Thursday, August 27, 2020

-ରାଧାଷ୍ଟମୀ-

         ✍ସୁକାନ୍ତ ଖଣ୍ଡା 
ଆଜି ରାଧାଷ୍ଟମୀ ଆଈ ମାଆଙ୍କର ଗୋଡ଼ ତଳେ ଲାଗୁ ନାହିଁ। ସକାଳୁ ସକାଳୁ ନିଜର ଦୈନନ୍ଦିନ କର୍ମ ସଂପାଦନ କରି ଠାକୁର ଘରେ ପଶିଲେ। ରାଧାରାଣୀଙ୍କ ଫଟୋଚିତ୍ରରେ ଫୁଲ ଅର୍ପଣ କରି ଧୂପ, ଦୀପ ଓ ନୈବେଦ୍ୟ ପ୍ରଦାନ କରି ମୁଣ୍ଡିଆ ମାରିଲେ। ତା' ଆଖି ଛଳଛଳ କି ସେ ବୁଢୀ ହୋଇ ଗଲାଣି। ତା'ର ଅତି ଆପଣାର ଲୋକ ଆର ପାରିରେ। ସେ ଗୁଣୁଗୁଣେଇ କୃଷ୍ଣରାଧେ କୃଷ୍ଣରାଧେ ନାମ ଧରି କାନ୍ଦୁଛି ଆଉ କହୁଛି ଯେତେ ଶିଘ୍ର ପାର ମନର ମଣିଷ ପାଖକୁ ନେଇଯାଅ। 
         ବୁନି କେତେବେଳେ ଆସି ପାଖରେ ବସିଛି ତାଙ୍କୁ ଜଣା ନାହିଁ। ଆଈ ମାଆଙ୍କ ପ୍ରାର୍ଥନା ସରିଲା ତ ବୁନି ରାଧାରାଣୀଙ୍କୁ ପ୍ରଣାମ କରି କହିଲା,"ଆଈ ମାଆ ! ତୁମର ଡାକ ରାଧାରାଣୀଙ୍କ ପାଖରେ ପହଞ୍ଚିବା କଷ୍ଟକର ହେବ। ତୁମର ଡାକ ଭୁଲ ଥିଲା।" ଆଈ ମାଆ ଏହା ଶୁଣି କହିଲେ, "ବୁନି ! ମୋର ଡାକ କେଉଁଠି ଭୁଲ ଥିଲା କହିବୁ କି?" ବୁନି କହିଲା,"ଆଜି ରାଧାଷ୍ଟମୀ ତୁମେ ରାଧାଙ୍କୁ ନ ଡାକି କୃଷ୍ଣଙ୍କୁ ଯୋଡିଲ କାହିଁକି? ଯଦି ବା ଯୋଡିଲ ତାହା ମଧ୍ୟ ଭୁଲ ଥିଲା। ଭୁଲଟି ଏଇଆ ଯେ ରାଧେକୃଷ୍ଣ ନ କହି କୃଷ୍ଣରାଧେ କହୁଥିଲ। 
          ଏହା ଶୁଣି ଆଈ ମାଆ ମନେ ପକାଇଲେ। ସେ ନିଜର ଭୁଲ ସ୍ବୀକାର କରି ଛଳଛଳ ନୟନରେ ପୁଣି ରାଧାଙ୍କ ଫଟୋଚିତ୍ରରେ ଫୁଲଟି ଦେଇ ହାତ ଯୋଡ଼ି କ୍ଷମା ଭିକ୍ଷା କଲେ। ବୁନି ସେତେବେଳେ ପଢ଼ିବା ଘରକୁ ପଳେଇ ଆସି ପାଠ ପଢ଼ାରେ ମନ ଦେଲା। ଆଈ ମାଆ ବୁନିକୁ ମନେ ମନେ ଗୁରୁ କରି ସାରିଥିଲେ। ବୁନି କୁନିଟିଏ ହେଲେ ବି ମୁଣ୍ଡରେ ହରେକ ବୁଦ୍ଧି। ସେ ପାଖକୁ ଯାଇ ଆନନ୍ଦରେ କୁଣ୍ଢାଇ ମନେ ମନେ ରାଧାରାଣୀଙ୍କ ନାମ ଧରି ଭୋଗ ଖୁଆଇଲେ। 
     କିଛି ସମର ପରେ ଆଈ ମାଆ ଘରେ ବିଭିନ୍ନ ପିଠା ମିଠା କରି ବୁନି ଓ ଘର ପରିବାରକୁ ଖୁଆଇଲେ। ବୁନି ଖାଉ ଖାଉ କହିଲା, "ବାପା ! ଜାଣିଛ ଆଜି ଆଈ ମାଆ ଅଜାଙ୍କ ପାଖକୁ ଯିବା ପାଇଁ ରାଧାରାଣୀଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। ହେଲେ ମୁଁ କି ଆଈ ମାଆଙ୍କୁ ଯିବାକୁ ଦେବି ଆଈ ମାଆ ଅଛନ୍ତି ବୋଲି ତ ଭୁରି ଭୋଜନ ମିଳୁଛି ନୁହେଁ..।?" ଆଈ ମାଆ କାନ୍ଦି ପକାଇ କହିଲେ, "ମୋର ଏ ସଂସାରଟା ପ୍ରତି କାହିଁକି ବିତୃଷ୍ଣା ଆସୁଛି? ସଭିଏଁ ତ ପାଖରେ ଅଛ ତଥାପି...।" ବୁନି ପାଖକୁ ଆସି ଆଈ ମାଆଙ୍କ ଲୁହ ପୋଛି କୁଣ୍ଢାଇ ଧରିଲା ଯେମିତି ବୁନିର ଆଈ ମାଆ ବିନା ଭବିଷ୍ୟତ ଅସାର ଓ ଅକାରଣ ହୋଇଯିବ।
        ପାଖରେ ବାପା ମାଆ ଓ ଭାଉଜ ଏମାନଙ୍କୁ ଦେଖି ଆଖିରୁ ଲୁହ ଗଡ଼ାଇ ଦେଲେ। 
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy