କପଟ କରିଲ କଳା ଠାକୁର ହେ
ମାନବେ ଦେଇ ଯନ୍ତ୍ରଣା,
କାହାର କୁବୁଦ୍ଧି କରିଲା ବଶ ହେ
କରିଲ ଏହି ଛଳନା I
ଲୀଳାମୟ କିଳା ଖଞ୍ଜି ଦେଇଛ ହେ
କରୋନା ଖେଳେ ଉତ୍କଳେ ,
ଲାଜ ସରମ କି ବିଲୟ ଘଟିଲା
ଲୁଚିଛ ଦେଉଳ କୋଳେ I
ଆରେ ଭଣ୍ଡ ବଡ଼ ଦାଣ୍ଡରେ ବୁଲିଲୁ
ତୁଚ୍ଛ ହେଲା କଟକଣା,
କପଟ କରିଛ କଳା ଠାକୁର ହେ
ମାନବେ ଦେଇ ଯନ୍ତ୍ରଣା I
ସାଥିରେ ସୁଭଦ୍ରା ସହୋଦରା ବୋଲି
ସୁନ୍ଦର ତୋ ହସ୍ତେ ରାକ୍ଷୀ,
ଶତ ସହୋଦର ଶୂନ୍ୟହସ୍ତ ଆଜି
ସୁକୁମାରୀ ପୋଛେ ଆଖି I
ହତଶ୍ରୀ ହୋଇକି ହେଜି ନାହୁଁ ତୁହି
ହୃଦୟ ହୀନ ତୁ ହେଲୁ,
ଲୁହରେ ଭିଜିଲା ଭଗିନୀର ମୁହଁ
କହ କେମିତି ସହିଲୁ l
କିପରି ଜାଣିବୁ କେତେ ଯେ କଷଣ
ଭାଇର ଭଉଣୀ ବିନା,
କାହାର କୁବୁଦ୍ଧି କରିଲା ବଶ ହେ
କରିଲ ଏହି ଛଳନା I
ସରୋଜ ମୁଖ ହେ ସଂସାର ସଜାଡ
ଦୟା କର ଦୟାସିନ୍ଧୁ ,
ସିନ୍ଧୁର ଚରଣେ ଶରଣ ଯାଉଛି
ଶ୍ରୀହୀନ ଶିଶିର ବିନ୍ଦୁ I
ଶିଶିର କୁମାର ସ୍ଵାଇଁ
ଶିକ୍ଷକ, ଗାଙ୍ଗପୁର
No comments:
Post a Comment