Wednesday, August 5, 2020

ଶ୍ରୀ ରଘୁନାଥ ସ୍ତୋତ୍ର

ଜୟ ଜୟା ରାମଚନ୍ଦ୍ର କୌଶଲ୍ୟା ନନ୍ଦନ ।
ଜୟ ଜୟ  ରଘୁନାଥ ରାଜୀବ ଲୋଚନ  ॥(୧)

ଦଶରଥ ସୁତ  ଆହେ ପ୍ରଭୁ ଦାଶରଥୀ  ।
ସୂର୍ଯ୍ୟବଂଶେ ଜାତ ହୋଇ ରଖିଅଛ ଖ୍ୟାତି ॥(୨)

ତାଡକା  ବଧ  କରିଣ ଯଜ୍ଞ ରକ୍ଷା କଲ  ।
ବିଶ୍ଵାମିତ୍ର ସଙ୍ଗତରେ  ମିଥିଳା ଗମିଲ  ॥(୩)

ଜାନକୀ  ସ୍ଵୟମ୍ବରରେ ଧନୁର୍ଭଗ୍ନ  କଲ  ।
ବିବାହ କରି ସୀତାଙ୍କୁ ସ୍ଵଦେଶ  ଫେରିଲ॥(୪)

ପିତୃ ସତ୍ୟ ପାଳି ପୁଣି  ବନସ୍ତେ  ଗମିଲ ।
ଅନୁଜ ଭରତକୁ ହେ ରାଜ୍ୟ ସମର୍ପିଲ ॥(୫)

ପଞ୍ଚବଟୀରେ କୁଟୀର କରିଲ ନିର୍ମାଣ  ।
ଭାଇ,ଭାରିଜା ସଙ୍ଗତେ ବିତାଇଲ ଦିନ ॥(୬)

କନ୍ଦମୂଳ  କଞ୍ଚାଫଳ ସେବି ପ୍ରତି ଦିନ  ।
ସୂର୍ପଣଖା ନାସା,କର୍ଣ୍ଣ ଛେଦିଲେ ଲକ୍ଷ୍ମଣ ॥(୭)

ମାୟା ମିରିଗ ଛଳରେ ପେଷିଲା  ରାବଣ  ।
ମୋହାବେଶ ହେଲେ ସୀତା ମୃଗକୁ ଦେଖିଣ ॥(୮)

ଅନୁରୋଧ ରକ୍ଷା କରି ବଧିଲେ ଆପଣ  ।
ତ୍ରାହି ଲକ୍ଷ୍ମଣ ଶବଦେ ଡାକିଲା ହରିଣ  ॥(୯)

ସୀତୟା ଉଚ୍ଛନ ହୋଇ କରିଲେ କ୍ରନ୍ଦନ  ।
ଏକାନ୍ତ ଛାଡି ଗମିଲେ ସେ ବୀର ଲକ୍ଷ୍ମଣ  ॥(୧୦)

ଯତି ବେଷେ ପ୍ରବେଶିଲା ଦନୁଜ ରାବଣ  ।
ସାଧ୍ଵୀ ସୀତା,ଭିକ୍ଷା ମାଗି କରିଲା ହରଣ ॥(୧୧)

ସୀତାଙ୍କୁ ନପାଇ ପ୍ରଭୁ ହେଲେ ମ୍ରିୟମାଣ ।
ଜଟାୟୂ ସନ୍ଧାନ ଦେଲା ଲଙ୍କାର ରାବଣ॥(୧୨)

ଖୋଜି ଖୋଜି ବନ ଗିରି ଆତୁରେ ରୋଦନ ।
ବାଟରେ ଭେଟିଲେ ଭକ୍ତ ବୀର ହନୁମାନ ॥(୧୩)

ସୁଗ୍ରୀବ ସଙ୍ଗତେ ମିତ୍ର ବାନ୍ଧିଲେ ଆପଣ  ।
କିଷ୍କିନ୍ଧ୍ୟାର  ଅଧିପତି ବାଳିକୁ ବଧିଣ  ॥(୧୪)

ସୁଗ୍ରୀବକୁ ରାଜା କରି  ରଖିଲ ସମ୍ମାନ  ।
ବାନର ମେଳରେ ଲଙ୍କା କଲ ଅଭିଯାନ  ॥(୧୫)

ସୀତା ଠାବ କରି ହନୁ ସ୍ଵର୍ଣ୍ଣ ଲଙ୍କା ଧ୍ଵଂସ  ।
ମୁଦ୍ରିକା ପ୍ରଦାନକରି  ଆଣିଲା ସନ୍ଦେଶ  ॥(୧୬)

ବାରମ୍ବାର ବୁଝାଇଲା ଭାଇ ବିଭୀଷଣ  ।
ଅଗତ୍ୟା ହୋଇ ଶେଷରେ ପଶିଲା ଶରଣ  ॥(୧୭)

କୁମ୍ଭକର୍ଣ୍ଣ, ଇନ୍ଦ୍ରଜିତ ରାକ୍ଷସ କୁ ମାରି  ।
ସ୍ଵର୍ଣ୍ଣଲଙ୍କା,ସବାନ୍ଧବ ଶୂନ୍ୟ ହେଲା ଶିରୀ  ॥(୧୮)

ଅହଙ୍କାରୀ ଦଶାନନ ପାପୀକୁ ସଂହାରୀ  ।
ବିପଦୁ ଉଦ୍ଧାର କଲ ଜନକ କୁମାରୀ  ॥(୧୯)

ଆହେ ପ୍ରଭୁ କୃପାସିନ୍ଧୁ ମୋପାପ ମୋଚନ  ।
ଅଜ୍ଞାନ ଏ ଦୀନ ହୀନ କରୁଛି ଜଣାଣ  ॥(୨୦)

ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ ପୋଷ୍ଟ - କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର, ଗଞ୍ଜାମ- ୭୬୧୧୩୧

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy