Sunday, August 9, 2020

ତୁମେ କି ଆସିବ ସତେ

ସେତେ ଦିନୁ ଚାହିଁଚି ଯେ ଚାହିଁଚି
କେତେ ଦିନ କେତେ ରାତି ଗଲାଣି
ମନେ ମନେ ଫଗୁ ଖେଳିଚି ତୁମ ସଙ୍ଗେ
ଦୋଳାୟମାନ କୃଷ୍ଣଚୂଡ଼ାରେ ଝୁଲିଛି
ଆନତ କୃଷ୍ଣଚୂଡ଼ା ତୁମ ଅଭିମାନ କହିଛି
ତୁମ ସହ ମେଘରେ ପାରିଧି କରିଛି
ସ୍ଵଚ୍ଛ ଆକାଶରେ ଜୋତ୍ସ୍ନାଲୋକରେ ବୁଲିଛି
ଦୀପାବଳୀର ଦୀପରେ ଉପଲବ୍ଧି କରିଛି
ଆଦ୍ୟ ଆଷାଢଟା ତୁମ ଵାସ୍ନା ଦେଇଛି
ମୌସୁମୀ ନାଚି ନାଚି ତୁମଗୀତ ଗାଇଛି
ଶୀତର ଉହ୍ମେଇ ନିଆଁରେ ତୁମ ଉଷ୍ମତା ଚିହ୍ନିଚି
ଚାହାଣିରେ ଶତେକ ଯୁଗର ଅତୃପ୍ତ ଭାଵନା

ସତେ କି ଫେରିବ ତୁମେ ମୋ ଅଗଣାକୁ ସୁନ୍ଦର କରି
ଦେଖିବି ତୁମ ମଲ୍ଲୀସଜ୍ଜିତ ଵେଣୀକୁ
ଚଳଚଞ୍ଚଳ କଜଳମଖା ଆଖିକୁ
ଅନୁଭବ କରିବି ହସରେ ଫାଟିପଡୁଥିବା ମୁହୁର୍ତ୍ତକୁ
ନିଦାଘର ଝାଞ୍ଜିନିଵାରଣ ପାଇଁ ତୁମ ଉପଚାରକୁ
ଆଖିରେ ରଖିଛି ଅହରହ ସମ୍ଭାବନା

ସତେ କି ଫେରିବ ତୁମେ ମୋ ଜୀବନକୁ
ପୁଷ୍ପିତ ପଲ୍ଲବିତ ହେବ ଏ ଥୁଣ୍ଟା ଗଛ
ପକ୍ଷୀ କଳରଵରେ ଭରିଉଠିବ ମୋ ଦେହ
ସମୟର ସ୍ରୋତ ବହିଚାଲିଵ ଚଳଚଞ୍ଚଳ ନଦୀ ପରି
ପ୍ରଖର ଖରାର କଷ୍ଟ ଛାଇ ଲେଉଟାଣିରେ ନ ଥିଲା ପରି
ତୁମ ଫେରିଵା ପଥ ମୋତେ କରିବ ସବୁଜ
ବାରିପାତରେ ଧରଣୀ ହସି ଉଠିଲା ପରି
ଭାବନାରେ ପ୍ରତ୍ୟୟର ଆଶ୍ବାସନା

ତୁମେ ସତରେ ଫେରିବ ମୋ ଜୀବନକୁ
ପ୍ରତ୍ୟେକ ଦିନ ସ୍ବପ୍ନରେ ଵୁଲେ ତୁମ ସହିତ
ତୁମ ସ୍ବପ୍ନରେ କି ଆତ୍ମତୃପ୍ତି କି ରୋମାଞ୍ଚ  !!
ଖୁବ୍ ଦୂରକୁ ଯାଉ ଆମେ ଦୁହେଁ ସତେ କି ଖଗ 
ତୁମ ଭାବନା  ଟାଣି ନିଏ କାହିଁ କେତେ ଦୂର
ମାନମୟୀ,ମାନିନୀ, ମାନ ଭଙ୍ଗ କର
ଜୀବନ୍ୟାସ ପାଉ ପୁଣି ନିର୍ଜୀବସମ ପ୍ରାଣ
ସ୍ବପ୍ନର ଅନ୍ତର୍ଦୃଷ୍ଟିରେ ସୀମାହୀନ କାମନା

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy