Sunday, August 30, 2020

ଆମେ କେତେ ସ୍ୱାଧୀନ କେତେ ପରାଧୀନ

✍ରଙ୍କନିଧି ସେଠୀ

ବାଟେ ଯାଉ ଯାଉ ଅଟକିଲି କ୍ଷଣେ 
ପୁଙ୍ଗୁଳା ଦେହରେ ବୃଦ୍ଧଟିଏ ଜଣେ 
ହାତରେ ତ୍ରିରଙ୍ଗା ଧରି ଅଭିମାନେ 
ଆଖି ଛଳଛଳ ଭାରାକ୍ରାନ୍ତ ମନେ ll

ପଚାରିଲି ବାବା ସମୀପକୁ ଯାଇ 
ଏକୁଟିଆ ଅଛ ପାଖେ କେହି ନାହିଁ 
ଆସିଛ କେଉଁଠୁ ଯିବ ତୁମେ କାହିଁ 
ମନ ମୋ ଉଚ୍ଛନ୍ନ କୁହ ମୋତେ ଚାହିଁ ll

ହସିଲେ ଟିକିଏ ଦେଇ ମୁଚୁକୁନ୍ଦ 
ନାମ ମୋ ମୋହନ ସାଙ୍ଗିଆ ମୋ ଚାନ୍ଦ 
କରମକୁ ନେଇ ବାନ୍ଧିଛି ଏ ଫାନ୍ଦ 
ଆଘ୍ରାଣ କରୁଛି ପରାଧୀନ ଗନ୍ଧ ll

ବଞ୍ଚି ପାରୁନାହିଁ ସ୍ୱାଧୀନ ଭାବରେ  
ଗୋଲାମୀ ଜନତା ନିତି ନିତି ମରେ 
ବାବୁ ନେତାମାନେ ରହି ଅନ୍ୟାୟରେ 
ଶୋଷଣ କରନ୍ତି ଦୀନ ଦରିଦ୍ରରେ ll

କେତେ ଆଶା ନେଇ ଦେଲେ ସ୍ୱାଧୀନତା 
ସୁଖରେ ରହିବେ ଏ ଦେଶ ଜନତା 
ନିର୍ଭୟେ ଶୋଇବେ କନ୍ୟା ଭଗ୍ନୀ ମାତା 
ସର୍ବେ ବୋଲାଇବେ ଜଗତର ଜିତା ll

ଆଜି ମୁଁ ଦେଖୁଛି ଓଲଟ ପାଲଟ
ପାଦେ ପାଦେ ଏଠି ମାଡ଼ଇ ସଙ୍କଟ 
ସୁରକ୍ଷିତ ନୁହେଁ ଏହି ଚଲା ବାଟ 
ମଣିଷ ମନରେ କୁଟ ଓ କପଟ ll

କେଉଁ ସ୍ୱାଧୀନତା ପଚାରୁଛ ଭାଇ 
ଭୋକିଲା ମୁଖରେ ଦାନା ଟିକେ ନାହିଁ 
ସୁରକ୍ଷିତ ନୁହେଁ ମୋ ଜନମ ଭୂଇଁ 
ଭାବିଲେ ନୟନୁ ଲୋତକ ଝରଇ ll

ସ୍ୱାଧୀନ ଦେଶର ପରାଧୀନ ଆମେ 
ମାତିଯାଉ ସଦା ଅନ୍ୟାୟ କରମେ 
ଚିତ୍ତ ରହୁନାହିଁ ଆମରି କରମେ 
ସ୍ୱାଧୀନ କି ପରାଧୀନ ବୁଝବ ମରମେ ll

ସେକ୍ଟର-୧୪,
ଘ.ନ-ଏ/୧୨୧
ରାଉରକେଲା

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy