Thursday, August 27, 2020

ଏଇ ମୋ ଗାଁ ଲୋ ମିତ

ମୋ ଗାଁ ଟୁଙ୍ଗୀ ଲୋ ମିତ 

ଦିବସ ଶେଷରେ ପ୍ରଶାନ୍ତି ଶ୍ଵାସରେ 
ଅରୁଣିମା ହେଲେ ଅସ୍ତ... 
ଦୃଢ ସ୍ଵରେ ସେତ କରଇ ସ୍ୱୀକାର 
ଧର୍ମ ଏକା ଶେଷ ପଥ... 
ମୋ ଗାଁ ଟୁଙ୍ଗୀ ଲୋ ମିତ... 
ଶେଷ ନିଶ୍ୱାସର ଅଶେଷ ବିଶ୍ୱାସ 
ଭକ୍ତିର ନବ ଦିଗନ୍ତ... 

ନନା ଗୋସେଇଁଙ୍କ ମଧୁର ସ୍ୱରରେ 
ଗୀତା ସାଥେ ଭାଗବତ... 
ବୁଝୁ କି ନ ବୁଝୁ ଜେଜେମା ମୋହର 
ବସେ ଯୋଡି କରି ହାତ... 
ମୋ ଗାଁ ଟୁଙ୍ଗୀ ଲୋ ମିତ... 
ପଲ୍ଲୀ ଜୀବନର ପ୍ରାଣ ପବନ ସେ 
ନଇଁ ଯାଏ ଯହିଁ ମାଥ...

ହରିବଂଶ ଠାରୁ ନୃସିଂହ ପୁରାଣ 
ତା ସାଥେ ଭକ୍ତି ସଙ୍ଗୀତ... 
ମୃଦଙ୍ଗ ତାଳରେ କୀର୍ତ୍ତନ ଶୁଭଇ 
ନୋହି ଦିନେକ ବିରତ... 
ମୋ ଗାଁ ଟୁଙ୍ଗୀ ଲୋ ମିତ... 
ନ୍ୟାୟ ଅନ୍ୟାୟର ବିଚାର କରଇ 
ସାଜି ଧର୍ମ ଅଦାଲତ... 

ଇନ୍ଦୁ ପୂର୍ଣ୍ଣିମାରୁ ନୃସିଂହ ଜନମ 
କେତେ ଓଷା କେତେ ବ୍ରତ... 
ଚୂଡ଼ାଘଷା ସାଥେ ଖେଚୁଡ଼ି ଭୋଗରେ ଆତ୍ମା ହୁଅଇ ତୃପତ... 
ମୋ ଗାଁ ଟୁଙ୍ଗୀ ଲୋ ମିତ... 
ସରଳ ମନର ବିରଳ ଚିହ୍ନ ସେ 
ସ୍ୱାର୍ଥ ହୀନ ଦସ୍ତଖତ... 

ପୁରୁଣା ଦିନ ତ ପେଡି ରହିଲା 
ଚାଳ ଘର ହେଲା ଛାତ... 
ଭଙ୍ଗା କାନ୍ଥର ସେ ଗଭୀର ଫାଟରେ 
ଟୁଙ୍ଗୀ ଅଣ୍ଡଳେ ଅତୀତ... 
ମୋ ଗାଁ ଟୁଙ୍ଗୀ ଲୋ ମିତ... 
ଏବେ ପାଲଟିଛି ବୁଲା ଷଣ୍ଢଙ୍କର 
ସୁନ୍ଦର ଏକା ଜଗତ... 

ରଞ୍ଜନ କୁମାର ମହାନ୍ତି 
ବାଲେଶ୍ୱର 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy