ତିନି ଠାକୁରଙ୍କ ପାଞ୍ଚ ସୁନାବେଶ
ହୋଇଥାଏ ବାର ମାସେ
ସବୁ ବେଶଠାରୁ ଅନ୍ୟତମ ଏହା
ଅତି ମନଲୋଭା ଦିଶେ ।
ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀ
ରଥପରେ ଠାକୁରଙ୍କ
ହୁଅନ୍ତି ସୁବର୍ଣ୍ଣ ବେଶ ମହାପ୍ରଭୁ
କଷନ୍ତି ଜୀବନ ଅଙ୍କ ।
ଆସନ୍ତି ଭକତ ଦେଖି ଆବେଗିକ
ହରଷ ମନରେ ଧାଇଁ
ଦିଅନ୍ତି ଦର୍ଶନ ଚତୁର୍ଦ୍ଧା ମୂରତି
ଜଗତ ନାଥ ଗୋସେଇଁ ।
ଶୁକ୍ଳ ଆଶ୍ୱିନରେ ବିଜୟା ଦଶମୀ
ଦଶହରା ଅବସରେ
ହୁଅନ୍ତି ଅନାଦି ପରମ ଈଶ୍ୱର
ସୁନାବେଶ ସୌନ୍ଦର୍ଯ୍ୟରେ ।
ସୁବାସିତ ଜଳ ସ୍ନାନର ନିମନ୍ତେ
ହୋଇଥାଏ ଆବଶ୍ୟକ
ଅପୂର୍ବ ସିଙ୍ଗାର ଦିବ୍ୟ ଅଳଙ୍କାର
ଭୂଷଣାସିତେ ନାୟକ ।
ବସିଥାନ୍ତି ପୁଣି ହୋଇ ବିମଣ୍ଡିତ
ରତନ ବେଦୀରେ ସ୍ରଷ୍ଟା
କରନ୍ତି ପୂଜନ ସବୁ ସେବାୟତ
ହୋଇ ତତ୍ପରତା ନିଷ୍ଠା ।
କାର୍ତ୍ତିକ ମାସରେ ପୂର୍ଣ୍ଣିମା ତିଥିରେ
ଧର୍ମପରାୟଣ ଦାତା
ସୁବର୍ଣ୍ଣ ବେଶରେ ପରଖି ନିଅନ୍ତି
ପାପ ପୁଣ୍ୟକୁ ବିଧାତା ।
ଫାଲ୍ଗୁନ ରଙ୍ଗୀନ ଦୋଳ ପୂର୍ଣ୍ଣିମାରେ
ଦୋଳ ମଣ୍ଡପର ମଙ୍ଗେ
ସୁନାବେଶ ହୋଇ ଫୁଲ ଝୁଲଣାରେ
ଝୁଲନ୍ତି ରାଧିକା ସଙ୍ଗେ ।
ଗୋପାଳ ବାଳକ ଓଗାଳ ବୋଲନ୍ତି
ଗୋପ ଦାଣ୍ଡେ ହୋଇ ଭେଳି
ଗୋପାଙ୍ଗନା ମାନେ ଆନନ୍ଦ ମନରେ
ଦିଅନ୍ତି ଯେ ହୁଳହୁଳି ।
ପୌଷ ପୂର୍ଣ୍ଣିମାରେ ମଣିମା ହୁଅନ୍ତି
ଆଉ ଏକ ସୁନାବେଶ
କିରୀଟ, କୁଣ୍ଡଳ, କସ୍ତୁରୀ, ଚନ୍ଦନ
ସାଜସଜ୍ଜା ଘେନି ବାସ ।
✍ ଅମରନାଥ ବାରିକ୍
💌 କୟାଁ,ମଙ୍ଗଳପୁର, ଯାଜପୁର
No comments:
Post a Comment