Thursday, August 27, 2020

ଆସ କିଛି ଜାଣିବା......

କେଉଟର ଭାଗ୍ଯ କିପରି ପରିବର୍ତ୍ତନ ହେଲା ।

   ଜଣେ କେଉଟ ଥିଲା । ପ୍ରକୃତରେ ସେ ଥିଲା ଭାରି ଅସନ୍ତୁଷ୍ଟ । ମାଛ ଧରି ଭଲରେ ଚଳୁଥିଲେ ବି ସେ ସନ୍ତୁଷ୍ଟ ନ ଥିଲା । ସେଥିଲାଗି ସେ ନିଜ ଭାଗ୍ଯକୁ ଗାଳିମନ୍ଦ କରୁଥିଲା । କେବେ ତାର ଭାଗ୍ଯ ବଦଳିବ ବୋଲି ଭାବି ହେଉଥିଲା । ଦିନେ ସେ ଗାଁକୁ ଆସିଲେ ଜଣେ ତ୍ରିକାଳଦ୍ରଷ୍ଟା । କେଉଟଟି ଯାଇ ତାଙ୍କୁ ପଚାରିଲା--ମହାତ୍ମା, ମୋ ଭାଗ୍ଯ କେବେ ବଦଳିବ ?
    ସିଦ୍ଧ ପୁରୁଷ କହିଲେ--ଆଉ ଦୁଇ ଦିନ ପରେ । କେଉଟ ପଚାରିଲା--ତା ମାନେ ମୋ ଜାଲରେ ବଡ଼ ବଡ଼ ମାଛ ପଡିବେ ? 
ସିଦ୍ଧ ପୁରୁଷ କହିଲେ--ଏତେ ବଡ଼ ମାଛ ଯେ ତୁମ ବଂଶବୁନିଆଦର କେହି ସେତେ ବଡ଼ ମାଛ ଧରି ନ ଥିବେ । କେଉଟ ମନରେ ଆନନ୍ଦ ଭରିଗଲା । ସେ ତାର ସ୍ତ୍ରୀକୁ ଏ କଥା କହିଲା । ବଡ଼ ବଡ଼ ମାଛ ପଡିଲେ ବଜାରରେ କେଉଁ ଭାଉରେ ବିକି ଅଧିକ ପଇସା ଅର୍ଜନ କରିବ ତାହା ମନେ ମନେ ଭାବି ମଧ୍ୟ ନେଲା । 
    ଦୁଇ ଦିନ ପରେ ସତରେ ପଡିଲା ଗୋଟିଏ ଅତିକାୟ ମାଛ । ଏତେ ବଡ଼ ମାଛ ସେ କେବେ ବି ଦେଖି ନ ଥିଲା । କୌଣସିମତେ ଜାଲକୁ ଟାଣି ବହୁ କଷ୍ଟରେ ମାଛଟିକୁ କୂଳକୁ ଆଣିଲା । ତେବେ ସେଇ ବିଶାଳ ମାଛକୁ ସମ୍ଭାଳୁଥିବା ବେଳେ ହଠାତ୍ ତା'ର ଗୋଡ ଖସିଗଲା ଓ ସେ ତଳେ ପଡିଯାଇ ବେହୋସ ହୋଇଗଲା । ଚେତା ଫେରିବା ବେଳକୁ ସେ ଦେଖିଲା ଯେ ସେ ଘରେ ଶୋଇଛି ଓ ତାର ପଞ୍ଜରା ହାଡ ଭାଙ୍ଗି ଯାଇଛି । ସେ ଜାଣିଲା ଯେ ମାଛଟି ବି ସେହି ସ୍ଥାନରେ ନ ଥିଲା ଅର୍ଥାତ୍ ନଈକୁ ଖସି ଯାଇଛି । 
   ଏବେ ସେ ଶଯ୍ଯାଶାୟୀ ହୋଇ ପଡି ରହିଥିବା ବେଳେ ଭାବୁଥିଲା ତ୍ରିକାଳଦ୍ରଷ୍ଟାଙ୍କ ସବୁ କଥା ସତ ହେଲା ; ବଡ଼ ମାଛ ପଡିଲା ଓ ତା ଭାଗ୍ଯ ବଦଳିଗଲା । କିନ୍ତୁ ହାୟ, ତା' ବିଚାର ଅନୁସାରେ ନ ଘଟି ତାହା ଭଗବାନଙ୍କ ବିଚାର ଅନୁସାରେ ଘଟିଲା 

ସଂଗ୍ରହକାରୀ--ସମ୍ପାଦକ ମୋ ଅନୁଷ୍ଠାନ, କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy