Monday, August 24, 2020

ସ୍ଥିତପ୍ରଜ୍ଞ

ଜନମ ମରଣ ମଝିରେ ମଣିଷ 
      ଜଳୁଛି ଜୀବନ ଯଜ୍ଞ,
 ଦୁଃଖେ-ସୁଖେ ଯିଏ ସମ ଭାବ ରଖେ
            ସେହି ଏକା ସ୍ଥିତପ୍ରଜ୍ଞ,,!!୧!!

ଜ୍ଞାନର ଆଲୋକ ଦୂର କରିଦିଏ
      ଅଜ୍ଞାନ ଅନ୍ଧାର ପଥ,
ପଞ୍ଚଇନ୍ଦ୍ରିୟ ଯେ କରେ ବଶ ସିଏ
           ନହୁଏ କେବେ ବିପଥ,,!!୨!!

ସମାଜ କଲ୍ୟାଣ ନିମନ୍ତେ ଉତ୍ସର୍ଗ
       କରେ ଯେ ନିଜର ପ୍ରାଣ,
ସେହି ଏକା ଧନ୍ୟ ଶୁଝି ପାରେ ଯିଏ
          ପିତା,ମାତା,ଗୁରୁ ଋଣ,,!!୩!!

ବାୟୁ ଅଗ୍ନି ଜଳ ପୃଥିବୀ ଆକାଶ
    ପଞ୍ଚଭୂତେ ଗଢା ଦେହ,
ଏକା ଆସି ଯଦି ଏକା ଯିବା ଚାଲି
       ସଂସାରେ କାହିଁକି ମୋହ,,!!୪!!

ସାଂସାରିକ ହୋଇ ବୈରାଗ୍ୟକୁ ବହି
   ମନରେ ନରହୁ ଦ୍ଵନ୍ଦ୍ଵ,
କାମ କ୍ରୋଧ ଲୋଭ ଆଦି ଷଡରିପୁ
       ତ୍ୟାଗରେ ମିଳେ ଆନନ୍ଦ,,!!୫!!

ଜିହ୍ଵାଗ୍ରେ ବିରାଜୁ ମଧୁର ବଚନ
     ସତ୍ୟ ପଥେ ଥାଉ ପାଦ,
ଧର୍ମ ରକ୍ଷାକରି ସତ କର୍ମ ବଳେ
            ଘୁଞ୍ଚିବ ନିଶ୍ଚେ ବିଷାଦ,,!!୬!!

ଅନ୍ୟାୟ ଅନୀତି ଅଧର୍ମ ପାପକୁ
      କରିବାକୁ ହେବ ଭୟ,
ଶାନ୍ତି ଦୟା କ୍ଷମା ପରୋପକାରରେ
              କରିବ ବିଶ୍ଵକୁ ଜୟ,,!!୭!!

କଳିଯୁଗେ ଭକ୍ତି ଏକ ମାତ୍ର ଶକ୍ତି
       ଶେଷରେ ମିଳିବ ଶାନ୍ତି,
ପ୍ରଭୁ ପାଦେ ଧ୍ୟାନ ହରି ସଂକୀର୍ତ୍ତନ
            କରିଲେ ମିଳିବ ମୁକ୍ତି,,!!୮!!

ଶ୍ରୀନିବାସ ବିଶ୍ଵାଳ,
ସଇପୁର,ଯାଜପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy