Saturday, August 22, 2020

ରାମାୟଣରୁ କିଛି........

କେଉଁ ଦିନଠାରୁ ଦଶଗ୍ରୀବ ରାବଣ ନାମରେ ପରିଚିତ ହେଲା ଓ କିଏ କାହିଁକି କରାଇଲା

     ଦିନେ ଦଶଗ୍ରୀବ ପୁଷ୍ପକ ବିମାନରେ ବସି ବୁଲୁ ବୁଲୁ ଶରବଣ ନାମକ ଗୋଟିଏ ବଣରେ ପହଞ୍ଚିଗଲା । ସେହି ବଣ ମଧ୍ଯରେ ଗୋଟିଏ ଜ୍ଯୋତିର୍ମୟ ଗିରି ସ୍ବର୍ଣ୍ଣମୟ ଇନ୍ଦ୍ରଧନୁ ପରି ଦେଖାଯାଉଥିଲା । ଦଶଗ୍ରୀବ ସେହି ଗିରି ଶିଖରକୁ ଯିବାକୁ ବାହାରିଲା । କିନ୍ତୁ ସେଠି ପୁଷ୍ପକ ବିମାନ ଆଉ ଚଳିଲା ନାହିଁ । ଏଥିରେ ଦଶଗ୍ରୀବ ଭାରି ଆଶ୍ଚର୍ଯ୍ୟ ହେଲା । କାରଣ ଯେଉଁ ପୁଷ୍ପକ ବିମାନ ମନଯାନ ଅଟେ,ଅର୍ଥାତ ଆରୋହୀ ମନକଲାମାତ୍ରେ ତାକୁ ତା'ର ଈପ୍ସିତ ସ୍ଥାନକୁ ନେଇଯିବା କଥା,ସେହି ପୁଷ୍ପକଯାନ ବର୍ତ୍ତମାନ ଦଶଗ୍ରୀବର ଇଛାନୁସାରେ ଗତି ନ କରି ସ୍ଥିର ହୋଇ ରହିଛି । ତହୁଁ ଦଶଗ୍ରୀବ ଭାବିଲା ଏଠାରେ ନିଶ୍ଚୟ କେହି ପ୍ରଭାବଶାଳୀ ଶକ୍ତି ଅବସ୍ଥାନ କରୁଛନ୍ତି; ଯାହାଫଳରେ କି ପୁଷ୍ପକଯାନ ଆଗକୁ ଗତି କରୁ ନାହିଁ । ଦଶଗ୍ରୀବ ଏହିପରି ଭାବୁ ଭାବୁ ଏକ ଭୟଙ୍କର ମୂର୍ତ୍ତି ଦଶଗ୍ରୀବ ସମ୍ମୁଖରେ ଉପସ୍ଥିତ ହେଲେ । ସେହି ଭୟଙ୍କର ପୁରୁଷଙ୍କ ଦେହର ବର୍ଣ୍ଣ ଥିଲା କୃଷ୍ଣପିଙ୍ଗଳ ବର୍ଣ୍ଣ । ତାଙ୍କର ହାତଦୁଇଟି ଥିଲା ଅତି କ୍ଷୁଦ୍ର । ତାଙ୍କ ମୁଣ୍ଡରେ ଆଦୌ କେଶ ନ ଥିଲା । ମୁହଁ ତାଙ୍କର ଥିଲା ବିକୃତ । ସେ ଥିଲେ ଏକ ବଡ଼ ଭୟଙ୍କର ମୂର୍ତ୍ତି । ସେ ହେଉଛନ୍ତି ଶିବଙ୍କର ଦ୍ବାରରକ୍ଷକ । ତାଙ୍କ ନାମ ନନ୍ଦୀ । ଦଶଗ୍ରୀବକୁ ନନ୍ଦୀ କହିଲେ- ହେ ରକ୍ଷପତି । ଏହି ପର୍ବତ ହେଉଛି ଶିବଙ୍କ ବାସସ୍ଥାନ ।ଶିବଙ୍କ ଅନୁମତି ନ ପାଇଲେ ଦେବତା,ଯକ୍ଷ,ଗର୍ନ୍ଧବ ବା ଦାନବ କେହିହେଲେ ଏଠାକୁ ଆସିପାରନ୍ତି ନାହିଁ । ତେଣୁ ତୁମେ ଶୀଘ୍ର ଏଠାରୁ ଫେରିଯାଅ । ଦଶଗ୍ରୀବ ଉତ୍ତରଦେଲା -ଆରେ,ସେ ଶିବ ତ ଭିକମାଗି ଚଳେ । ମଶାଣିରେ ରହେ । ଏବେ କେଉଁଠି ସେ ଶିବ ଅଛି ମତେ ଦେଖା । ଏହା କହି ଦଶଗ୍ରୀବ ନନ୍ଦୀଙ୍କ ମୁଖକୁ ଭଲଭାବରେ ଅନେଇଲା । ନନ୍ଦୀଙ୍କର ମର୍କଟବତ୍ ମୁଖମଣ୍ଡଳ ଦେଖି ଦଶଗ୍ରୀବ ଠୋ ଠୋ ହୋଇ ହସିଲା ଓ ନନ୍ଦୀଙ୍କୁ ଖତେଇହେଲା । ତେଣୁ ନନ୍ଦୀ ଦଶଗ୍ରୀବକୁ ଅଭିଶାପ ଦେଲେ-ଆରେ ଦଶଗ୍ରୀବ, ମୋର ବାନରବତ୍ ମୁଖମଣ୍ଡଳ ଦେଖି ତୁ ହସିଲୁ । ତେଣୁ ମୋରି ମୁଖଭଳି ମୁଖ ଘେନି ଲକ୍ଷ ଲକ୍ଷ ମର୍କଟ ଜନ୍ମଲାଭ କରିବେ ଓ ସେମାନେ ସେମାନଙ୍କ ଦାନ୍ତ ଓ ନଖକୁ ଅସ୍ତ୍ରରୂପେ ବ୍ଯଵହାର କରିବେ ଓ ସେହିମାନେ ହିଁ ତୋ କୁଳ ଧ୍ବଂସ କରିବେ । ମୁଁ ତତେ ଏଇଠି ଜୀବନରେ ମାରିଦେଇଥା'ନ୍ତି ; କିନ୍ତୁ ମୁଁ ବ୍ରହ୍ମାଙ୍କ ପ୍ରତି ଦ୍ରୋହାଚରଣ କରିବି ନାହିଁ । 
        ଏହାପରେ ଦଶଗ୍ରୀବ ଶିବଙ୍କ ପାଖକୁ ଯାଇ ତାଙ୍କୁ ନାନା କଟୁ କଥା କହି ଯୁଦ୍ଧ ମାଗିଲା । ସେ କହିଲା- ଯେହେତୁ ତୁମେ ମୋ ରଥର ଗତି ବନ୍ଦ କଲ ତେଣୁ ମୁଁ ତୁମର କୈଳାସଗିରିକି ଉପାଡି ଫୋପାଡିଦେବି । ଏହା କହି ଦଶଗ୍ରୀବ କୈଳାସଗିରିର ମୂଳକୁ ଧରି ଟେକିବାରୁ କୈଳାସ ଗିରି ଅଳ୍ପ ଉଠି ଦୋହଲିବାରେ ଲାଗିଲା । ଭୟରେ ପାର୍ବତୀ ଶିବଙ୍କୁ କୁଣ୍ଡାଇ ଧରିଲେ । ତେଣୁ ଶିବ କୈଳାସଗିରି ଶିଖରରେ ନିଜ ଗୋଡ ଆଙ୍ଗୁଠି ରଖି ଅଳ୍ପ ଚାପି ଦେବାରୁ କୈଳାସଗିରି ଯଥାସ୍ଥାନରେ ବସିଗଲା । ସେତିକିବେଳେ ଦଶଗ୍ରୀବର କୋଡିଏଟାଯାକ ହାତ ସେହି ଗିରିତଳେ ଚାପିହୋଇ ରହିଗଲା । ସେ ଯେତେ ଭିଡିଲା ତା' ବାହୁସବୁ ପାହାଡତଳୁ ଟିକିଏ ଘୁଞ୍ଚିଲା ନାହିଁ । ଦଶଗ୍ରୀବକୁ ଘୋର ଯନ୍ତ୍ରଣା ହେଲା । ସେହି ଯନ୍ତ୍ରଣାକୁ ସହି ନ ପାରି ଦଶଗ୍ରୀବ ଘୋର ରଡିକଲା । ଦଶଗ୍ରୀବର ସେହି ଭୟଙ୍କର ରାବରେ ସ୍ବର୍ଗରେ ଥିବା ଦେବତାମାନଙ୍କର ଆସନ ମଧ୍ଯ କମ୍ପିଗଲା । ସମୁଦ୍ର ଉଛୁଳି ଢେଉସବୁ କୂଳ ଲଙ୍ଘନ କଲା । ଦଶଗ୍ରୀବ ଏହିଭଳି ରାବକରି ବିକଳ ହେବାରୁ ତା'ର ମନ୍ତ୍ରୀମାନେ ତାକୁ କହିଲେ-ଶିବଙ୍କୁ ସ୍ତୁତି ନ କଲେ ଆପଣ ଏଥିରୁ ନିସ୍ତାର ପାଇପାରିବେ ନାହିଁ । ଆପଣ ଶିବଙ୍କୁ ପ୍ରାର୍ଥନା କରନ୍ତୁ । 
       ଏହା ଶୁଣି ଦଶଗ୍ରୀବ ପାହାଡ ଦେହରେ ମୁଣ୍ଡ ରଖି ଶିବଙ୍କୁ ବିକଳ ହୋଇ ପ୍ରାର୍ଥନା କଲା । ଶିବଙ୍କୁ କ୍ଷମା ମାଗି ଶିବଙ୍କ ପାଖରେ ଶରଣ ପଶିଲା । ଶିବ ଏଥିରେ ସନ୍ତୁଷ୍ଟ ହୋଇ ଦଶଗ୍ରୀବ ନିକଟରେ ଉଭାହେଲେ । ଶିବ ନିଜ ପାଦଭାର ହୁଗୁଳା କରିବାରୁ ଦଶଗ୍ରୀବ ତା'ର ବିଂଶ ବାହୁକୁ ପାହାଡ ତଳୁ ଉଦ୍ଧାର କରି ହାତଯୋଡି ଶିବଙ୍କୁ ସ୍ତୁତି କରିବାରେ ଲାଗିଲା । ଶିବ ତାକୁ କହିଲେ-ରେ ଦଶଗ୍ରୀବ, ଯନ୍ତ୍ରଣାରେ କାତରହୋଇ ତୁ ଯେଉଁ ରାବ କଲୁ ସେହି ରାବ  ଆମ ମନକୁ ବେଶ୍ ଘେନିଛି । ତୋର ଏହି ରାବ ସକାଶେ ଆଜିଠାରୁ ତୋର ନାମ ହେବ ରାବଣ । ତୋର ଏହି ରାବଣ ନାମରେ ତୁ ଜଗତରେ ବିଶେଷ ଭାବରେ ପରିଚିତ ହେବୁ । ମୋ' ଠାରୁ ଏହି ଚନ୍ଦ୍ରହାସ ଖଡ୍ଗ ନେ । ଏହାକୁ ଯତ୍ନ ଓ ସମ୍ମାନର ସହିତ ପାଖରେ ରଖିଥିବୁ । ଯେଉଁଦିନ ଏହାକୁ ଅବମାନନା କରିବୁ ସେଦିନ ଏହି ଖଡ୍ଗ ତୋତେ ଛାଡି ମୋ ପାଖକୁ ଫେରିଆସିବ । ଏଣିକି ତୋର ବାକୀ ଆୟୁଷ ବ୍ରହ୍ମଶାପ ଆଦି ଦୋଷମୁକ୍ତ ହୋଇ ଅକ୍ଷୟ ହେବ ଓ ପୂର୍ଣ୍ଣରୂପେ ରହିବ । ଏହିଭଳି ଭାବରେ ଵ୍ରହ୍ମା ଓ ଶିବଙ୍କ ବରରେ ବଳିୟାନ ହୋଇ ରାବଣ ପୁଷ୍ପକ ବିମାନରେ ବସି ଠାଆକୁ ଠାଆ ଯାତ୍ରା କଲା ଓ ଯେଉଁଠି ଯେତେ ବୀରଙ୍କୁ ଭେଟିଲା ସମସ୍ତଙ୍କୁ ସେ ନିଜର ଅଧିନସ୍ଥ କଲା ।

ସଂଗ୍ରହକାରୀ--ସମ୍ପାଦକ ମୋ ଅନୁଷ୍ଠାନ, କବିକମଳ ନରେନ୍ଦ୍ର ପ୍ରସାଦ ବେହେରା , ଆଳଦା, ଖଇରା,ବାଲେଶ୍ବର,

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy