‘ଗାନ୍ଧୀ ସମାଚାର’କୁ ଓଡ଼ିଆ ଦୈନିକ ଖବରକାଗଜର ଆଦି ରୂପ କହାଯାଏ। ଏହାର ଗ୍ରାହକ ସ˚ଖ୍ୟା ଓ ଲୋକପ୍ରିୟତା ଦେଖି ଶଶିଭୂଷଣ ରଥ ଅନୁପ୍ରାଣିତ ହୋଇଥିଲେ ଏବ˚ ଜନ୍ମ ନେଇଥିଲା ‘ଦୈନିକ ଆଶା’- ପ୍ରଥମ ଓଡ଼ିଆ ସମ୍ବାଦପତ୍ର। ୪ ଡିସେମ୍ବର୍ ୧୯୨୭ରେ ମହାତ୍ମା ଗାନ୍ଧୀ ତୃତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଥିଲେ ବ୍ରହ୍ମପୁରରେ। ମୁଖ୍ୟ ଉଦ୍ଦେଶ୍ୟ ଥିଲା ଖଦିର ପ୍ରସାର। ମହାତ୍ମାଙ୍କର ଉକ୍ତ ଐତିହାସିକ ଗସ୍ତକୁ ସ୍ମରଣୀୟ କରିବା ପାଇଁ ଯୁବ-ସ˚ଗ୍ରାମୀ ନିରଞ୍ଜନ ପଟ୍ଟନାୟକ ଏକ ନୂତନ ପରିକଳ୍ପନା କରିଥିଲେ ଏବ˚ ତାହା ଥିଲା ‘ଗାନ୍ଧୀ ସମାଚାର’ର ପ୍ରକାଶନ। ସେ ହିଁ ଥିଲେ ସ˚ପାଦକ। ଏହା ଏକ ଦୈନିକ ବୁଲେଟିନ୍ ରୂପେ ଆତ୍ମ-ପ୍ରକାଶ କରିଥିଲା। ଏଥିରେ ପ୍ରତି ଦିନ ବାହାରୁଥିଲା ଗାନ୍ଧୀଙ୍କ ଗସ୍ତ ସ˚ପର୍କିତ ବିଭିନ୍ନ ଖବର। ଉଲ୍ଲେଖଯୋଗ୍ୟ ଯେ, ସେତେ ବେଳେ ଓଡ଼ିଶାରେ କୌଣସି ଦୈନିକ ଖବରକାଗଜ ନ ଥିଲା। ଭାରତର ଅନ୍ୟ ଅଞ୍ଚଳର ଏପରିକି ଶିକ୍ଷିତ ଲୋକେ ମଧ୍ୟ ଓଡ଼ିଶା ଏବ˚ ଓଡ଼ିଆଙ୍କ ବାବଦରେ ବିଶେଷ କିଛି ଜାଣି ନ ଥିଲେ। ସର୍ବ-ଭାରତୀୟ ସ୍ତରରେ ଓଡ଼ିଆଙ୍କୁ ପରିଚିତ କରାଇବା ପାଇଁ ବିଶେଷ ପ୍ରୟାସ କରିଥିଲେ ନିରଞ୍ଜନ। ଘୁମୁସରର ବନ୍ଧୁ ଚକ୍ରପାଣି ପ୍ରଧାନଙ୍କ ସହ ମିଶି ‘ଦ ଓଡ଼ିଆ ମୁଭ୍ମେଣ୍ଟ୍’ ନାମକ ପୁସ୍ତକ ରଚନା କରିଥିଲେ। ‘ଉତ୍କଳ ଗୌରବ’ ମଧୁସୂଦନ ଦାସଙ୍କ ପୃଷ୍ଠପୋଷକତାରେ ୧୯୧୯ରେ ପୁସ୍ତକଟି ପ୍ରକାଶ ପାଇଥିଲା। ଗାନ୍ଧୀ ଉକ୍ତ ପୁସ୍ତକ ପଢ଼ି ନିରଞ୍ଜନଙ୍କର ଉଚ୍ଚ ପ୍ରଶ˚ସା କରିଥିଲେ।
ନିରଞ୍ଜନ ଥିଲେ ଆଜୀବନ ଗାନ୍ଧୀବାଦୀ। ସ˚ଭ୍ରାନ୍ତ ପରିବାରରେ ଜନ୍ମ ହୋଇଥିଲେ ହେଁ ସରଳ-ନିରାଡ଼ମ୍ବର ଜୀବନଯାପନ କରୁଥିଲେ। ଖଦିର ପ୍ରସାର ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଏପରିକି ଗାଁ ଗାଁ ବୁଲି ଖଦି ବିକିଥିଲେ। ନିରଞ୍ଜନ ଶୈଶବରୁ ଥିଲେ ମେଧାବୀ ଛାତ୍ର। କଲକାତାରେ ସ୍ନାତକୋତ୍ତର ପଢ଼ୁଥିବା ବେଳେ ଆଇନରେ ମଧ୍ୟ ଡିଗ୍ରି ହାସଲ କରି ପରେ ଓକିଲ ହୋଇଥିଲେ। ୧୯୨୮ରେ ଜାତୀୟ କ˚ଗ୍ରେସ୍ର କଲକାତା ଅଧିବେଶନରେ ଯୋଗଦେଇ ଓଡ଼ିଶାକୁ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ଦେବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଉକ୍ତ ପ୍ରସ୍ତାବକୁ ତାଚ୍ଛଲ୍ୟପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ ଉକ୍ତ ଅଧିବେଶନରେ ସଭାପତିତ୍ବ କରୁଥିବା ମୋତିଲାଲ ନେହରୁ। ଏହାର ବିରୋଧ କରିଥିଲେ ନିରଞ୍ଜନ। ତାଙ୍କ ନେତୃତ୍ବରେ ଓଡ଼ିଆ ପ୍ରତିନିଧି ଦଳ ଅଧିବେଶନ ତ୍ୟାଗ କରିବା ସହ ଅନ୍ୟତ୍ର ବିଶାଳ ଶୋଭାଯାତ୍ରା ଆୟୋଜନ କରିଥିଲେ। ପରେ ନେତାଜୀ ସୁଭାଷ ଓ ଜବାହରଲାଲ ନେହରୁଙ୍କ ହସ୍ତକ୍ଷେପ ପରେ ମୋତିଲାଲ ଦୁଃଖପ୍ରକାଶ କରିଥିଲେ ଏବ˚ ଓଡ଼ିଆ ପ୍ରତିନିଧି ଦଳ ଅଧିବେଶନକୁ ଫେରିଥିଲା। ୧୮୯୬ ନଭେମ୍ବର୍ ୨୪ରେ ଗ˚ଜାମ ଜିଲ୍ଲାର ପୋଲସରା ଅନ୍ତର୍ଗତ ରଖାକଣାରେ ଜନ୍ମ ହୋଇଥିଲେ ଏହି ମହାନ୍ ଓଡ଼ିଆ। ୧୫ ଅଗଷ୍ଟ୍ ୧୯୪୩ରେ ତାଙ୍କର ପରଲୋକ ହୋଇଥିଲା।
No comments:
Post a Comment