Thursday, August 27, 2020

ସ୍ବାଧିନୋତ୍ତର ଭାରତର ଗ୍ରାମ୍ୟ ଜୀବନ

ପ୍ରବନ୍ଧ- ସ୍ବାଧିନୋତ୍ତର ଭାରତର ଗ୍ରାମ୍ୟ ଜୀବନ (©ପ୍ରାବନ୍ଧିକ- ତ୍ରିନାଥ ବେହେରା, ଶିକ୍ଷକ )

           କେଉଁ ଆବହମାନ କାଳରୁ ଭାରତ ବର୍ଷ ନିଜ ବକ୍ଷରେ କଳା,ସ୍ଥାପତ୍ୟ, ସଂସ୍କୃତି, ପରମ୍ପରା, କୁ ରିଦ୍ଧିମନ୍ତ କରି ବଜାୟ ରଖି ଏକ ଉନ୍ନତ ସଭ୍ୟତା ରୂପେ ସ୍ବତନ୍ତ୍ର କିର୍ତ୍ତୀ ସ୍ଥାପନ କରିପାରିଥିବାରୁ ଆମେ କହୁ ଗର୍ବରେ ମେରା ଭାରତ ମହାନ ା ବିଭିନ୍ନତା ମଧ୍ୟରେ ଏକତା ମୂଳ ବୈଶିଷ୍ଟ୍ୟ ରଖୁଥିବା ଭାରତ ସଦା ଗାଇ ଆସିଛି ସେଇ କାଳଜୟୀ ବାଣୀ ବସୁଧୈବ କୁଟୁମ୍ବକଂ ା ସର୍ବଦା ଭାରତ ବକ୍ଷରେ ଗୁଞ୍ଜରିତ ହୋଇଛି ବୁଦ୍ଧଂ ଶରଣଂ ଗଚ୍ଛାମି, ଧର୍ମଂ ଶରଣଂ ଗଚ୍ଛାମି, ସଂଘମ୍ ଶରଣଂ ଗଚ୍ଛାମି ର ଅଭୟ ବାଣୀ ାା ଏଠି ଏକାକାର ହୋଇଛନ୍ତି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଜୈନ, ବୌଦ୍ଧ ଆଦି ଅନେକ ଧର୍ମ ର ସଂପ୍ରଦାୟ ର ବ୍ଯକ୍ତି ବିଶେଷ ଓ ତିନିଶହ ପ୍ରକାର ରୁ ଉର୍ଦ୍ଧ୍ବ ଭାଷାଭାଷି । ତଥାପି ଐତିହାସିକ ପୃଷ୍ଠଭୂମି, ଆଧ୍ୟାତ୍ମିକ ପରିବେଷ୍ଟନୀ, ଭୌଗୋଳିକ ପରିବେଶ ତଥା ସୁସଂହତ ସାମାଜିକ ଜୀବନଯାପନ ଶୈଳୀ ଭାରତକୁ ବିଶ୍ବରେ ସର୍ବଦା ଅନନ୍ୟ କରି ରଖିଛି ା
             ପ୍ରାକୃତିକ ଶୋଭାର ଅପୂର୍ବ ଗନ୍ତାଘର , ରମ୍ୟ ଚେତନାର ପେଣ୍ଠସ୍ଥଳୀ ଭାରତ କିନ୍ତୁ ବ୍ରିଟିଶ ଶାସନାଧିନ ରହିଥିଲା ଦୀର୍ଘ ଦୁଶ ଶତାବ୍ଦୀ ଧରି ା ଭୂଲୁଣ୍ଠିତ ହୋଇଥିଲା ଗୌରବରାଜୀ ା ଜାତିର ଜନକ ସ୍ବାଧିନତାର କର୍ଣ୍ଣଧାର ବାପୁଙ୍କ ତତ୍ତ୍ବାବଧାନ ତଥା ଅହିଂସା ବଳରେ ଶେଷରେ ଶତ ସହସ୍ର ସହସ୍ର ସ୍ବାଧିନତା ସଂଗ୍ରାମୀଙ୍କ ବଳିଦାନରେ ଭାରତ ଫେରିପାଇଥିଲା ସ୍ବାଧିନତା ା ଏହି ଗାଥା ଆଜି ଇତିହାସର ଶତ ଶତ ପୃଷ୍ଠା ମଣ୍ଡନ କରିଛି ା ବର୍ତ୍ତମାନ ଭାରତ ଅଣ୍ଟା ସଳଖି ଛିଡା ହେବାରେ ଚେଷ୍ଟିତ ା ଦୀର୍ଘ ଚଉସ୍ତୁରୀ ବର୍ଷ ହେଲା ଅହରହ ସଂଗ୍ରାମ କରି ଭାରତ ଆଜି ପାଲଟିଛି ଏକ ବିକାଶୋନ୍ମୋଖୀ ରାଷ୍ଟ୍ର ା ସ୍ବାଧିନୋତ୍ତର ଭାରତର ଗ୍ରାମ ଗୁଡିକରେ ବିକାଶ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପରିଲକ୍ଷିତ ହୁଏ ା
ମହାତ୍ମା ଗାନ୍ଧୀ ସେଦିନ କହୁଥିଲେ ଆମେ ଯଦି ଭାରତର ବିକାଶ କରିବା ତେବେ ପ୍ରଥମେ ଭାରତର ଗାଁ ଗୁଡିକର ବିକାଶ କରିବା ଅବସମ୍ଭ୍ୟାବୀ ଅଟେ ା ତାଙ୍କ ମତରେ ଭାରତର ଆତ୍ମା ଗାଁ ରେ ହିଁ ରହିଛି ା ସେଥିପାଇଁ ତ ସେ ପ୍ରଥମେ ଭାରତର ଗାଁ କୁ ଗାଁ ଭ୍ରମଣରେ ବାହାରିଥିଲେ ା ପରେ ଗାଁ ଗୁଡିକରେ କିପରି କୁଟୀର ଶିଳ୍ପର ବିକାଶ ହେବ,ଗାଁ ଗୁଡିକରେ ନିଶା ନିବାରଣହୋଇପାରିବ, ଗାଁ ଗଣ୍ଡା ସବୁ ମଇଳା ଆବର୍ଜନା ମୁକ୍ତ ହୋଇପାରିବ , ଲୋକମାନେ ଅନ୍ଧବିଶ୍ବାସ, କୁସଂସ୍କାରରୁ ମୁକ୍ତ ହେବେ, ଜୁଆ ଖେଳ ଭଳି ମାରାତ୍ମକ ବ୍ୟାଧିଠୁ ଦୂରେଇ ରହିବେ,ସମସ୍ତେ ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରିବେ , ନାରୀ ଶିକ୍ଷାର ପ୍ରସାର, ନୟୀ ତାଲିମ ଶିକ୍ଷାର ପ୍ରଚାର ସହ ସ୍ବଦେଶୀ ଦ୍ରବ୍ୟକୁ ଆଦର କରି ବିଦେଶୀ ଦ୍ରବ୍ୟ କୁ ବର୍ଜନ କରିବେ ଆଦି କୁ ଗାନ୍ଧିଜୀ ନିଜ ଜୀବନକାଳ ମଧ୍ୟରେ ବହୁତ ପ୍ରାଧାନ୍ୟ ଦେଉଥିଲେ ା ଗାନ୍ଧିଜୀ ସ୍ବାଧିନୋତ୍ତର ଗ୍ରାମ୍ୟ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଓ ସ୍ବପ୍ନର ରାମ ରାଜ୍ୟ ପ୍ରସ୍ତୁତି ନିମିତ୍ତ ମୁଳଦୁଆ ପକାଇଥିଲେ ା 
            ଭାରତର ସ୍ବାଧିନତା ପ୍ରାପ୍ତି ପରେ ଗାଁ ଗୁଡିକର ଚିତ୍ର ଧିରେ ଧିରେ ବଦଳିଥିଲା ା ସବୁଆଡେ ସଡକ ପଥ ର ବ୍ୟବସ୍ଥା, ଡାକ ଓ ତାର ସେବା ର ବ୍ୟାପକ ପ୍ରସାର ଆଦି ସହ ଉନ୍ନତ ଶିକ୍ଷା ର ପ୍ରଚଳନ ନିମିତ୍ତ ଜାତୀୟ ଶିକ୍ଷା ନୀତି ପ୍ରଚଳନ କରି ଗାଁ ଗହଳିର ଲୋକଙ୍କୁ ଶିକ୍ଷିତ କରାଇବା ର ପ୍ରଚେଷ୍ଟା ବାସ୍ତବିକ ସ୍ବାଗତ ଯୋଗ୍ୟ ଯାହା ତତ୍କାଳୀନ ସରକାର ଯୋଜନା କରିଥିଲେ ା ଗାଁ ର ବିକାଶ ପାଇଁ କୃଷି ଓ କୃଷକର ଉନ୍ନତି ଅନିର୍ବାଯ୍ୟ ଏଣୁ ଏ ଦିଗରେ ବି ବ୍ୟାପକ ବ୍ୟବସ୍ଥା ହେଲା ା ସ୍ବାସ୍ଥ୍ୟ ହିଁ ସଂପଦ ହେତୁ ଧିରେ ଧିରେ ଭାରତର ଚିକିତ୍ସା କ୍ଷେତ୍ରରେ ବି ଉନ୍ନତି ପରିଲକ୍ଷିତ ହେଲା ା ସମୟ ର କଷଟି ପଥରରେ ଭାରତ ର ସାମାଜିକ ଜୀବନ, ରଜନୈତିକ ପରିବେଶ ମଧ୍ୟରେ ଆନ୍ତଃ କ୍ରିୟାକଳାପ ର ଫଳ ସ୍ବରୂପ ଗଣତନ୍ତ୍ର ଅଧିକ ବିକଶିତ ହେଲା ାା
              ଅଧୁନା ଭାରତବର୍ଷର ଗାଁ ଗୁଡିକୁ ଗଲେ ମନେ ହୁଏ ଚାରିଆଡେ ବିକାଶ ନିଜର ଯାଦୁକରୀ ହାତ ବୁଲାଇ ଆଣିଛି ାସର୍ବାଧିକ ଗ୍ରାମକୁ ଆଜି ପକ୍କା ସଡକ , ସେତୁ ଆଦି ସଂଯୋଗ ହୋଇଛି ା ଗାଁ ରାସ୍ତା ସିମେଣ୍ଟ କଂକ୍ରିଟ ା ସର୍ବାଧିକ ଲୋକ ଭଲ ଘରେ ରହୁଛନ୍ତି ା ଗାଁ କୁ ବିଜୁଳି, ପାନୀୟ ଜଳ ଯୋଗାଣ ସୁବ୍ୟବସ୍ଥିତ ହୋଇଛି ା ଲୋକଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ପ୍ରଦାନ କରି ଉନ୍ନତ ଶିକ୍ଷା, ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ଆଜି ସଙ୍କଳ୍ପ ବଦ୍ଧ ା କିନ୍ତୁ ଆଜି ବି ଏମିତି କିଛି ଗାଁ ରହିଛି ଯେଉଁ ଗାଁକୁ ବିଜୁଳି, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା, ଶିକ୍ଷା ଭଳି ବିକାଶ ସଚଳ ଉପାଦାନ ସାତ ସପନ ମନେ ହୁଏ ା ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଇଲାକ ଗାଁ ଗୁଡିକର ଅବସ୍ଥା ଶୋଚନୀୟ ା ଏଥି ପ୍ରତି ସଂପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ ର ଗୁରୁତ୍ବ ରହିଛି ା
                ଗାଁ ଗୁଡିକ ହେଉଛି କଳା, ସଂସ୍କୃତିର ବାର୍ତ୍ତାବହ ଏଣୁ ସରକାର ଗାଁର ବିଲୁପ୍ତପ୍ରାୟ କଳାର ପୁନରୁଦ୍ଧାର କରିବା ବିଧେୟ ା ସଂପ୍ରତି ସବୁଠାରୁ ଭାବିବାର କଥା ଏହା ଯେ ଲୋକ ମାନେ କର୍ମଠ ହେବା ପରିବର୍ତ୍ତେ ସରକାରଙ୍କ କିଛି ଅଦୂରଦର୍ଶୀ ଯୋଜନା ଯୋଗୁଁ ବରଂ କର୍ମ କୋଢିଆ ହେବାରେ ଲାଗିଛନ୍ତି ା ଭିଟାମାଟି ଛାଡି ଦାଦନ ଖଟିବାକୁ ପସନ୍ଦ କରୁଛନ୍ତି ା ସଚେତନତାର ଅଭାବରୁ କୁସଂସ୍କାର, ଅନ୍ଧ ବିଶ୍ବାସ, ନିଶା, ନିରକ୍ଷରତା ଆଦିର ବଶବର୍ତ୍ତୀ ହେଉଛନ୍ତି ା କିଛିଲୋକ ଗାଁ ଛାଡି ସହରକୁ ସବୁଦିନ ପାଇଁ ଆପଣାଇ ନେଉଛନ୍ତି ା କିଛି ଲୋକ ଗାଁ ଟାଉଟର, କୁଜି ନେତାଙ୍କ ପରାମର୍ଶରେ ବିପଥଗାମୀ ହେଉଛନ୍ତି ା ରାଜନୈତିକ, ସାମାଜିକ ଆଦି କାରଣରୁ ପରସ୍ପର ଲଢେଇ କରୁଛନ୍ତି, ଲାଞ୍ଚ ମିଛ ର ସାହାରା ନେଇ ଅସତ୍ଯ ପଥରେ, ଅନ୍ଯାୟ ପଥରେ ଯାଉଛନ୍ତି, ଯାହା ଆମ ଦେଶ ଭାରତ ଭଳି ଏକ,ସମାଜ ମଙ୍ଗଳକାରୀ, ଉଦାରବାଦୀ ,ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର
ପାଇଁ ଆଦୌ ଶୁଭଙ୍କର ନୁହେଁ ା ଭାରତକୁ ବିକଶିତ ରାଷ୍ଟ୍ର କରି ଗଢିତୋଳିବା ପାଇଁ ସବୁ ମହଲରୁ ଗଠନ ମୂଳକ ଚିନ୍ତା ପୋଷଣ ସହ ବିହିତ କାର୍ଯ୍ୟ ଅନୁଷ୍ଠାନର ଆବଶ୍ୟକତା ବହୁତ ରହିଛି ା ଯୁବବର୍ଗ ସଚେତନ ହୋଇ ଗାଁର ଭାଇଚାରା ବଜାୟ ରଖି ଅସୁବିଧାରେ କାନ୍ଧକୁ କାନ୍ଧ ମିଳାଇ ଉନ୍ନତିକାମୀ ହୋଇପାରିଲେ, ସଂପ୍ରତିର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ର ବ୍ୟବହାର କରିଲେ, ଗାଁ ପରିବେଶ କୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିଲେ ଭାରତର ସ୍ବାଧିନୋତ୍ତର ଗ୍ରାମଗୁଡିକରେ ଅଭୁତପୂର୍ବ ପରିବର୍ତ୍ତନ ଆସିପାରିବ ଏଥିରେ ଅଣୁଏ ସନ୍ଦେହ ର ଅବକାଶ ନାହିଁ ାା

ଭଞ୍ଜନଗର, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy