Monday, August 3, 2020

ରାକ୍ଷୀ ହେବ ସାକ୍ଷୀ

ଦେଖ ନିରିମାଖୀ    ଲୁହେ ଭରି ଆଖି
ଟିକି ଝିଅ କରେ ଅଳି ।
ଡାକୁଛି କିପରି      କରିଣ ଗୁହାରି
ହାତଯୋଡ଼ି; ବନମାଳି ! ।। (୧)
ନାହିଁ ତାର କେହି   ବାପା,ମା' କି ଭାଇ
ଜ୍ଞାତି,କୁଳ ପରିଜନ ।
ଅନାଥ ଅବଳା     ଆରେ,ନନ୍ଦବଳା !
ବଡ଼ଦାଣ୍ଡେ କାଟେ ଦିନ ।।(୨)
ଭୋକ ହେଲେ ଖାଏ   ଶୋଷେ ପୁଣି ପିଏ
କୈବଲ୍ୟ,ନରେନ୍ଦ୍ର ଜଳ ।
ଶୋଉଛି ଏଠାରେ   ତୋ ସିଂହ ଦୁଆରେ
ଚାହିଁ ତୋ ବଡ଼ ଦେଉଳ ।।(୩)
କାନ୍ଦୁଛି ବିକଳେ     ଶୁଣନ୍ତି ସକଳେ
କେହି ଜଣେ ଦେଖେ ନାହିଁ ।
ଫଟା ଚୀରା ଲୁଗା    ସିଆଁ ସାତ ଜାଗା
ଲାଜକୁ ଲୁଚାଏ ଯହିଁ ।।(୪)
ଦେଖୁଛୁ କାଳିଆ     ସୁଭଦ୍ର ଭଳିଆ
ସିଏ କି ନୁହେଁ ଭଉଣୀ ? ।
ଯିଦିଏକା ତାର     ବାନ୍ଧିବ ତୋ କର
ରାକ୍ଷୀ ଆଣିଅଛି କିଣି ।।(୫)
ଦେଏରେ ବଢ଼ାଇ     ତୋର ହାତ ଦୁ
ବାନ୍ଧି ଦେଉ ବେନି ଭାଇ ।
ବସିଛୁ ଅନାଇ     ଚକା ଆଖିଫେଇ
ତା ଡାକ କି ନ ଶୁଭଇ ।। (୬)
ଭକତ ରଙ୍କୀଆ     ଭାବ ବିନେଦିଆ
ବଢ଼ାଅ ହେ ଚକ୍ରପାଣି ।
ବାନ୍ଧିଦେବ ରାକ୍ଷୀ     ଭିଜାଇ ତା ଆଖି
ଅଶ୍ରୁ ଜଳେ ମନ ଜାଣି ।।(୭)
ଆଜି ପରା ରାକ୍ଷୀ    ଦେଖ ଚକା ଆଖି
ଡାକନ୍ତି କେତେ ଭଉଣୀ ।
ପତୀତା ଲାଞ୍ଛିତା     ଦୁଖେ ନିର୍ଯ୍ୟତିତା
ବାନ୍ଧିବାକୁ ରାକ୍ଷୀ ପୁଣି ।।(୮)
ଜୀବନ ବିକଳେ     ଡାକନ୍ତି ସକଳେ
ମହା ବାହୁକୁ ବଡାଇ  ।
ରାକ୍ଷୀ ବାନ୍ଧି ମାନ    ରଖ ଭଗବାନ
ବିପଦେ ସଦୟ ହୋଇ ।।(୯
କି ଲୀଳା ରଚିଲ   କିରୋଗ ପେଷିଲ
ଡାକୁଛନ୍ତି କରଯୋଡି ।
ତୁମେ ଥାଉ ଥାଉ   ରଖିବ କେ ଆଉ
ମହାମାରୀ ବ୍ୟାଧି ଫେଡି ।।(୧୦
*********

ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ପୋଷ୍ଟ - କୁଲାଡ଼, ଭଞ୍ଜଭୂମି,
ଭଞ୍ଜନଗର,ଗଞ୍ଜାମ - ୬୬୧୧୩୧

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy