Saturday, August 1, 2020

ଅବସର ପରେ



---ଅବସର ପରେ---

ଅବସର ପରେ ଜୀବନ ଶଇଳୀ
ଅନେକ ବଦଳି ଯାଇଛି,
ଆଗରୁ ମୋ କଥା ଯିଏ ଶୁଣୁଥିଲା
ଏବେ ମୁଁ ତାଙ୍କଠୁଁ ଶୁଣୁଛି।୧

ଟିଭି ମୋବାଇଲ୍ ପାଖତ ଛାଡୁନ
ଘରଣୀ ମୋ କହି ହେଉଛି,
ବଜାର ଯାଇକି ପରିବା ଆଣିବ
ଚିଠା ତ ଧରେଇ ଦେଉଛି।୨

ପୁଅ ମୋ କାନ୍ଦୁଛି ଅଝଟ ହେଉଛି
ମୁଁ ପରା ରୋଷେଇ କରୁଛି,
ବାପା ତାକୁ ଟିକେ  ବୁଲେଇକି ଆଣ
ବୋହୂ ମୋର ଡାକ ଦେଉଛି।୩

କାମ ରୁ ଫେରିଲେ ଚା ମିଳୁଥିଲା
ଏବେ ତ ଅପେକ୍ଷା କରୁଛି,
ନାତି କୁ ଧରିଲେ ଯାଇ ମୋତେ ଯାହା
ଚା କପ୍ ଟେ ମିଳୁଛି।୪

ଯାହା କହୁଥିଲି ପତ୍ନୀ କରୁଥିଲା
ସବୁ କଥା ମୋର ମାନିଛି,
ଏବେ ତ କହିଲେ କଥା ତ ଶୁଣୁନି
ଓଲଟା ପ୍ରଶନ ଥୋଉଛି।୫

ହାତ ଧରି ଯାର ବାହା ହୋଇଥିଲି
ସିଏ ତ ବଦଳି ଯାଇଛି,
ମୋତେ ଲାଗେ ସିଏ ସରକାର ଛାଡ଼ି
ବିରୋଧୀ ରେ ମିଶି ଯାଇଛି।୬

ଚାକିରି ଭିତରେ ଯେଉଁଠି ଯାଇଛି
ବହୁ ସନମାନ ପାଇଛି,
ଏବେ କିନ୍ତୁ ଘରେ ଅଲୋଡା ହୋଇଛି
ତାଙ୍କ ଦୟା ରେ ମୁଁ ଚଳୁଛି।୭

କଅଣ ଖାଇବି କଅଣ ପିନ୍ଧିବି
ମୋ କଥା କଅଣ ରହୁଛି,
ମୋ ଘର ଭିତର ବିଧାନସଭାରେ
ସେ ସବୁ ପାରିତ ହେଉଛି।୮

ମିଠା ଖାଇଵନି ଛେନା ଖାଇବନି
ମାଉଁସ କିଏସେ ଦେଖୁଛି,
ପିଲାଏ କହନ୍ତି ବାପା ହେ ତୁମର
ମଧୁମେହ ପରା ରହିଛି।୯

ଟିଭି ମୁଁ ଟିକିଏ ଦେଖିବି ବୋଲିକି
ଯେତେବେଳେ ବସି ପଡୁଛି,
କୁଆଡୁ ଆସିକି ନାତିଆ ଟୋକାଟା
କାର୍ଟୁନ୍ ଲଗେଇ ଦେଉଛି।୧୦

କାହାକୁ ଟିକିଏ ଫୋନ୍ କରିଦେଲେ
ଘରଣୀ ଝପଟି ଆସୁଛି,
ରିଚାର୍ଜ କଥା ତ ଭାବୁନ କଅଣ
ଅମ୍ବାନୀ ମୋଫତ ଦେଉଛି?୧୧

ନୂଆ କ'ଣ ଟିକେ କିଣିବା ଖାଇବା
କହିଲେ ଝଗଡ଼ା ହେଉଛି,
ଘରଣୀ କହୁଛି ଦରମା ତ ନାହିଁ
ପେନସନେ ଘର ଚଳୁଛି।୧୨

ଦେହଟା ଟିକିଏ ଖରାପ ଲାଗୁଛି
ପୁଅକୁ ଯେବେ ମୁଁ କହୁଛି,
କେଉଁଠୁ ତା ମାଆ ଦଉଡ଼ି ଆସୁଛି
କହୁଛି,ତୁ ଯା ମୁଁ, ବୁଝୁଛି।୧୩

ବୁଢ଼ା ତ ହେଲଣି ବଳ ତ କମିବ
ପୂର୍ବ କଥା କ'ଣ ରହିଛି,
କର ରାମଦେବ ଓଲମ ବିଲୋମ
ସବୁ ରୋଗ ଭଲ ହେଉଛି।୧୪

ନୂଆ ଗାଡି ଗୋଟେ କିଣିଥିଲି ଯାହା
ପୁଅ ତାକୁ ଏବେ ଚଢୁଛି,
ବଜାର କୁ ମୋର ଯିବାର ପଡ଼ିଲେ
ପୁରୁଣା ସ୍କୁଟି ଟା ଧରୁଛି।୧୫

ଘର ଲୋକ ସଙ୍ଗେ କଥା ହେବା ପାଇଁ
ସୁଯୋଗ କେଉଁ ଠି ମିଳୁଛି,
ଯିଏ ଯାହା କାମେ ବ୍ୟସ୍ତ ରହୁଛନ୍ତି
ମୋ ସାଙ୍ଗରେ କିଏ ବସୁଛି?୧୬

ଏକା ବସି ବସି ସମୟ କଟୁନି
କଅଣ କରିବି ଭାବୁଛି,
ପୁରୁଣା ବନ୍ଧୁ କେ ଯଦି ଦେଖାହେଲା
ମନ ଭରି ଗପି ଯାଉଛି।୧୭

ଚାକିରି ବେଳର ପୁରୁଣା ଦିନକୁ
ମନରେ ସୁର ବି ହେଜୁଛି,
କିନ୍ତୂ ନାଗରିକ  ବରିଷ୍ଠ ହେବାର
ଆନନ୍ଦ ନିଆରା ରହିଛି।୧

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy