ଶ୍ରାବଣ ରେ ତିନ୍ତି ବୁଡିଆଣ୍ଠୁଏ ପାଣିରେ ନଇଁ ନଇଁ
ଧାନ ରୁଆ ସାରି ସଅଳ ଯିବାକୁ ହେବ
ଆଜି ପରା ରାକ୍ଷୀ ପୁନେଇଁ
ଭାଇ ଆସିବ ନିଶ୍ଚୟ..
ରାକ୍ଷୀ ଟିଏ ତ କିଣିବାକୁ ପଡିବ
ଅଣ୍ଟାଏ ଯନ୍ତ୍ରଣା ଉବୁଟୁବୁ ହେଲେଣି
ଆଉ ମନ ଲାଗୁନି ... ବାବୁ ପାଖକୁ
ଯିବାକୁ ପଡିବ
ହାତ ପାତିଛି ଯେ ପାତିଛି
ସାହୁକାର ଖାଇସାରି କେତେବେଳୁ ଶୋଇଛି ।
ହାତ ରେ ଵିଲ ମାଛ କେତୋଟି
ଭାଇ ପାଇଁ ରାନ୍ଧିବି
ଜଣେ ନେବାପାଇଁ ମାଗୁଥିଲା
ଦେଲିନି .. ମୋ ଭାଇ ଖାଇବ ଯେ
ହାଂଡିଶାଳେ ଖୁଦ କଣିକାର ଅଭାବ
ବହୁତ ଅଣ୍ଡାଳି ଅଣ୍ଡାଳି ପୋଷେ
ପାଇ ଫୁଟାଇଦେଲି ଶରଧାରେ ।
ଭାଇ ଦାଣ୍ଡ ଦୁଆରେ ଡାକୁଛି
ବରଷା ରେ ଗୋଟାପୁଣି ଭିଜିଯାଇଛି
କାନିରେ ପୋଛିଦେଲି ଭାଇ ମୁଁହ
ଆଉ ଚିରା ଗାମୁଛା ହସୁଥିଲା
ଭାଇ ଭଉଣୀଙ୍କ ଗରିବିପଣ କୁ
ଆଖିମିଟିକା ମାରି...
ହାତ ବଢାଇଲା ଭାଇ
ବାନ୍ଧିଦେ ରାକ୍ଷୀ ଭାରି ମନେପଡ଼ିଲା
ପିଲାଦିନ ...ଧାଇଁ ଆସିଲି
ପିନ୍ଧା କାନି ଚିରି ସୁତା ଖଣ୍ଡେ
ବାନ୍ଧିଦେଉଥିଲି ଭାଇ ହାତରେ
ଅଚାନକ କମିଗଲା ବର୍ଷା ଟା
ଆଉ ସାହୁକାର ର ପିଲା ଡାକୁଥିଲା
ତୁମ ଟଙ୍କା ନିଅ ... ।
ଭାଇ ହାତରେ ସୁତା ଟା
ସୁନାଜରି ପରି ଝଟକୁଥିଲା ଆଉ
ମୋ ଅସଜଡ଼ା କେଶ ଭାଇର
ଆଙ୍ଗୁଳି ସ୍ପର୍ଶରେ ସଜାଡି ହୋଇଯାଉଥିଲା ।
ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ,କେନ୍ଦୁଝର -758083
No comments:
Post a Comment