Thursday, August 27, 2020

ଗଳ୍ପ - ଦ୍ବିଧା

                    ✍କଳ୍ପନା ରାୟ
          
          ପ୍ରସନ୍ନବାବୁ ନିଜ ପ୍ରେମକୁ ନେଇ ଖୁବ୍ ପ୍ରସନ୍ନ ଥିଲେ  ।  ନଵନୀତା ତାଙ୍କ ପ୍ରେମିକା  ।  ଉଚ୍ଚ ବଂଶଜ।  ପାଠ ପଢିଛି, ସୁଶ୍ରୀ ସୁନ୍ଦର  ।  କେଉଁଥିରେ କମ୍ ନୁହେଁ  ।  ନିଜ ଭାଗ୍ୟକୁ  ଦେଖି ନିଜେ ଖୁସି ହେଉଥିଲେ ।

         ମାଆ କିନ୍ତୁ ରାଜି ନ ଥିଲେ  ।  କାହିଁକି ତାଙ୍କ ମନ ଖଟ୍ କା ଲାଗୁଥିଲା ସେ ନିଜେ ହୁଏତ ଜାଣି ନ ଥିଲେ  ।  ତାଙ୍କର ଗଉଡ ଘର  । ତାଙ୍କ ପୁଅ ଚାକିରି କରିଛି  । ପେଶାରେ ଡାକ୍ତର, କିନ୍ତୁ ନିଶାରେ ଜଣେ ସମାଜସେବୀ  ।  ସେଥିପାଇଁ ବୋଧହୁଏ  ପ୍ରସନ୍ନ ଉଚ୍ଚ ବଂଶଜା ନଵନୀତାକୁ ଭଲପାଇ ଖୁସି ଅଛି  । ନଵନୀତା କୌଣସି ଗୁଣରେ କମ୍ ନୁହେଁ  ।

         ପ୍ରସନ୍ନଙ୍କ ମାଆ ଵିବାହର ଦୁଇ ବର୍ଷ ପରେ ଵିଧଵା ହୋଇଥିଲେ ସ୍ଵାମୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଯୋଗୁଁ ।  କିନ୍ତୁ ସ୍ବାମୀଙ୍କ ପାଇଁ ସେ ଚାକିରି ଖଣ୍ଡିଏ ପାଇ ଯାଇଥିଲେ  । ହେଲେ କୋଳରେ ବର୍ଷକର ପ୍ରସନ୍ନ  । ତାକୁ ଛାଡ଼ି ଅଫିସ୍  । ଜୀବନରେ ବହୁ କଷ୍ଟରେ ସମୟ ଅତିବାହିତ କରି ଆଜି ଏଠି ଉପସ୍ଥିତ ।  ସବୁ ଠିକ୍ ଥିବା ସତ୍ତ୍ୱେ ନଵନୀତାକୁ ନେଇ ସେ କାହିଁକି ଖୁସି ହୋଇ ପାରୁ ନ ଥିଲେ ସିଏ ନିଜେ ଭି ଵୁଝି ପାରୁ ନ ଥିଲେ  ।

        ପରଦିନ ନଵନୀତାର ଵାପାକୁ ଡକାଇପଠାଇଲେ  ।  ଜଳଖିଆ ପର୍ବ ସରିଲା ପରେ ପଚାରିଲେ ଆମ ଗୌଡଘରେ ଝିଅ ଦେବାକୁ ଆପଣଙ୍କର ଆପତ୍ତି ନାହିଁ  ?? ଆପଣ ଉଚ୍ଚ ବଂଶଜ  । ଆମ ପରିବାରରେ ବନ୍ଧୁ କଲେ ଆପଣଙ୍କୁ କେହି କିଛି କହିଵେ ନାହିଁ  ?? ଉତ୍ତରରେ ନବନୀତାର ବାପା ରୋହିତବାବୁ କହିଲେ, ଆଜିକାଲି ସେସବୁକୁ ଆଉ କିଏ ପ୍ରାଧାନ୍ୟ ଦେଉଛି  ??  ତଥାପି କିଛି ଲୋକ ତ ନିଶ୍ଚୟ କହିଵେ  ।  ତାଙ୍କ କଥା ଶୁଣି ନ ଶୁଣିଲା ପରି ରହିବାକୁ ପଡ଼ିବ  । ପ୍ରସନ୍ନ ଭଲ ପିଲା, ତା ପରେ ମୋ ଝିଅ ନଵନୀତାର ପସନ୍ଦ  ।  ମୁଁ ଜାତି ଗୋତ୍ର ଧରି ଆଜିର ଯୁଗରେ କଣ ବସି ପାରିବି  ??  ଆଜିକା ପିଲା, ଵିଵାହ ନ କଲେ କେତେ କଣ କରୁଛନ୍ତି  ।  ଵାହା ଦେଇଦେଲେ କାମ ଶେଷ  । କାହିଁ, ଆପଣଙ୍କର ମୋ ଝିଅ ପସନ୍ଦ ନୁହେଁ କି  ??  ନଵନୀତା ପରି ଝିଅକୁ କିଏ ନାପସନ୍ଦ କରିବ  ??  ହେଉ ତିଥି ଠିକ୍ କରି ମୋତେ କହିଵେ  ।

         ଠିକ୍ ସମୟରେ ଵିଵାହ ସରି ବନ୍ଧୁବାନ୍ଧବ ସବୁ ପଳାଇଥିଲେ  ।  ଦିନେ ସନ୍ଧ୍ୟାରେ ମାଆଙ୍କ ଅନୁମତି ନେଇ ପ୍ରସନ୍ନ ଓ ନଵନୀତା ଵୁଲି ଵାହାରିଥିଲେ।  ସହରର ଗହଳି ଭିତରୁ ଦୂରକୁ ଯିବେ ଵୋଲି ସ୍ଥିର କଲେ ଦୁହେଁ  ।  ସେହି ଅନୁସାରେ ଯାଉଥିବା ସମୟରେ ଏକ ଷଣ୍ଢ ଦୌଡି ଗାଡି ସମ୍ମୁଖକୁ ଆସି ଯାଇ ଥିଵାରୁ ଗାଡିର ଵ୍ରେକ୍ ଦବାଇଥିଲା ପ୍ରସନ୍ନ  । ଏତେ ଜୋରରେ ଵ୍ରେକ୍ ଦଵାଇଵାରୁ ଗାଡି ଓଲଟି ପଡିଥିଲା  । ଠିକ୍ ସେହି ସମୟରେ ଵିପରୀତ ଦିଗରୁ ଆସୁଥିବା ଏକ ହାଇୱା ଗାଡି ତାଙ୍କ ଗାଡି ଉପରକୁ ଚଢି ଯାଇଥିଲା  ।  ତତ୍ କ୍ଷଣାତ୍ ଲୋକ ଗଦା ହୋଇଯାଇଥିଲେ  ।  ସହଜରେ ଵାହାରି ପାରିଥିଲା ପ୍ରସନ୍ନ  ।  ମୁଣ୍ଡ ହାତ ଗୋଡ଼ ମାଡ ହୋଇଥିଲା  । ଛିଡି ଛିଡି ଯାଇଥିଲା ଵି  ।  କିନ୍ତୁ ନବନୀତାକୁ କଟର ମେସିନ୍ କାଟି ଵାହାର କରିଥିଲା  । ଦୁଇ ଗୋଡର ଆଣ୍ଠୁ ପାଖରୁ ଏମିତି କୁଚ୍ କୁଚା ହୋଇଥିଲା ଯେ ଡାକ୍ତର ତାର ଆଣ୍ଠୁ ତଳକୁ କାଟିବାକୁ ବାଧ୍ୟ ହୋଇଥିଲେ  । ମାଆ ଦୁର୍ଗାଙ୍କ ପୂଜାରେ ଦିନଦିନ ବସିଥିଲେ ତାଙ୍କ ପୁଅର ଦୁର୍ଗତି ନାଶ ପାଇଁ  ।

          କିଛିଦିନ ମେଡିକାଲରେ ରହି ଦୁଇ ଜଣ ଘରକୁ ଆସିଥିଲେ  । ନଵନୀତା ଆସିଥିଲା ପୁରା ନୂଆ ହୋଇ  । ଦୁଇ କାଖରେ ଆଶାଵାଡି ଧରି  । ବଡ ଦୟନୀୟ ଥିଲା ଦୃଶ୍ୟ  । ପ୍ରସନ୍ନ ତାକୁ ସର୍ବଦା ମାନସିକ ଖୁସି ଦେବାକୁ ଚାହିଁଥିଲା  ।  କିନ୍ତୁ ନଵନୀତା ମୋଟେ ଵୁଝୁ ନ ଥିଲା ।  ସେ ଜିଦ୍ କରିଥିଲା ପ୍ରସନ୍ନର ଦ୍ବିତୀୟ ବିବାହ ପାଇଁ  ।

          ଏ ପ୍ରସ୍ତାବରେ କେହି ରାଜି ନ ଥିଲେ ।  ଏମିତିକି ଶାଶୁ ଵି  ।  ଏ କେମିତି ସମ୍ଭବ  ।  ପ୍ରଥମ ସ୍ତ୍ରୀ ବଞ୍ଚି ଥାଉ ଥାଉ ଦ୍ଵିତୀୟ ସ୍ତ୍ରୀ  !!!!  ଶାଶୁ ଵୁଝାଇଥିଲେ ଏଥିର ଅସମ୍ଭବତାକୁ  । ଘରର ଏତେ ଦୁଃଖ ସମୟରେ ଆତ୍ମପ୍ରକାଶ କଲା ଏକ ଖୁସି, ଯାହା ଥିଲା ନଵନୀତା ମାଆ ହେବାର ଖବର  ।  ଏ ଖବର ଶାଶୁ ଓ ସ୍ବାମୀଙ୍କୁ ଦ୍ଵିଧାରୁ ବଞ୍ଚାଇ ଦେଲା ।  ସମସ୍ତେ ମିଶି ଠିକ୍ କରିଥିଲେ ପୁଅ ହେଉ ବା ଝିଅ ତାର ନାମ ରଖାଯିବ ଦ୍ବିଧା  ।  ନଵନୀତାର ବାପା ଭଗବାନଙ୍କୁ ଧନ୍ୟବାଦ ଦେଉଥିଲେ।  

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ଵାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର  ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy