Saturday, August 15, 2020

ମନେପଡ଼ନ୍ତି: ରାମକୃଷ୍ଣ ପରମହ˚ସ

୧୮୩୬ ଫେବ୍ରୁଆରି ୧୮ରେ ପଶ୍ଚିମ ବଙ୍ଗର ହୁଗଲୀ ଜିଲ୍ଲା ଅନ୍ତର୍ଗତ କାମାରପୁକୁର ଗ୍ରାମରେ ରାମକୃଷ୍ଣ ପରମହ˚ସଙ୍କର ଜନ୍ମ(ପରଲୋକ: ୧୬ ଅଗଷ୍ଟ୍‌ ୧୮୮୬) ହୋଇଥିଲା। ତାଙ୍କ ପିତୃ-ମାତୃଦତ୍ତ ନାମ ଥିଲା ଗଦାଧର ଚଟ୍ଟୋପାଧ୍ୟାୟ। ପିତା-ମାତା ଗରିବ ଥିଲେ ହେଁ ଅତି ଉଚ୍ଚମନା, ସଚ୍ଚୋଟ, ନୀତିବାନ୍‌ ଓ ଧାର୍ମିକ ଥିଲେ। ଶୈଶବରୁ ରାମକୃଷ୍ଣଙ୍କର ଔପଚାରିକ ଶିକ୍ଷା ତଥା ପାର୍ଥିବ ବ୍ୟାପାରମାନ ପ୍ରତି କୌଣସି ଆଗ୍ରହ ନ ଥିଲା। ସେ ଭଲ ଗାଇପାରୁଥିଲେ ଓ ଚିତ୍ର ଆଙ୍କିପାରୁଥିଲେ। ସାଧୁ-ସନ୍ଥଙ୍କ ସେବା କରିବା ଓ ସେମାନଙ୍କଠାରୁ ଅମୃତ ବାଣୀ ଶୁଣିବାକୁ ସେ ଖୁବ୍‌ ଭଲପାଉଥିଲେ। ଛଅ ବର୍ଷ ବୟସରେ ଆକାଶରେ କଳା ବାଦଲ ଛାଇରହିଥିବା ବେଳେ ପଲେ ଧୋବ ଫରଫର ବଗଙ୍କୁ ଉଡ଼ିଯାଉଥିବା ଦେଖି ସେ ବିମୋହିତ ହୋଇଯାଇଥିଲେ। ପର ବର୍ଷ ପିତାଙ୍କ ମୃତ୍ୟୁ ପରେ ପରେ ସେ ଆଧ୍ୟତ୍ମିକତା ପ୍ରତି ଅଧିକ ଆକୃଷ୍ଟ ହୋଇଥିଲେ। ରାମକୃଷ୍ଣଙ୍କ ବଡ଼ ଭାଇ ରାମକୁମାର କଲକାତାର ଦକ୍ଷିଣେଶ୍ବର କାଳୀ ମନ୍ଦିରର ମୁଖ୍ୟ ପୂଜକ ଥିଲେ। ଷୋହଳ ବର୍ଷ ବୟସରେ ଭାଇଙ୍କ ସହ ସେଠାକୁ ଯାଇ ରାମକୃଷ୍ଣ ପୂଜକ ଜୀବନ ଆରମ୍ଭ କରିଥିଲେ। ଭାଇଙ୍କ ମୃତ୍ୟୁ ପରେ, ତାଙ୍କୁ ମୁଖ୍ୟ ପୂଜକ ପଦ ମିଳିଥିଲା। ମନ୍ଦିର ମଧ୍ୟରେ କାଳୀ-ଉପାସନାରେ ହିଁ ସେ ନିମଗ୍ନ ରହୁଥିଲେ। ସେ ସନ୍ନ୍ୟାସୀ ହୋଇଯିବେ ଆଶଙ୍କା କରି ପରିବାରବର୍ଗ ତାଙ୍କର ବିବାହ କରିଦେଇଥିଲେ। ବିବାହ ପରେ ରାମକୃଷ୍ଣ ଆଧ୍ୟାତ୍ମିକତା ପ୍ରତି ଅଧିକ ଆକର୍ଷିତ ହୋଇଥିଲେ। ୧୮୬୧ରେ ଭୈରବୀ ବ୍ରାହ୍ମଣୀଙ୍କଠାରୁ ସେ ତନ୍ତ୍ରବିଦ୍ୟା ଶିକ୍ଷା କରିଥିଲେ। ପରେ ତୋତାପୁରୀ ନାମକ ସନ୍ନ୍ୟାସୀଙ୍କ ପ୍ରଦର୍ଶିତ ମାର୍ଗରେ ଯାଇ ସେ ହିନ୍ଦୁ ଧର୍ମର ସର୍ବୋଚ୍ଚ ଆଧ୍ୟାତ୍ମିକ ଅନୁଭବ ‘ଅଦ୍ବୈତ ଭାବ’ ବା ‘ନିର୍ବିକଳ୍ପ ସମାଧି’ ପ୍ରାପ୍ତ ହୋଇଥିଲେ। ପତ୍ନୀ ଶାରଦା ଦେବୀଙ୍କୁ ସେ ‘ସ୍ବର୍ଗୀୟ ମାତା’ ଭାବେ ପୂଜା କରୁଥିଲେ। ସେମାନଙ୍କର ବୈବାହିକ ସ˚ପର୍କ ମଧ୍ୟ ଶୁଦ୍ଧ ଆଧ୍ୟାତ୍ମିକ ଥିଲା। ରାମକୃଷ୍ଣ କୌଣସି ବହି ଲେଖି ନ ଥିଲେ କି ସର୍ବସାଧାରଣରେ ପ୍ରବଚନ ଦେଉ ନ ଥିଲେ। ସେ ଅତି ସାଧାରଣ ଭାଷାରେ କାହାଣୀ ମାଧ୍ୟମରେ ଶିକ୍ଷା ଦେଉଥିଲେ। ତାଙ୍କ ଶିକ୍ଷାଗୁଡ଼ିକୁ ବହି ରୂପ ଦେଇଥିଲେ ଶିଷ୍ୟ ମହେନ୍ଦ୍ରନାଥ। ସେହି ବହିଟି ‘ଶ୍ରୀ ଶ୍ରୀ ରାମକୃଷ୍ଣ କଥାମୃତ’ ନାମରେ ପ୍ରସିଦ୍ଧ। ସ୍ବାମୀ ବିବେକାନନ୍ଦଙ୍କ ସମେତ ବହୁ ଉଚ୍ଚ ଶିକ୍ଷିତ ଯୁବକ ରାମକୃଷ୍ଣଙ୍କ ଶିଷ୍ୟତ୍ବ ଗ୍ରହଣ କରିଥିଲେ। ସେମାନେ ତାଙ୍କ ବାଣୀ-ବାର୍ତ୍ତା ସମଗ୍ର ବିଶ୍ବରେ ପ୍ରସାରିତ କରିଥିଲେ। ରାମକୃଷ୍ଣ କହିଥିବା ତିନିଟି କାହାଣୀ।
            ଗୋଟିଏ ଜଙ୍ଗଲରେ ବାସ କରୁଥିଲେ ଜଣେ ସାଧୁ। ତାଙ୍କର ଅନେକ ଶିଷ୍ୟ ଥିଲେ। ସମସ୍ତଙ୍କ ଭିତରେ ଭଗବାନ୍‌ ଅଛନ୍ତି, ଏହା ଥିଲା ତାଙ୍କ ଶିକ୍ଷାର ମୁଖ୍ୟା˚ଶ। ଏଣୁ କାହାକୁ ହତାଦର ନ କରି, ସମସ୍ତଙ୍କୁ ସମ୍ମାନ ଦେବାକୁ ସେ ଉପଦେଶ ଦେଉଥିଲେ। ଦିନକର କଥା। ତାଙ୍କର ଜଣେ ଆଜ୍ଞାଧୀନ ଶିଷ୍ୟ ଯଜ୍ଞକାଷ୍ଠ ସ˚ଗ୍ରହ ନିମନ୍ତେ ବନସ୍ତ ଭିତରକୁ ଯାଇଥିଲେ। ସେଠାରେ ଆହୁରି କିଛି କାଠୁରିଆ ମଧ୍ୟ ନିଜ କାମରେ ଲାଗିଥିଲେ। ହଠାତ୍‌ ଚିତ୍କାର ଶୁଭିଲା- ‘ମତ୍ତହସ୍ତୀ ଆସୁଛି! ପଳାଅ! ପଳାଅ!’ ସମସ୍ତେ ତୁରନ୍ତ ଛତ୍ରଭଙ୍ଗ ଦେଲେ, କେବଳ ସାଧୁଙ୍କ ଶିଷ୍ୟଙ୍କୁ ଛାଡ଼ି। ସେ ଚିନ୍ତା କରୁଥିଲେ ହସ୍ତୀଠାରେ ତ ଭଗବାନ୍‌ ଅଛନ୍ତି; ପଳାୟନ କରିବେ କାହିଁକି? ଏଣୁ ସେ ସେହି ସ୍ଥାନ ପରିତ୍ୟାଗ ନ କରି ଛିଡ଼ା ହୋଇରହିଲେ। ହାତୀଟିର ମାହୁନ୍ତ ମଧ୍ୟ ସେଠାରେ ଥିଲା। ତା’ର ବାରଣ ମଧ୍ୟ ସେ ଶୁଣିଲେନାହିଁ। ହାତୀ, ସେଠାରେ ପହଞ୍ଚି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଲା। ଭାଗ୍ୟବଳରୁ ଗୁରୁତର ଆହତ ହୋଇ ସୁଦ୍ଧା ସେ ବଞ୍ଚିଗଲେ। ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ଆଶ୍ରମକୁ ନେଇଗଲେ। ଆଶ୍ରମରେ ଗୁଳ୍ମାଦି ଦ୍ବାରା ଚିକିତ୍ସା ପରେ ସେ କିଛିଟା ସୁସ୍ଥ ହୁଅନ୍ତେ ଗୁରୁ ପଚାରିଲେ, ‘ପାଗଳ ହାତୀ ଆସୁଛି ଜାଣିବା ପରେ ବି ତୁମେ ସେହି ସ୍ଥାନ ନ ଛାଡ଼ିବାର ମୂର୍ଖତା କଲ କିପରି?’ ଶିଷ୍ୟ ଉତ୍ତର ଦେଲେ, ‘ଆପଣଙ୍କ ଶିକ୍ଷା ହିଁ ତାହାର କାରଣ। ଆପଣ କହିଥିଲେ ଭଗବାନ୍‌ ସମସ୍ତଙ୍କଠାରେ ବିଦ୍ୟମାନ। ମୁଁ ହସ୍ତୀ ରୂପୀ ଭଗବାନ୍‌ଙ୍କୁ ଡରି ପଳାୟନ କରିଥାଆନ୍ତି ବା କିପରି?’ ସାଧୁ ସ୍ମିତ ହାସ୍ୟ ପ୍ରଦାନ କରି କହିଲେ, ‘ହଁ, ତୁମେ ଠିକ୍‌ କହିଛ ତେବେ ମାହୁନ୍ତ ଭଗବାନ୍‌ କଥା ଭୁଲିଗଲ କିପରି! ତୁମକୁ ମାହୁନ୍ତ ଭଗବାନ୍‌ଙ୍କ କଥା ଶୁଣିବାର ଥିଲା।’        ଓଟ କଣ୍ଟା-ବୁଦାରୁ ପତ୍ର ଖାଇବାକୁ ଭଲପାଏ। ଯେତେ ଯେତେ ଅଧିକ ଖାଇବାକୁ ମନକରେ, ତା’ର ପାଟି ସେତିକି ଅଧିକ ଅଧିକ କ୍ଷତ-ବିକ୍ଷତ ହୁଏ। ରକ୍ତ ବୋହିଚାଲେ ପାଟିରୁ। ତଥାପି ଏହା କଣ୍ଟା-ବୁଦାରୁ ଖାଇବା ଛାଡ଼େନାହିଁ। ଛାଡ଼ିବ ବି ନାହିଁ। ମଣିଷ ଠିକ୍‌ ଏହି ପରି। ପାର୍ଥିବ ଲାଳସା ଦୁଃଖ-କଷ୍ଟ ଦେଉଥିଲେ ହେଁ ତାହାକୁ ଏଡ଼ାଇପାରେନାହିଁ। କଷ୍ଟ ଭୋଗୁଥିବା ସମୟରେ ଭଗବାନ୍‌ଙ୍କୁ ଡାକି ପର ମୁହୂର୍ତ୍ତରେ ପୁଣି ଭୁଲିଯାଏ। ଭଗବାନ୍‌ ହେଉଛନ୍ତି ଉଭୟ ବିଦ୍ୟା ଏବ˚ ଅବିଦ୍ୟାର ସମାହାର। ବିଦ୍ୟା ମାୟା ମଣିଷକୁ ଭଗବାନ୍‌ଙ୍କ ନିକଟବର୍ତ୍ତୀ କରାଉଥିବା ବେଳେ ଅବିଦ୍ୟା ମାୟା ତାକୁ ଭଗବାନ୍‌ଙ୍କଠାରୁ ଦୂରେଇନେଇଥାଏ। ଜ୍ଞାନ, ସମର୍ପଣ ଭାବ, ଅନାସକ୍ତି ଏବ˚ କରୁଣା ବିଦ୍ୟା ମାୟାର ପରିପ୍ରକାଶ, ଯାହା ସାହାଯ୍ୟରେ ଭଗବାନ୍‌ଙ୍କ ନିକଟରେ ପହଞ୍ଚିହୁଏ। ସବୁ ମଣିଷଙ୍କ ଭିତରେ ଭଗବାନ୍ ବିଦ୍ୟମାନ। କିନ୍ତୁ ଭଗବାନ୍‌ଙ୍କ ଭିତରେ ସବୁ ମଣିଷ ନ ଥା’ନ୍ତି; ଏଣୁ କଷ୍ଟ ଭୋଗନ୍ତି।
         ଦିନେ ନାରଦ ଭାବିଲେ, ତାଙ୍କ ଠାରୁ ବଡ଼ ବିଷ୍ଣୁଭକ୍ତ କେହି ନାହାନ୍ତି। ତାଙ୍କ ଭାବନା ଭଗବାନ୍‌ ବିଷ୍ଣୁଙ୍କୁ ଅଛପା ରହିଲାନାହିଁ। ସେ ନାରଦଙ୍କୁ ଜଣେ କୃଷକଙ୍କ ପାଖକୁ ପଠାଇ କହିଲେ, ‘ଯାଅ, ଦେଖିଆସ, ସେ ମୋର ଜଣେ ବଡ଼ ଭକ୍ତ।’ ନାରଦ ଧରାପୃଷ୍ଠରେ ପହଞ୍ଚି କୃଷକଙ୍କୁ ଦେଖିଲେ। କୃଷକ ଜଣକ ସକାଳୁ ହରିନାମ ନେଇ ଖେତକୁ ବାହାରନ୍ତି; କାମ ସାରିବା ପରେ ଘରକୁ ଫେରି ଶୋଇବା ପୂର୍ବରୁ ହରିନାମ ନେବାକୁ ଭୁଲନ୍ତିନାହିଁ। କେବଳ ପାର୍ଥିବ କାମ କରୁଥିବା ଲୋକଟି ପ୍ରକୃତ ହରିଭକ୍ତ କିପରି ହୋଇପାରିବ ବୋଲି ଭାବିଭାବି ସେ ବିଷ୍ଣୁଲୋକ ଫେରିଲେ। ଭଗବାନ୍‌ଙ୍କ ସହ ଯୁକ୍ତି-ତର୍କ ଆରମ୍ଭ କରିଦେଲେ। ଭଗବାନ୍‌ ତାଙ୍କୁ ତୈଳପୂର୍ଣ୍ଣ ପାତ୍ରଟିଏ ଦେଇ କହିଲେ, ‘ଯାଅ, ଚାରିଆଡ଼େ ବୁଲିଆସ। କିନ୍ତୁ, ସାବଧାନ ପାତ୍ରରୁ ବୁନ୍ଦାଏ ତୈଳ ଯେପରି କେଉଁଠି ନ ପଡ଼େ।’ ନାରଦଙ୍କୁ ବଡ଼ ସତର୍କତା ଅବଲମ୍ବନ କରିବାକୁ ପଡ଼ିଲା। ତାଙ୍କର ଧ୍ୟାନ ରହିଲା ପାତ୍ରରେ। ସେ ଯାହା ହେଉ କେଉଁଠି ତୈଳ ନ ପକାଇ ନାରଦ ଫେରିଲେ। ବୁଲିବା ବେଳେ କେତେ ଥର ହରିନାମ ନେଇଥିଲେ ବୋଲି ବିଷ୍ଣୁ ଜାଣିବାକୁ ଚାହିଁଲେ। ନାରଦ କହିଲେ କି ତୈଳ କାଳେ ପଡ଼ିଯିବ, ସେହି ଚିନ୍ତା ଘାରୁଥିବାରୁ ସେ ଭଗବାନ୍‌ଙ୍କ ନାମ ସ୍ମରଣ କରିପାରିନାହାନ୍ତି। ବିଷ୍ଣୁ କହିଲେ, ‘ତୈଳ ଟିକକ ତୁମକୁ ଏତେ ଭାରାକ୍ରାନ୍ତ କଲା ଯେ, ତୁମେ ମୋ ନାମ ସ୍ମରଣ କରିପାରିଲନାହିଁ। ତେବେ ସେ ଲୋକଟି ତା ପରିବାରର ବୋଝ ବୋହୁଥିବା ବେଳେ ଦିନେ ହେଲେ ତ ନାମ ସ୍ମରଣ କରିବା ଭୁଲୁନାହିଁ। ତାହା ହେଲେ କିଏ ବଡ଼ ଭକ୍ତ!’ ଭଗବାନ୍‌ଙ୍କ କଥା ଶୁଣି ନାରଦ ନିଜର ଭୁଲ୍‌ ବୁଝିପାରିଥିଲେ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy