Monday, August 17, 2020

ଜହ୍ନ

✍ବାସନ୍ତୀ ଲତା ଜେନା

ସୂର୍ଯ୍ୟ ଠାରୁ ଜହ୍ନ ଆଲୋକିତ ହୁଏ 
      ସ୍ୱଚ୍ଛତା ପରଶ ଦେଇ 
ଶୁଭ୍ର ଜ୍ୟୋଛନାରେ ଘଡ଼ିଏ ବସିଲେ 
      ମନ ଖୁସି ହେଉ ଥାଇ   l୧l
ଚନ୍ଦ୍ର ଉପଗ୍ରହ ପୃଥିବୀର ଅଟେ 
       ବୈଜ୍ଞାନିକ କହୁ ଥାଏ 
ଜହ୍ନକୁ ନେଇ କେତେ କାବ୍ୟ କବିତା 
       ରଚନା ଯେ ହେଉ ଥାଏ   l୨l
ମା' କୋଳରେ ଥାଇ ଶିଶୁ ଜହ୍ନ ଦେଖେ 
      କହନ୍ତି ଶରଦ ଶଶୀ 
ଆ ଜହ୍ନ ମାମୁଁ ମୋ କୁନା ପାଖକୁ 
      ତା ସାଥେ ଖେଳିବୁ ବସି   l୩l 
ପୂର୍ଣ୍ଣିମାର ଜହ୍ନ ସବୁଠୁ ନିଆରା 
       କୁଆଁର ପୁନେଇ ଦିନ 
କୁଆଁରୀ ଝିଅ ଯେ ବ୍ରତ କରି ଥାନ୍ତି 
      କରନ୍ତି ଜହ୍ନ ବନ୍ଦନ        l୪l
କଇଁ ଫୁଲରେ ତ ରଥ ସଜାଅନ୍ତି 
     କଇଁ ଫୁଲେ ଚାନ୍ଦ ଘର 
କୁଆଁର ପୁନେଇ ଗୀତ ବୋଲି ଥାନ୍ତି 
     ଆଶା ଚନ୍ଦ୍ର ପରି ବର       l୫l 
ଯୁଗେ ଯୁଗେ ଅଛି କଇଁ ଚାନ୍ଦ କଥା 
     ଅତୁଟ ପ୍ରେମ କାହାଣୀ 
ଯୁବକ ଯୁବତୀ ଜ୍ୟୋତ୍ସ୍ନାରେ ଭିଜନ୍ତି 
     ହୁ'ନ୍ତି ପ୍ରେମ ପୂଜାରିଣୀ    l୬l
ଜହ୍ନ କଳଙ୍କିତ ତଥାପି ସୁନ୍ଦର 
      ଜହ୍ନ ମାମୁଁ ସବୁଙ୍କର 
ଶୁକ୍ଳ ପକ୍ଷ ଆସେ ଜହ୍ନକୁ ନେଇ 
      ଶୀତଳ ଜ୍ୟୋଛନା ତାର    l୭l
ରକେଟରେ ଚଢି ଜହ୍ନକୁ ଯାଆନ୍ତି 
    ପିଲାଏ ଗାଆଁନ୍ତି ଗୀତ 
ମହାକାଶ ଜାନ ମହାକାଶେ ଯାଏ 
     ପରୀକ୍ଷଣ ହୁଏ ସତ      l୮l
ତାମସାର ରାତି ଆଲୋକିତ ହୁଏ 
      ଜହ୍ନର ପରଶ ପାଇ 
ଜହ୍ନ ଆଲୁଅରେ ସାଗର ଫୁଲଇ 
     ପୂର୍ଣ୍ଣିମା ଚାନ୍ଦକୁ ପାଇ    l୯l
ପୂର୍ଣ୍ଣିମାର ଜହ୍ନ ହାତେ ଧରିବାକୁ 
       କରୁ ଥିଲି ଦିନେ ଅଳି 
ବଡ଼ ହୋଇ ଆଜି ସବୁତ ଭୁଲିଛି 
       ମନ ଯାଇଛି ମଉଳି    l୧୦l

ଗାନ୍ଧିନଗର, ନବରଙ୍ଗପୁର, 
ପିନ କୋଡ଼ :764059

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy