Thursday, August 27, 2020

ଗଳ୍ପ - ଗରୀଵର ସ୍ଵର

                     ✍କଳ୍ପନା ରାୟ

          ସରିତା ଆକାଶ ପାତାଳ ଭାବୁଥିଲା  ।  କଣା ଚାଳରୁ ପାଣି ତଳ ମାଟିର ଅବସ୍ଥା ଦେଖି ହେଉ ନ ଥିଲା ।  ଘରର ସବୁ ବାସନ ଏଠି ସେଠି ସବୁଠି ରଖିସାରିଥିଲା  ।  ତଥାପି ଦୁଇ ଚାରି ଯାଗା ପାଣି ଗଳୁଥିଲା  ।  ଏ ବର୍ଷ ବହୁତ ଥର ପଞ୍ଚାୟତକୁ ଯାଇ  ଘରଟିଏ ପାଇଁ କହିଥିଲା  । ପଞ୍ଚାୟତର ସରପଞ୍ଚ ହଁ ହଁ କହିଚାଲିଥିଲେ  । ତା'ପରେ ମହାମାରୀର କରାଳ ଛାୟା ।  କିଏ ଆଉ କଣ ଦେଖୁଛି ଯେ ତାର କାମ ହେବ  । ଶାଶୁ ତାର ଆସିବାର କିଛି ମାସ ପରେ ଚାଲିଯାଇଥିଲେ  ।

       ପୁଅ ତାଙ୍କର କାହା ପାଖକୁ ଯାଇ ଗୁହାରି କରିବା କେହି ଦେଖିନି ।  ନିଜ କାମ ନିଜେ କରୁଥାଏ  ।  ସେଥିପାଇଁ ଆଜି ଚାଳ ଉପରେ ଚଢି ଦୁଇ/ଚାରି ଵିଡା ଛଣ ଦେଇଛି  । ଛୋଟ ପଣତ, ଏପଟେ ଟାଣିଲେ ସେପଟ ଖାଲି,  କଣ ଏ ଲଘୁଚାପର ଲଗାଣ ବର୍ଷାକୁ ଅଟକାଇ ହେଉଛି  । ଘରେ କଅଁଳିଆ ଛୁଆକୁ ଛାଡି କେଉଁଠିକୁ ଯାଇ ହେଉନି  ।  ଘରେ ଯିଏ ଯାହା କାମ ଦେଉଛି କରୁଛି  । ଚାରି/ପାଞ୍ଚ ମାସ ହେଲା ଫ୍ୟାକ୍ଟ୍ରିକୁ ଯାଉନି  । ଯାହା ଯେମିତି ସଞ୍ଜୟ କରି ରଖିଥିଲା, ସବୁ ସରିଗଲାଣି  ।

        ସୂର୍ଯ୍ୟ ଭଲ ପିଲା  । କିନ୍ତୁ ସାଙ୍ଗମାନଙ୍କୁ କିଛି କହି ପାରେନି  । ଘରେ ଛ ମାସର ଛୁଆଟା  ।  ବର୍ଷା ଅନବରତ ପଡୁଥିବାରୁ ଆଜି ଛିଙ୍କ କାଶ ଟିକିଏ ଟିକିଏ ହେଲାଣି  । ସୂର୍ଯ୍ୟ ଏଇଠି ଯିଏ ଡାକିଲେ କାମକୁ ଯାଉଥିଲା  ।  ପ୍ରଧାନମନ୍ତ୍ରୀଙ୍କ ଚାଉଳ, ଡାଲି ବହୁତ ଉପକାରରେ ଆସିଥିଲା  । ସୂର୍ଯ୍ୟ ଯେଉଁଠି କାମ କରେ, ସେଠି ଦିନରେ ଖାଏ  ।  ରାତିରେ ଚାଉଳ ଦିଟା ଵାଟି ରୋଷେଇ ପରେ କଦଳୀ ପତ୍ରରେ ବାନ୍ଧି ନିଆଁରେ ପକାଇ ଦିଏ ସରିତା  । ଆଉ ରାତିରେ ଚୁଲି ଲଗାଇଵାକୁ ପଡେନା, ସେଥିରୁ ଵଳିଲେ ସିଏ ଖାଏ, ନ ହେଲେ ଅଙ୍ଗନବାଡି ଦିଦି ଦେଇଥିବା ଛତୁଆ ଖାଇ ଶୋଇପଡ଼େ ସରିତା  ।  କେବେକେବେ ଦୁଇଜଣଯାକ ଛତୁଆ ଖାଆନ୍ତି  ।ଅଙ୍ଗନୱାଡି ଦିଦିଙ୍କୁ ନେହୁରା ହୋଇ ଆଉ ଗୋଟେ ଅଧିକା ଆଣେ  । 

          ସେଦିନ ମଦ ପିଇ ଘରକୁ ପଶିଥିଲା ସୂର୍ଯ୍ୟ  ।  ମନେ ମନେ ରାଗି ସରିତା ଆଉ କିଛି କହିଲା ନାହିଁ ।  ଘରେ ଗୋଟାଏ ଟଙ୍କା ନାହିଁ, ଛୁଆଟାର ଦେହ ଭଲ ନାହିଁ, ଡାକ୍ତରଖାନାରେ କଣ ଔଷଧ ଦେଇଥିଲେ ଦେଇଛି ତାକୁ ସରିତା  । ଗୋଟିଏ ଵୋଲି ପିଲା ସରିତା ଆଉ ସୂର୍ଯ୍ୟର ସେ  ।  ହେଲେ ଶୋଇବା ବସିବାକୁ ଯାଗା ନାହିଁ, ଲୁଗା ଶୁଖେଇଵାକୁ ଯାଗା ନାହିଁ,  କାଲି ଯାଇ ପାଖ ବାବୁଙ୍କ ଘରୁ କିଛି ଲୁଗା କନାପଟା ମାଗି ଆଣିଥିଲା  ।  ତିନିଦିନିଆ ଲଗାଣ ବର୍ଷା ତାଙ୍କର ରହିବା ଵ୍ୟଵସ୍ଥାକୁ ପୁରା ହଲାଇ ଦେଇଛି  ।

            ମଦ ପିଇ ଆସିବାର ଦେଖି ଚୁପ୍ ଚାପ୍ ଶୋଇପଡିଲା, ଡାକିଲେ ଶୁଣି ନ ଶୁଣିଲା ପରି ରହିବାକୁ ଠିକ୍ ମଣିଲା  ।  ନା, ଆଉ ସହି ହେବନି, ଆଗରୁ ସାଙ୍ଗମାନଙ୍କ ସହ ମିଶି ଯାହା ତାହା ଖାଇ ଟଙ୍କା ଉଡାଉଥିଲା  । ଏବେ ମଦପାଣି ଅଭ୍ୟାସ କରିବା ସହିତ ସ୍ତ୍ରୀ ଛୁଆକୁ ଧ୍ୟାନ ନାହିଁ, ସୂର୍ଯ୍ୟ ସରିତାକୁ ଡାକି ନ ଶୁଣିବାରୁ ଭାବିଲା ଛୁଆକୁ ଶୋଇ ଦେଉଥିଵ  ।  ନିଜେ ଖାଇ ଶୋଇ ପଡିଲା  । 

        ସକାଳୁ ସରିତା ଉଠି ନିତ୍ୟକର୍ମ ସାରି ଛୁଆକୁ ଖାଇବାକୁ ଦେଇ ମଦ ଖାଉଥିବା ଲୋକଙ୍କର ସ୍ତ୍ରୀ ମାନଙ୍କୁ ଏକାଠି କରି ମଦ ଦୋକାନ ଆଗରେ ଥିବା ପ୍ରଶସ୍ତ ବାରଣ୍ଡାରେ ବସି ପଡ଼ିଲା - ମଦ ଦୋକାନ ବନ୍ଦ କରିବା ଆମର ଦାବି  ।  ସ୍ତ୍ରୀ ଲୋକମାନେ ବର୍ଷାରେ ଵି ଏକାଠି ହେବା ଦେଖି ଓଟିଭିର ପୂଜା ଦିଦି ପ୍ରଥମେ ପହଞ୍ଚି ଓଟିଭିରେ ପ୍ରସାର କରିଥିଲେ  । ଏହା ପରେ ଵେଳ ବଢି ଚାଲିଲା।  ଏକାଠି ହୋଇଥିବା ନାରୀଙ୍କ ସଂଖ୍ୟା ବଢିଲା ସିନା କମିଲା ନାହିଁ।  ଏ ମଦ ଦୋକାନ ରହିଥିବା ହେତୁ ଆମ ଘରର ଟଙ୍କାର ଅପଵ୍ୟୟ ହିଁ ହେଉଛି  ।  ସୂର୍ଯ୍ୟ ଆସି ସରିତାକୁ ଵୁଝାଇବାକୁ ଚେଷ୍ଟା କରିଥିଲା, ମୁଁ ରାଣ ପକାଉଛି, ଆଉ ଖାଇଵି ନାହିଁ, ତା ଦେଖା ଦେଖି ବହୁତ ମଦୁଆ ଵି ସେହି ଏକା କଥା କହିଲେ  ।

       ସେ ଭଲ ଲୋକ ନୁହେଁ, ଆମେ ତ କିଣି ଖାଉଛୁ, ତାର ଦୋଷ କଣ  । ତୁମେମାନେ ଧର୍ମଘଟ ବନ୍ଦକର।  ଆମେ ଆଉ ଖାଇଵୁ ନାହିଁ  । 

        ଯେତେ କହିଲେ, ନାରୀମାନଙ୍କ  ଶକ୍ତି ବଢିବାରେ ଲାଗିଲା ।  ଶେଷରେ ମନ୍ତ୍ରୀ ଆସିଲେ, ମଦ ଦୋକାନ ବନ୍ଦ ହେଲା  ।  
        ଏମିତି କେତେ ଦିନ ଭଲରେ ଚାଲିଗଲା  । ସୂର୍ଯ୍ୟ କାମକୁ ଯାଉଥିଲା  ।  ଘରେ ବସି ବିଡି ତିଆରି କରୁଥିଲା ସରିତା ।  ଛୁଆଟା ଏଥର କୋଳ ଛାଡି ଟିକେ ଟିକେ ଚାଲୁଛି  ।  ଏଥର ୟାକୁ ନେଇ ବି କାମକୁ ଯାଇହେବ ଵୋଲି ଵିଡି ତିଆରି କରିବା ସହ ଭାବୁଛି ସରିତା  ।
       ଆଜି ବି ବର୍ଷା ହେଉଛି  । କୋଉଠି ଖାସି କଟାହେଉଥିଲା ଯେ ଅଢେଇଶହ ଟଙ୍କା ଦେଇ ଅଧକେଜି ମାଂସ ଓ ସବୁ ତେଲ ମସଲା ଦେଇ ଯାଇଛି ସୂର୍ଯ୍ୟ  । ଆଜି ଖରାବେଳେ ଘରେ ଖାଇବ ବୋଲି କହିଥିବାରୁ ରୋଷେଇ ସାରି ଵିଡି ତିଆରି କରୁଛି ସରିତା  ।

        ସମୟ ଗୋଟାଏ ପାଖାପାଖି  ଛୁଆଟି ଖେଳୁଛି  । ଚାରି/ପାଞ୍ଚ ଜଣ ହଠାତ୍ ପଶି ଆସିଲେ ଘରକୁ  । ଏମାନଙ୍କୁ କାହାକୁ ହେଲେ ଚିହ୍ନି ନ ଥିଲା ସରିତା  ।  ତୁମେମାନେ କିଏ  ?? କିଏ  ??  କଣ ହେଲା କହୁ କହୁ ମାଡି ବସିଲେ ରାକ୍ଷସ ଭଳି  । ମାନବ ଶୃଙ୍ଖଳ ତାଙ୍କ ପାଖରେ ଟିକିଏ ନ ଥିଲା  ।  ଦେଖୁ ଦେଖୁ ସବୁ ଶେଷ  । ରକ୍ତାକ୍ତ ଅବସ୍ଥାରେ ପଡିଥିଲା ସରିତା  ।  ମାଆ ଶୁଣୁ ନ ଥିବାରୁ ଛୁଆଟା ଜୋରରେ କାନ୍ଦୁଥିଲା  ।  ସେ ରାକ୍ଷସମାନଙ୍କର ଚିହ୍ନ ବର୍ଣ୍ଣ ନ ଥିଲା   ।

       ଖାଇବାକୁ ଅତି ଖୁସିରେ ପଶି ଆସିଲା ସୂର୍ଯ୍ୟ  । ଛୁଆଟାର ପାଟି ଵାହାରକୁ ଶୁଭୁଛି  ।  ସରିତା, ସରିତା କହି ପଶି ଆସିଲା ବେଳକୁ ନିଜ ଆଖିକୁ ଵିଶ୍ଵାସ କରି ପାରିଲାନି ସୂର୍ଯ୍ୟ  ।  ଚାଣ୍ଡାଳୀ, ମୁଁ ସେଦିନ ତୋତେ ଏତେ ଵୁଝାଇଲି, ସେମାନେ ମଣିଷ ନୁହେଁ, ରାକ୍ଷସ  ।  ତାଙ୍କ ସାଙ୍ଗରେ ଲାଗେନା  । ସେମାନଙ୍କ ସାଥିରେ ସରକାର ଅଛି  । ଏମାନେ ମଦ ବିକ୍ରିକଲେ ବେଶୀ ଟଙ୍କା ପାଉଛି ସରକାର  ।  ସେଇଥିପାଇଁ ତ ଲକ୍ ଡାଉନରେ ସଵୁ ଦୋକାନ ବନ୍ଦ ହେଉଛି ମାତ୍ର ମଦ ଦୋକାନ ଖୋଲା  ।  ଆମେ ତ ବୋକା  ।  ଟଙ୍କା ଖର୍ଚ୍ଚ କରି ସେ ମଦ ଖାଉଛୁ, ଘରେ ଖାଇବାକୁ ପିନ୍ଧିଵାକୁ ନ ଥାଇ  ।  ମୋ ସଂସାର ଭସେଇ ଦେଲୁ ଲୋ ସରିତା, କହି କାନ୍ଦି କାନ୍ଦି ସମସ୍ତଙ୍କୁ ଡାକୁଥିଲା ସୂର୍ଯ୍ୟ  ।

         ପୋଲିସ ଆସିଲା, ତା ପରେ ଚାଲିଲା ଅନୁସନ୍ଧାନ.........। ସୂର୍ଯ୍ୟର ସ୍ଵର ପାଣି ହୋଇ ଯାଇଥିଲା ବର୍ଷାର ଛିଟାରେ, ଆଉ ପିଲାଟିର ସ୍ବର.......??? 

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା, ସମ୍ବଲପୁର  ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy