍ନୀ ପୁତ୍ର କନ୍ୟା ସମସ୍ତେ ତା କଥା ଶୁଣୁଥିବେ। ବାପାର ମର୍ଯ୍ୟଦା ଦେବେ। ଯିଏ ଯାହାର ପାଠ ପଢି ମଣିଷ ହେବେ। ଆହା!! କେତେ ସୁଖକର ସତେ ଏ ବାପା ପଦଟା ।ସୁଖର କାଳ୍ପନିକ ଅନୁଭୁତି ଓ ବାସ୍ତବତାର ଅଗ୍ନି ଭିତରେ କେତେବେଳେ ଖାଇବା ସରିଗଲା ଖିଆଲ ବି ରହିଲା ନାହିଁ। ପିତାଲୀର ପାଟିରେ ପୁଣି ଥରେ ଚେତନ ଜଗତକୁ ଫେରି ଆସିଲା।
କଣ ଭାବୁଛ!! ପିତାଲୀ ପଚାରିଲା।
ପରିମଳ କିଛି ଉତ୍ତର ଦେଲା ନାହିଁ।
ତାଙ୍କ ଚିନ୍ତା ପୁଅ ପରେଶ ଏବେ ମଧ୍ୟ ଠିକ୍ ଭାବେ କଥା ହେଉ ନାହିଁ। ଯାହା ବି କଥା ହେଉଛି ତାଙ୍କୁ ହିଁ ଲକ୍ଷ କରି ତା ମା’କୁ କହୁଛି। ଏଇଟା ଏକ ଅଦ୍ଭୁତ ସଂସ୍କାର - ଏଥିରେ ନା ପିତାଙ୍କୁ ଭୟ ଅଛି ନା ତାଙ୍କ ପ୍ରତି ଅବଜ୍ଞା ଅଛି ନା ସମ୍ମାନ ବୋଧର ସୂଚନା ଅଛି। ଯାହା ଅଛି ତାହା ଏକ ଅହଙ୍କାର ପୂର୍ଣ୍ଣ ଅଭିମାନ ଯାହାର ପରିତୃପ୍ତି ଏତେ ସହଜ ନୁହେଁ।
ସମସ୍ତଙ୍କ ଦାବିର କାମଧେନୁ ହେବା ପାଇଁ ପିତା ଯେମିତି ବାଧ୍ୟ। ତାର ନିଜର ବ୍ୟକ୍ତିଗତ ଇଛା ସ୍ଵାଭିମାନ ମର୍ଯ୍ୟାଦା ବୋଲି କିଛି ନାହିଁ। ପିତରି ପ୍ରୀତି ମା ପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ  ର ଦର୍ଶନ ଆଉ ଲୋକାଚାରରେ ନାହିଁ। ବ୍ୟକ୍ତିଗତ ଇଛା ସବୁଠାରେ ବଳୀୟାନ।

ପରିବର୍ତ୍ତନଶୀଳ ସଂସାରରେ ନିଜକୁ ତାଳ ଦେଇ ଚାଲିବାକୁ ପଡିବ। ଯଦି ଆବଶ୍ୟକ ମୁତାବକ ଧନ ନାହିଁ ତାହେଲେ ପିତା ହିଁ ତ ଅପରାଧୀ। ଏହି ସତ୍ୟକୁ ଗ୍ରହଣ କରିବାକୁ ହେବ। ଏଥିରେ କେହି ବୁଝାମଣା କରିବାକୁ ପ୍ରସ୍ତୁତ ନୁହନ୍ତି।

ନିଦ ଜଲଦି ଭାଙ୍ଗି ଯାଇଥିଲା ପରିମଳର। କଣ କରିବ ନିଦ ବି ହେଉନାହିଁ। ପରିବାର ସୃଷ୍ଟି କରିଛି ଯେତେବେଳେ ଦାୟୀତ୍ୱ ତୁଲାଇବାକୁ ତ ପଡିବ। ଯଦି ଘର ଲୋକଙ୍କୁ ପିତା ଅପଦାର୍ଥ ବୋଲି ମନେ ହୁଅନ୍ତି ବାହାର ଲୋକ ବା କାହିଁକି ସମ୍ମାନ ଦେବେ!

ସକାଳ ସମୀରଣ ଭଲ ଲାଗିବ ବୋଲି ଭାବି ଘରୁ ବାହାରି ଆସିଲା। ଚାଲୁ ଚାଲୁ ମନ ଟିକିଏ ହାଲୁକା ବି ଲାଗିଲା। ବାହାରେ ବାତାବରଣ ବେଶ ଭଲ ଲାଗୁଥାଏ। ବାଟରେ ନିଜର ଅତି ପ୍ରିୟ ବନ୍ଧୁ ବିନୟ ସହିତ ଦେଖା ହେଲା। ହୃଦୟର କୋହକୁ ବେଶି ସମୟ ଅଟକାଇ ପାରିଲା ନାହିଁ। ପୁଅ ପାଇଁ ଟଙ୍କାର ଆବଶ୍ୟକତା ନିଜ ଜୀବନ ଠାରୁ ବି ଅଧିକ ହେଲାଣି ବୋଲି ସେ ଜଣାଇଲା। ବିନୟ ଯେତେ ବୁଝାଇଲେ ବି ପରିମଳର ଅସାମର୍ଥ୍ୟ ପିତୃତ୍ୱ କିଛି ବୁଝିବା ପାଇଁ ପ୍ରସ୍ତୁତ ନଥିଲା। ଶେଷରେ ପରିମଳ କହିଲା ମୁଁ କେବଳ ମୋ ଝିଅର ବାହାଘର ପାଇଁ ବଞ୍ଚିଛି। ଯଦି ସୁଯୋଗ୍ୟ ପାତ୍ରଟିଏ ପାଆନ୍ତି ମୋର ଆଉ କୌଣସି ଗ୍ଳାନିର କ୍ଳାନ୍ତି ରହନ୍ତା ନାହିଁ। ମୃତ୍ୟୁକୁ ମଧ୍ୟ ମୋର ଆଉ ଭୟ ନାହିଁ। ବିନୟ ଭରସା ଦେଲା।

ଏହା ଭିତରେ ବର୍ଷେ ବିତିଗଲାଣି। ଝିଅ ବାହାଘର ବି ଠିକ୍ ହେଇଗଲା। କିଛି ଦିନ ପରେ ପରିମଳ ଝିଅ ଜ୍ବାଇଁଙ୍କୁ ଦେଖି ମନଖୁସିରେ ଫେରୁଥିଲା ବେଳେ ବାଟରେ ଟ୍ରକ୍ ଦୁର୍ଘଟଣାରେ ଜୀବନ ଚାଲିଗଲା।

ମା ପୁଅ ମୁଣ୍ଡ ଫଟାଇ କାନ୍ଦିଲେ। ଦୁଃଖ ସନ୍ତାପ କ୍ରନ୍ଦନରେ କିଛି ଦିନ କଟିଗଲା। ପରେଶ ଦିନେ ମାକୁ ପଚାରିଲା -ଏବେ ମୁଁ କଣ କରିବି !ମୋ ଭବିଷ୍ୟତ ମୋ ପଢା ସବୁ ନଷ୍ଟ ହେଇଗଲା। ପିତାଲୀ ଗମ୍ଭୀର ହୋଇ କହିଲେ ଅଯୋଗ୍ୟ ବାପାର ପୁଅ ହେଲେ ବହୁତ୍ କିଛି ସହିବାକୁ ହେବ। ଝିଅ ବାହାଘରରେ ଯେତିକି ଟଙ୍କା ସରିଛି ଆଉ ଅଫିସରୁ କିଛି ମିଳିବାର ନାହିଁ। ଯାହା ବି ମିଳିବ ଆମ ଚଳିବାକୁ ନିଅଣ୍ଟ। ପରେଶ ବାଡେଇ ପିଟି ହୋଇ ବାପାଙ୍କ ବିରୁଦ୍ଧରେ ଗୁଡାଏ ଅପଶବ୍ଦ କହି ମନକୁ ଶାନ୍ତ କଲା।

ସୁସ୍ତି ଓ ସୁବିଧାରେ ଭୋଗ କରିଥିବା ଲୋକ ଆଗତ ଦୁଃଖକୁ ନେଇ ଚିନ୍ତା କରିବା ଓ ବିଚଳିତ ହେବା ସ୍ଵାଭାବିକ। ପରେଶର ମାନସିକ ଅବସ୍ଥା ଭଲ ରହୁ ନଥାଏ। କୀଟସରେ କମ୍ପ୍ୟୁଟର ଇଞ୍ଜିନିୟରିଂ ପଢିବାର ସ୍ଵପ୍ନ ଅଧୁରା ରହିଯିବ ଭାବି ବ୍ୟସ୍ତ ହେଉଥାଏ। ଅଭାବରେ ଚଳୁଥିବା ବେଳେ ଦିନେ ବିରକ୍ତରେ ମାକୁ ପରେଶ କହିଦେଲା ଏମିତି ଚଳିବା ଅପେକ୍ଷା ମରିଯିବା ଭଲ। ଆଜିର ସମୟରେ ପାଠ ଯେତିକି ମୂଲ୍ୟବାନ ହେଲାଣି କେବଳ ପଇସା ଥିଲେ ପଢି ହେବ। ପିତାଲୀ ଶୁଣି ବ୍ୟସ୍ତ ହେଲେ କହିଲେ ସାଧାରଣ କଲେଜରେ ତୁ କଳା କି ବିଜ୍ଞାନ ପଢୁନୁ। ସେଥିରେ ବି ଚେଷ୍ଟା କଲେ ଭଲ ଚାକିରି ମିଳିବ। ମୋର ଯାହା ସୁନା ଅଛି ସବୁ ବିକି ଦେବା। ତୁ ଭଲ ପଢିଲେ ଆମ ଦୁଃଖ ଚାଲିଯିବ। ପରେଶ ରାଗରେ ମା ଆଡେ ଅନାଇଲା। କହିଲା, ଏବେ କାହିଁକି ସୁନା ବିକିବା କଥା କହୁଛ। ବାପା ଯେତେବେଳେ ଟଙ୍କା ଯୋଗାଡ କଥା ଚିନ୍ତା କରୁଥିଲେ ସେତେବେଳେ ତ ଏକଥା କହି ପାରିଥାନ୍ତ। ପିତାଲୀ ଚୁପ୍ ରହିଲେ। କଣ କହି ପୁଅକୁ ବୁଝେଇବେ ଜାଣି ପାରିଲେ ନାହିଁ। ଘରେ ପରିମଳଙ୍କ ଅଭାବ ପିତାଲୀ ବହୁତ ଅନୁଭବ କରୁଥିଲେ। ପୁଅର ଆତ୍ମହତ୍ୟା କରିବାର ଚିନ୍ତାଧାରା ଦେଖି ଦିନେ ବ୍ୟସ୍ତ ହେଇ ପରିମଳଙ୍କ ବନ୍ଧୁ ବିନୟକୁ ଡକା କରାଇଲେ। ସମସ୍ତ ଦୁଃଖ ଜଣାଇଲେ। ବିନୟ ପରେଶ ଆଡେ ଦୃଷ୍ଟି ରଖି ପଚାରିଲେ - କିଟରେ ପଢିବା ପାଇଁ ଚାହୁଁଛ ?

ପରେଶ ମୁଣ୍ଡ ତଳକୁ କରି ହଁ କଲା।

ବିନୟ କହିଲେ ଠିକ୍ ଅଛି ମୋତେ ତୁମେ ପ୍ରତିଶ୍ରୁତି ଦିଅ ମନ ଦେଇ ପାଠ ପଢିବ। ପାଠ ଛଡା ଦ୍ଵିତୀୟ କିଛି ବି ଭାବିବ ନାହିଁ। ମୁଁ ତୁମର ପଢିବାର ସମସ୍ତ ଖର୍ଚ୍ଚ ଓ ଦାୟିତ୍ୱ ନେଲି। ପରେଶ ଏମିତି ଏକ ଅଚାନକ ପ୍ରସ୍ତାବରେ ଆବାକାବା ହେଇ ଥରେ ମା’କୁ ଥରେ ବିନୟ ଅଙ୍କଲଙ୍କୁ ଦେଖୁଥାଏ।

ଆରେ କହୁନୁ କାହିଁକି -ବିନୟ ଯୋର ଦେଇ କହିଲେ। ଯଦି ପଢିବାର ଏତେ ଇଛା ଅଛି କହ। ମୁଁ ସବୁ ଟଙ୍କା ଦେବା ପାଇଁ ରାଜି କିନ୍ତୁ ତୋତେ କେବଳ ପଢିବାକୁ ପଡିବ। ତୁ ଦୃଢ ଭାବରେ କହ, ହଁ ମୁଁ ପଢିବି।

ପରେଶ ଅଗତ୍ୟା ଧୀର କଣ୍ଠରେ କହିଲା -ହଁ ଅଙ୍କଲ ମୁଁ ପଢିବି।

ତାହେଲେ ଠିକ୍ ଅଛି ଆଜିଠାରୁ ମୁଁ ତୋର ଦାୟୀତ୍ୱ ନେଲି। ମୁଁ ଯେମିତି ଧୋକା ନପାଏ।

ମା ପୁଅ ଉଭୟେ ଉଭୟଙ୍କୁ ଅନାଇ ରହିଥାନ୍ତି। କାହା ପାଟିରୁ କିଛି କଥା ବାହାରୁ ନଥାଏ। ପିତାଲୀ ବିଶ୍ୱାସ ବି କରି ପାରୁ ନଥିଲେ ଯେ ଏତେ ସହଜରେ ସମସ୍ୟା ସମାଧାନ ହୋଇଯିବ।

ଚାରି ବର୍ଷ ବିତିଗଲା। ନିଷ୍ଠା ପରିଶ୍ରମ ଓ ବିନୟଙ୍କ ତତ୍ତ୍ଵାବଧାନରେ ପରେଶ ଆଜି କମ୍ପ୍ୟୁଟର ଇଞ୍ଜିନିୟରିଂ ପଢି ଟିସିଏସ୍ ଜଏନ କରିବାକୁ ଯାଉଛି। ଘରେ ଆନନ୍ଦର ଲହରୀ। ଝିଅ ଜ୍ବାଇଁ ବି ଆସିଛନ୍ତି। ବିନୟ ବାବୁ ଆସିଲେ ସମସ୍ତେ ଏକାଠି ଖାଇବେ। ସବୁ ମନ୍ଦିରରେ ଆଜି ସକାଳୁ ଭୋଗ ମଧ୍ୟ କରାଯାଇଛି। ଭିକାରୀକୁ ଦାନ ମଧ୍ୟ ହେଇଛି। ଯେମିତି ଆଜି ଏକ ଉତ୍ସବ ପାଳିତ ହେଉଛି।

ବିନୟ ସସ୍ତ୍ରୀକ ଆସି ପହଞ୍ଚି ଗଲେ। ପିତାଲୀ ସପରିବାର ବିନୟଙ୍କୁ ପାଛୋଟି ଆଣିଲେ। ପରେଶ କିନ୍ତୁ ଆଗଭଳି ଆଜି ଆଉ ନମସ୍କାର କଲା ନାହିଁ। ସେ ପାଦ ଛୁଇଁ ପ୍ରଣାମ କଲା। ବିନୟ ଆଶ୍ଚର୍ଯ୍ୟ ହୋଇ ପଚାରିଲେ - ଆରେ ଏ କଣ କରୁଛୁ -ଉଠ୍।

ପରେଶ ଆଖିରେ ଆନନ୍ଦାଶ୍ରୁ। ଭାବ ବିଭୋର ହେଇ କହିଲା- ଅଙ୍କଲ ଆଜି ମୁଁ ଯାହା କେବଳ ଆପଣଙ୍କ ପାଇଁ। ଦଶ ଲକ୍ଷ ପ୍ୟାକେଜ ପାଇ ମୁଁ ଆଜି ଟିସିଏସ୍ ଜଏନ କରିବି। ମୋ ସାଙ୍ଗର ପିଲାମାନେ ବି ଏତେବଡ଼ ପ୍ୟାକେଜ ପାଇ ନାହାନ୍ତି। ବାପା ଥିଲେ କଣ ଏହା ସମ୍ଭବ ହେଇ ପାରିଥାନ୍ତା। ମା ଠିକ୍ କହୁଥିଲେ ଅଯୋଗ୍ୟ ବାପାର ପୁଅ ହେଲେ ବହୁତ୍ କିଛି ସହିବାକୁ ପଡେ। ବିନୟ କିଛି ପ୍ରତ୍ୟୁତ୍ତର ଦେଲେ ନାହିଁ। ମା ପୁଅଙ୍କ ବିଚାରରେ ମନେମନେ ହସି ଘର ଭିତରକୁ ପଶିଲେ। କାନ୍ଥରେ ଦେଖିଲେ ପରିମଳଙ୍କ ଫୋଟୋ ଟଙ୍ଗା ହୋଇଛି। ଫଟୋ ସାରା ଧୂଳି ଅଳନ୍ଧୁ ଯେମିତି ବହୁତ୍ ଦିନରୁ କେହି ହାତ ଦେଇ ନାହାନ୍ତି। ଅଲୋଡା ଜିନିଷର ଶୃଙ୍ଗାରରେ କାହାର କି ଆବଶ୍ୟକ, ଏହି ମର୍ମରେ ବୋଧେ ସମସ୍ତେ ଭୁଲି ଯାଇଛନ୍ତି। ସଯତ୍ନରେ ବିନୟ ଫଟୋକୁ କାଢି ଆଣିଲେ ଓ ଅତି ଆଦରରେ ସଫା କରିବାକୁ ଲାଗିଲେ। ଭଲ ଭାବରେ ସଫା ହୋଇ ସାରିଲା ପରେ ପୁଣି ଯଥା ସ୍ଥାନରେ ଟାଙ୍ଗି ଦେଲେ। ଫଟୋକୁ ଅନାଇ ଯୋଡ ହସ୍ତରେ କହିଲେ - ବନ୍ଧୁ, ମୁଁ ମୋ କାମ କରି ସାରିଛି। ମୋତେ ଏଥର ମୁକ୍ତି ଦିଅ।

ପରେଶ ଓ ମିତାଲୀ କାବା ହେଇ ଅନାଇ ରହିଥାନ୍ତି। ଆଉ ସମ୍ଭାଳି ନପାରି ପଚାରିଲେ -ଆପଣ ଏମିତି କଣ କହୁଛନ୍ତି। ବିନୟ ପ୍ରଥମେ ପରେଶକୁ ବାପାଙ୍କ ଫଟୋ ଆଡେ ଅନେଇ ପ୍ରଣାମ କରିବା ପାଇଁ କହିଲେ। ପରେଶ କିନ୍ତୁ କୁଣ୍ଠାବୋଧ କଲା। ବିନୟ ଆଉ ବାଧ୍ୟ କଲା ନାହିଁ। ପକେଟରୁ ଗୋଟିଏ ଚିଠି କାଢି ପିତାଲୀଙ୍କୁ ଧରାଇ ଦେଲେ, କହିଲେ ଆଜି ମୋତେ ତମେମାନେ ଯାହା ଭାବୁଛ ସବୁ କେବଳ ତାଙ୍କରି ପାଇଁ। ପିତାଲୀ ବ୍ୟସ୍ତ ହୋଇ ଚିଠିଟି ପଢିବାକୁ ଲାଗିଲେ। ଅଧିକ ପଢି ପାରିଲେ ନାହିଁ। ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ପରେଶ ଚିଠି ମା’ଙ୍କ ଠାରୁ ଆଣିବାକୁ ଯାଉଥିଲା ବିନୟ କହିଲେ ରୁହ ମୁଁ ନିଜେ ପଢି ଶୁଣାଇ ଦେଉଛି। ସମସ୍ତେ ବଲ୍ ବଲ୍ ହେଇ ଅନାଇ ଥାନ୍ତି।

ବିନୟ ଆରମ୍ଭ କଲେ -
ପ୍ରିୟ ବିନୟ -
ମୁଁ ମୋର ପିଏଫ୍ ଟଙ୍କା ଓ ପରସନାଲ୍ ଲୋନ ମିଶାଇ ଝିଅ ବାହାଘର କରିଦେଲି। ଏହାପରେ ମୋର ଆଉ କିଛି କରିବା ପାଇଁ ସମ୍ବଳ ରହିବ ନାହିଁ ଜାଣି କିଛି ଦିନ ଆଗରୁ ମୁଁ ଦଶ ଲକ୍ଷ ଟଙ୍କାର ଇନସୁରାନସ ପଲିସି କରି ଦେଇଛି। ସମସ୍ତଙ୍କ ପାଇଁ ମୋର ଆବଶ୍ୟକତା କେବଳ ପଇସା। ବାପା ହେଇଛି ଯେତେବେଳେ ପୁଅ ପାଇଁ କିଛି ନକରି ପାରିଲେ ମୃତ୍ୟୁ ପର ଜୀବନ ମଧ୍ୟ କଠିନ ହୋଇଯିବ। ତାପରେ ବାପା ହେଇ ଯଦି କିଛି କରି ନ ପାରିଲି ତାହେଲେ ପିତା ହେବାର ମର୍ଯ୍ୟାଦା ବା କଣ! ସେଥିଲାଗି ତୁମକୁ ମୋର ପ୍ରିୟ ଓ ବିଶ୍ଵସ୍ତ ଭାବି ଦାୟୀତ୍ୱ ଦେଉଛି। ତୁମକୁ ମୁଁ ଜାଣି ଶୁଣି ମୋ ପଲିସିର ନୋମିନି ରଖିଛି ଯାହା ଫଳରେ ମୁଁ ମରିଗଲେ ଦଶ ଲକ୍ଷ ଟଙ୍କା ତୁମେ ଉଠାଇ ପାରିବ ଓ ବାପା ହିସାବରେ ପୁଅକୁ ଯାହା ଦେଇ ପାରି ନଥିଲି ତୁମେ ଦେଇଦେବ। ବଞ୍ଚି ରହିଲେ ଏହା ସମ୍ଭବ ହେବ ନାହିଁ। ଏହା ମୋ ଟଙ୍କା ଜାଣିଲେ ଅସତ୍ ବ୍ୟବହାରର ଆଶା ରହିଛି ତେଣୁ ଯଥା ସମ୍ଭବ ଗୋପନ ରଖିବ। ମୋ ପୁଅ ଯଦି କିଟରୁ ପାସ୍ କରି ମଣିଷ ହୁଏ ତାହେଲେ ଏହି ସତ୍ୟକୁ ପ୍ରକାଶ କରିବ। ତୁମ ଟଙ୍କାରେ ପଢୁଛି ଜାଣିଲେ ହୁଏତ ସେ ଅଧିକ ନିଷ୍ଠାରେ ପଢିବ ।ମୋର ବିଶ୍ୱାସ ତୁମେ ପାରିବ ମୋ ପୁଅ ମଣିଷ ହେଇଗଲେ ପିତା ହେବାର ଗୁରୁ ଦାୟିତ୍ଵରୁ ମୁଁ ମୁକ୍ତି ପାଇଯିବି। ଜୀବଦଶାରେ ଏହା ମୋ ପକ୍ଷରେ ସମ୍ଭବ ନୁହେଁ ବୋଲି ଜାଣି ଶୁଣି ଏହି ପଥ ବାଛି ନେଲି। ମୋର ଦୁର୍ଘଟଣା ଆତ୍ମହତ୍ୟା ବୋଲି କାହାର ବି ସନ୍ଦେହ ରହିବ ନାହିଁ। ଏ ପଥ ଜଟିଳ ଅଯୌକ୍ତିକ ଅନୈତିକ ହେଲେ ମଧ୍ୟ ଯେଉଁଥିରେ ବ୍ୟକ୍ତିଗତ ସ୍ବାର୍ଥ ନାହିଁ ଓ ଅନ୍ୟର ହିତ ପାଇଁ କରାଯାଏ ତାହା ଅଗ୍ରହଣୀୟ ବୋଲି କହି ହେବ ନାହିଁ।
ମୋର ପିତା ହେବାର ମହନୀୟତା ବିଚାର ବୁଦ୍ଧି ଓ ନିଷ୍ଠାକୁ ପରଖିବା ପାଇଁ ପ୍ରଭୁଙ୍କର ଯେମିତି ଏହା ଏକ ଆହ୍ଵାନ। ମୋତେ କେହି ଭୁଲ ବୁଝିବ ନାହିଁ। ଯେଉଁଥିରେ ସମସ୍ତଙ୍କ ମଙ୍ଗଳ ତାହାହିଁ ବୋଧେ ଈଶ୍ୱରଙ୍କ ଇଛା ଓ ତାହା ହିଁ ମୁଁ କରୁଛି।

ସବୁ ନୀରବତାକୁ ଭାଙ୍ଗି ପରେଶ ବାପା ବୋଲି ଯୋରରେ ଡାକି ଭୋ ଭୋ ହେଇ କାନ୍ଦିବାରେ ଲାଗିଲା। ତା ବାପା ଡାକରେ ସମସ୍ତେ ବିକଳ ହେଇ କାନ୍ଦିବାକୁ ଲାଗିଲେ। ପରେଶ ପୁଣି ଥରେ ବାପାଙ୍କ ଫଟୋକୁ ଚାହିଁ ବାପା ବୋଲି ଡାକିବାକୁ ଚେଷ୍ଟା କଲା। କଣ୍ଠ ରୋଧ ହୋଇ ଯାଉଥିଲା। ମା’ ଝିଅ ମଧ୍ୟ କାନ୍ଦୁଥିଲେ। ବିନୟ ପରିତୃପ୍ତିରେ ସମସ୍ତଙ୍କୁ ଦେଖୁଥିଲା। ତାକୁ ଲାଗିଲା ତାର କର୍ତ୍ତବ୍ୟ ମଧ୍ୟ ସରିଯାଇଛି। ବିନୟ ପରିମଳର ଫଟୋ ଆଡେ ଦୃଷ୍ଟି ଦେଲା। ପରିମଳ ଆତ୍ମତୃପ୍ତିରେ ହସୁଥିଲା । କହୁଥିଲା ଏଥରକ ମୋ ଆତ୍ମା ଶାନ୍ତି ପାଇବ। ମୁଁ ପିତା ହେବାର ସମସ୍ତ ଗୌରବ ନେଇ ପାରିବି ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy