
✍ଡ.ଗୁରୁ ମୂର୍ତ୍ତି ନାୟକ
ତମେ ଦଳ ଦଳ କାହିଁକି ଆସ
ଜୀବନର ଦୋଛକି ରାସ୍ତାରେ
ପଥବଣା କରିବାକୁ
ସ୍ପଷ୍ଟ ଦିବାଲୋକରେ
ସମସ୍ୟାର କୁହୁଡ଼ି ଢାଙ୍କିବାକୁ ।
ପରବୁଦ୍ଧି ବିଷ ହୋଇ
ନିଜେ କରିବା ଭୁଲଯାଏ
ସେଥିପାଇଁ ତ ବାରବାର
ମନାକରେ
ହଠାତ ହଜିଯାଏ ବିବେକ
ଭୁଲ କରିବସେ
ଉଡିଯାଏ ମଣିଷ ପଣିଆ
ଧର୍ମ,କର୍ମ ଚୋରାବାଲିରେ
ଦବି ଯାଆନ୍ତି ଆପେ ଆପେ ।
ସତରେ ତମେ ଆସ କାହିଁକି ?
ପରାମର୍ଶ ରୂପ ବଦଳି ଯାଏ
ଅବୁଝା ହୋଇଯାଏ ଜୀବନ
ଜନାରଣ୍ୟ ଶୂନଶାନ ହୁଏ
କେବଳ ମନଭର୍ତ୍ତି ଅପବାଦ
ଜୀବନ ହୋଇଯାଏ ଦୁର୍ବିସହ
ବୁଦ୍ଧିକୁ ବୋହିବା ହୁଏ କଷ୍ଟ
ଭାଗ୍ୟ ପ୍ରତିକୂଳ ସାଜେ
ବିପଦ ଗୋଡକୁ ଛନ୍ଦେ
ଖୋଲା ଜାଗାରେ ଅନ୍ଧକାର
ଜମାଟ ବାନ୍ଧେ
ମନ ଇଛାରେ ଚାଲନ୍ତି ସେମାନେ
ସେତେବେଳେ ଚାଲିଯାଅ ତମେ
ଏଇତ ଜୀବନ
ବାଛିବାର ବେଳ
ଧାନ ଓ ଅଗାଡି
ମାନବିକତା ହାଟରୁ ।
ଅଧ୍ୟାପକ
ଭଂଜନଗର, ଗଂଜାମ
No comments:
Post a Comment