Thursday, August 27, 2020

ନିର୍ଦୟ ତୁମେ

ତୁମ ପ୍ରତାରଣା ପରିହାସ ଘୃଣା
  ମୋ ଛାତିରେ ଭରେ କୋହ ଦରଦ,
ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୧!!

ତୁମ ଛଳନାର ଦାଉ ଦାଉ ନିଆଁ
     ଜାଳି କଲା ମୋତେ ଜୀବନ୍ତ ଦଗ୍ଧ,
 ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୨!!

ପ୍ରତିକ୍ଷଣ ହୁଏ ଅନ୍ୟମନସ୍କ ମୁଁ
        ଉଦାସ ହୃଦୟ ଆଜି ନିଃଶବ୍ଦ,
ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୩!!

ଲୁହରେ ଭିଜୁଛି ସପନ ଭାଙ୍ଗିଛି
        ତୁମେ ଗଲା ଦିନୁ ହଜିଛି ନିଦ,
ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୪!!

ଯେତେ ବୁଝେଇଲେ ବୁଝୁନି ମୋ ମନ
        ଭୁଷୁଡି ପଡୁଛି ଧର୍ଯ୍ୟର ବନ୍ଧ,
ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୫!!

ଉଲକା ଭଳି ଆସି ହୋଇଲ  ଉଭାନ
     ଭାବିଥିଲି ମୁଁ ତୁମକୁ ଚାନ୍ଦ,
ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୬!!

କେଉଁ ଦୋଷ ପାଇଁ ଦେଲ ଏତେ ସଜା
       କରିଥିଲି ମୁଁ ଯେ କି ଅପରାଧ,
ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୭!!

ମିଛ ହସ ହସି ମିଠା କଥା କହି
   ଚଖେଇଲ ମୋତେ ଦୁଃଖର ସ୍ଵାଦ,
ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୮!!

ତୁମେ ସିନା ମୋତେ ଭୁଲି ଗଲ ଚାଲି
  ବାଟ ମୋର ଆଜି ଭୁଲିଛି ପାଦ,
ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୯!!

ଜୀବନଟା ଆଜି ଦୋଛକିରେ ଅଛି
    ମିଛେ ବଞ୍ଚିବାକୁ ହେଉଛି ବାଧ୍ୟ,
ନିଶା ହେଲା ପରେ କେଜାଣି କାହିଁକି
ପିଉଛି ମୁଁ ତୁମ ପ୍ରେମର ମଦ,,!!୧୦!!

ଶ୍ରୀନିବାସ ବିଶ୍ଵାଳ,ସଇପୁର,ଯାଜପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy