Wednesday, August 5, 2020

ରାମ ରାଗିଣୀ

ରସାସୁତା ପତି ଆହେ ରଘୁପତି 

ରାମ ହେ ପ୍ରଣାମ ଘେନ, 
ରାଜୀବ ଲୋଚନ ରାଜନ୍ୟ ଶ୍ରେଷ୍ଠ ହେ 
ରୋଦସୀ ରିଷ୍ଟ ନାଶନ l

ଋଷି ପ୍ରିୟ ପ୍ରଭୁ ରତ୍ନାକର ପୂଜ୍ୟ 
ରାକ୍ଷସ ଅରି ଠାକୁର,
ରବିସୁତ ରିଷ୍ଟ ଲଭଇ ବିନଷ୍ଟ ,
ନାମ ଉଚ୍ଚାରଣେ ତୋର I
ରଚନାରେ ତବ ମୁଁ ଛାର ମାନବ, 
ରଚଇ ତବ ଜଣାଣ,
ରସାସୁତା ପତି ଆହେ ରଘୁପତି 
ରାମ ହେ ପ୍ରଣାମ ଘେନ I

ରାଜର୍ଷି ଜନକ ଜାମାତା ପ୍ରଭୁ ହେ ,
ରମଣୀୟ ରୂପା ଜହ୍ନ, 
ରଜକ ବାକ୍ୟରେ ରାଜାଦେଶ ଦେଲ 
ଜାନକୀ ବନ ଗମନ I

ରମାନାଥ ଅଂଶେ ଶ୍ରେଷ୍ଠ ରଘୁ ବଂଶେ, 
ରୀତି ସ୍ଥାପିଛ ସତ୍ୟର, 
ରାମାୟଣ ବୀର ରଜତ କାନ୍ତ ହେ 
ଆଉଥରେ ଅବତର I
ରଚି ରାମରାଜ୍ୟ ଆହେ ଶ୍ରେଷ୍ଠ ଆର୍ଯ୍ୟ 
କରନ୍ତୁ ସ୍ଵଚ୍ଛ ଶାସନ,
ରାଜୀବ ଲୋଚନ ରାଜନ୍ୟ ଶ୍ରେଷ୍ଠ ହେ 
ରୋଦସୀ ରିଷ୍ଟ ନାଶନ I

ରଚନା କରୁନି ରୋଦନ କରୁଛି 
ରସା ବକ୍ଷରେ ଶିଶିର,
ରାବଣ ଅରି ହେ ତାରି ଅବା ମାରି, 
ଇଚ୍ଛା ତବ ପୂର୍ଣ୍ଣ କର I

ଶିଶିର କୁମାର ସ୍ଵାଇଁ
ଶିକ୍ଷକ, ଗାଙ୍ଗପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy